ଝାଡ଼ଖଣ୍ଡ ମଦ ମାଫିଆ ଲିଙ୍କ୍‌ରେ ଏକାଧିକ! ଦୁଇ ମଦ ବେପାରୀଙ୍କ ଘରେ ଚଢ଼ଉ କରିଥିଲା ଆୟକର ବିଭାଗ

ରାଉରକେଲା: ଝାଡ଼ଖଣ୍ଡର ମଦ ମାଫିଆ ଧୀରଜ ସାହୁଙ୍କ ସିଣ୍ଡିକେଟ୍‌ରେ ରାଉରକେଲା କିଛି ମଦ ବ୍ୟବସାୟୀ ଥିବା ପୂର୍ବରୁ ପ୍ରମାଣିତ ହୋଇସାରିଛି। ଏହି ଲିଙ୍କ୍‌ ଯୋଗୁଁ କିଛି ଦିନ ପୂର୍ବେ ଆୟକର ବିଭାଗ ପକ୍ଷରୁ ସହରର ଦୁଇ ମଦ ବେପାରୀଙ୍କ ଘର, କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା। ଉଭୟଙ୍କ ଘରୁ ଯଦିଓ ନଗଦ ଟଙ୍କା ଯଦିଓ ଜବତ ହୋଇନି; କିନ୍ତୁ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ପାଇଛନ୍ତି। ଆବଶ୍ୟକସ୍ଥଳେ ଭବିଷ୍ୟତରେ ପୁନର୍ବାର ଚଢ଼ଉ, ପଚରାଉଚରା କରାଯିବା ନେଇ କୁହାଯାଉଛି। ଏହି ଦୁଇ ମଦ ବେପାରୀ ଅନ୍ୟ ବ୍ୟବସାୟରେ ମଧ୍ୟ ଜଡ଼ିତ ଅଛନ୍ତି। ଶିଳ୍ପ କାରଖାନା, ବିଳାସପୂର୍ଣ୍ଣ ହୋଟେଲ ଆଦିରେ ଏମାନେ ଅର୍ଥ ବିନିଯୋଗ କରିଛନ୍ତି। ଏଣୁ ଏହି ହୋଟେଲ, କାରଖାନା କଳାଟଙ୍କା ଲାଗିଛି ନା ଧଳା; ତାହା ବି ତଦନ୍ତ ପରିସରଭୁକ୍ତ ହେବାର ସମ୍ଭାବନା ରହିଛି। ଏହି ଦୁଇ ମଦ ବେପାରୀ ସୁନ୍ଦରଗଡ଼ର ରାଜକିଶୋର ଜୟସ୍ବାଲଙ୍କ ଅନୁଗତ। ବିଗତ ଦିନରେ ସିଣ୍ଡିକେଟ୍‌ ମାଧ୍ୟମରେ ହିଁ ବିଦେଶୀ ମଦ ଦୋକାନ ପାଇଁ ଲଟେରିରେ ଭାଗ ନେବାର ବି ନଜିର ରହିଛି। ଯଦିଓ ଶ୍ରୀ ଜୟସ୍ବାଲ ଜିଲ୍ଲାର ଦେଶୀ ମଦ ସାମ୍ରାଜ୍ୟର ବାଦ୍‌ଶାହା ଥିଲେ; ତେବେ ବିଦେଶୀ ମଦ ବ୍ୟବସାୟରେ ମଧ୍ୟ ତାଙ୍କର କାଟ୍‌ତି ରହିଛି। ଏଣୁ ଏହି ସିଣ୍ଡିକେଟ୍‌ରେ ଥିବା ଅନ୍ୟ ସଦସ୍ୟ ମଧ୍ୟ ଆର୍ଥିକ ହେର୍‌ଫେରରେ ସଂଶ୍ଲିଷ୍ଟ ଥିବା ସନ୍ଦେହ କରାଯାଉଛି।
ଏବେ ସହରରେ ଛତିଶଗଡ଼ ଓ ଝାଡ଼ଖଣ୍ଡର ମଦ ବେପାରୀ ଛାଇଗଲେଣି। ନାମୀଦାମୀ ବ୍ରାଣ୍ଡ୍‌ ବିକ୍ରି କରୁଥିବା ଦୋକାନ ହେଉ ବା ଏକାଧିକ ବିଦେଶୀ ଠିପି ବନ୍ଦ ମଦ ଦୋକାନ; ସବୁଠାରେ ବାହ୍ୟ ରାଜ୍ୟ ବେପାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ରାଉରକେଲା ଅବକାରୀ ଇନ୍ସପେକ୍ଟରଙ୍କ ଅଧିନସ୍ଥ ରାଉରକେଲା ସମେତ ଇସ୍ପାତ ସହରାଞ୍ଚଳ, ବେଦବ୍ୟାସ, ବନ୍ଧମୁଣ୍ଡା, ଫର୍ଟିଲାଇଜର, ବୀରମିତ୍ରପୁର ଆଦି ଅଞ୍ଚଳରେ ୩୬ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ଏଥିମଧ୍ୟରୁ ଏକାଧିକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଛତିଶଗଡ଼ର ମଦ ବେପାରୀଙ୍କ ଦୋକାନ ରହିଛି। ଅପରପକ୍ଷରେ ରାଉରକେଲା ପୁଲିସ୍‌ ଜିଲ୍ଲା(ରାଉରକେଲା ଓ ବଣାଇଁ ରେଞ୍ଜ୍‌)ରେ ପାଖାପାଖି ୫୦ଟି ଠିପି ବନ୍ଦ ମଦ ଦୋକାନ ରହିଛି। ଏଥିମଧ୍ୟରୁ ପାଖାପାଖି ୧୦ଟି ଦୋକାନ ଛତିଶଗଡ଼ ବେପାରୀଙ୍କ କବ୍‌ଜାରେ। ସେହିଭଳି ଝାଡ଼ଖଣ୍ଡର ବେପାରୀ ମଧ୍ୟ ଜିଲ୍ଲାର ଦେଶୀ ମଦ ବେପାରରେ କାୟାବିସ୍ତର କରିସାରିଥିବା ଜଣାପଡ଼ିଛି।
ସମ୍ବନ୍ଧିତ ଖବର