ସରୁନି ଦୁଇ ସ୍ମାର୍ଟସିଟିର ୧୧ ପ୍ରକଳ୍ପ: ୨୦୨୪ ଜୁନ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ସଂସଦରେ ଜୁଏଲଙ୍କ ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ

ରାଉରକେଲା: ୨୦୧୬ ମସିହାରେ ରାଜ୍ୟରେ ଦୁଇଟି ସହର ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ବି ଦିଆଗଲା। ତେବେ ବର୍ଷ ବର୍ଷ ବିତିଲାଣି; କିନ୍ତୁ ସ୍ମାର୍ଟ ସିଟି ପକ୍ଷରୁ ହାତକୁ ନିଆଯାଇଥିବା ସମସ୍ତ ପ୍ରକଳ୍ପର ନିର୍ମାଣ ଶେଷ ହୋଇପାରିନି। ଉଭୟ ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟସିଟିର ୮୫୩.୩୫ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଏବେବି ନିର୍ମାଣାଧୀନ। ୨୦୨୪ ଜୁନ ଶେଷ ସୁଦ୍ଧା ସମସ୍ତ ପ୍ରକଳ୍ପ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂସଦରେ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରଗୃହ ନିର୍ମାଣ ଓ ସହର ବିକାଶ ମନ୍ତ୍ରାଳୟ ରାଜ୍ୟ ମନ୍ତ୍ରୀ କୌଶଳ କିଶୋର କହିଛନ୍ତି।
୨୦୧୫ ଜୁନ ୨୫ ତାରିଖରେ କେନ୍ଦ୍ର ସରକାର ସ୍ମାର୍ଟ ସିଟି ମିସନର ଶୁଭାରମ୍ଭ କରିଥିଲେ। ୨୦୧୬ ଜାନୁଆରିରୁ ୨୦୧୮ ଜୁନ ମଧ୍ୟରେ ୪ଟି ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଦେଶରେ ଶହେଟି ସ୍କାର୍ଟ ସିଟି ଚୟନ କରାଯାଇଥିଲା। ଏହି କ୍ରମରେ ରାଜ୍ୟରେ ପ୍ରଥମେ ଭୁବନେଶ୍ବର ଓ ଦ୍ବିତୀୟ ପର୍ଯ୍ୟାୟରେ ରାଉରକେଲା ସ୍ଥାନିତ ହୋଇଥିଲା। ଇତିମଧ୍ୟରେ ଉଭୟ ଭୁବନେଶ୍ବର ଓ ରାଉରକେଲା ସ୍ମାର୍ଟ ସିଟିକୁ ମୋଟ୍‌ ୩୫୯୫.୬୫ କୋଟି ଅନୁମୋଦିତ ହୋଇଛି। ଉଭୟ ସ୍ମାର୍ଟ ସିଟି ପକ୍ଷରୁ ମୋଟ୍‌ ୯୭ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିମଧ୍ୟରୁ ୮୬ଟି ପ୍ରକଳ୍ପ ସମ୍ପନ୍ନ ହୋଇସାରିଥିବାବେଳେ ୧୧ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ରାଉରକେଲା ସ୍ମାର୍ଟ ସିଟି ପାଇଁ ୧୫୧୨.୮୬ କୋଟି ଅନୁମୋଦିତ ହୋଇଥିବାବେଳେ ୬୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିମଧ୍ୟରୁ ୫୯ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୩୫୭.୬୨ କୋଟି ଟଙ୍କାର ୫ଟି ପ୍ରକଳ୍ପ- କଣ୍ଟ୍ରୋଲ ଆଣ୍ଡ୍‌ କମାଣ୍ଡ୍‌ ସେଣ୍ଟର୍‌, ଟ୍ରାଇବାଲ ମ୍ୟୁଜିୟମ ଆଦି ପ୍ରକଳ୍ପ ନିର୍ମାଣାଧୀନ। ସେହିଭଳି ଭୁବନେଶ୍ବର ସ୍ମାର୍ଟ ସିଟି ପାଇଁ ୨୦୮୨.୭୯ କୋଟି ଅନୁମୋଦିତ ହୋଇଥିବାବେଳେ ୩୩ଟି ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ୨୭ଟି ସମ୍ପନ୍ନ ହୋଇଥିବାବେଳେ ୪୯୫.୭୩ କୋଟି ଟଙ୍କାର ୬ଟି ପ୍ରକଳ୍ପ ଅଧପନ୍ତରିଆ ହୋଇ ରହିଛି।
ସମ୍ବନ୍ଧିତ ଖବର