ସମୁଦ୍ରରେ ବୁଡ଼ି ପୁଣି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ଗତକାଲିର ମୃତ ବାପପୁଅଙ୍କ ଶବକୁ ପଠାଗଲା

ପୁରୀ : ବୁଧବାର ଦିନ ସମୁଦ୍ରରେ ଗାଧୋଉଥିବା ବେଳେ ଲହଡ଼ିରେ ଭାସିଯାଇ ବାପପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ପୁଣି ସମୁଦ୍ରରେ ବୁଡ଼ି ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ, ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଶ୍ରୀରାମପୁର ଅଞ୍ଚଳରୁ ଅରବିନ୍ଦ ଦେ(୩୨), ଅଜୟ ଦେ(୩୩)।

ସୂଚନା ଅନୁସାରେ, ଗୁରୁବାର ଦିନ ଅରବିନ୍ଦ ଓ ଅଜୟଙ୍କ ସମେତ ୬ ଜଣ ଯୁବକ ପୁରୀ ବୁଲିବାକୁ ଆସି ଏଠାରେ ପହଞ୍ଚିଥିଲେ। ସେମାନେ ସ୍ବର୍ଗଦ୍ବାର ନିକଟସ୍ଥ ଏକ ହୋଟେଲରେ ରହି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ତେବେ, ସେମାନେ ସମୁ୍ଦ୍ରରେ ଗାଧୋଉଥିବା ବେଳେ ଏକ ଲହଡ଼ି ଆସି ଅରବିନ୍ଦ ଓ ଅଜୟଙ୍କୁ ଭସାଇ ନେଇଥିଲା। ଘଟଣାସ୍ଥଳରେ ଥିବା ଅନ୍ୟମାନେ ଚିତ୍କାର କରିବାରୁ ଲାଇଫ୍‌ଗାର୍ଡମାନେ ସମୁଦ୍ରଗର୍ଭରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇବାରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି।

ଅନ୍ୟପକ୍ଷ‌ରେ, ପୁରୀ ସମୁଦ୍ରରେ ବୁଧବାର ଦିନ ବୁଡ଼ି ଯାଇ ପ୍ରାଣ ହରାଇଥିବା ଦୁଇ ବଙ୍ଗୀୟ ପର୍ଯ୍ୟଟକ(ବାପ, ପୁଅ)ଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପଶ୍ଚିମବଙ୍ଗ ପଠାଯାଇଛି। ଦୁହେଁ ହେଲେ, ପଶ୍ଚିମବଙ୍ଗ ହାୱଡ଼ା ଜିଲ୍ଲା ସିପୁର, ଖୁରୁଟ ଆଚାର୍ଯ୍ୟପଡ଼ାର ରଞ୍ଜନ ଦାସ(୫୧) ଓ ତାଙ୍କ ପୁତ୍ର ରେସୋଭ ଦାସ(୧୫)। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ରେଡ୍‌କ୍ରସ ସହାୟତାରେ ସେମାନଙ୍କ ଶବକୁ ପଶ୍ଚିମବଙ୍ଗକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।

ସମ୍ବନ୍ଧିତ ଖବର