ଧୋଇଗଲା ବର୍ଷାଜଳ ଅମଳ ପ୍ରକଳ୍ପ: ୬୩ କୋଟି ଖର୍ଚ୍ଚରେ କେଁ, ସୂଚନା ଫଳକ ଅଛି, ପ୍ରକଳ୍ପ ଉଭାନ୍‌

ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ୧୧ ନଂ ୱାର୍ଡ ଅନ୍ତର୍ଗତ ରାଉରକେଲା ଶିଳ୍ପାଞ୍ଚଳ। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା) ପାଣ୍ଠିରେ କରାଯାଇଛି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ। ଯେଉଁ ସ୍ଥାନରେ ପ୍ରକଳ୍ପ ସମ୍ପର୍କିତ ସୂଚନା ଫଳକ ଲାଗିଛି। ସେଠି ପ୍ରକଳ୍ପର ନାଁ ଗନ୍ଧ ନାହିଁ। ସଂପୂର୍ଣ୍ଣ ଉଭାନ ହୋଇଯାଇଛି।

ସୂଚନା ଫଳକରେ ଦର୍ଶାଯାଇଛି, ବର୍ଷା ଜଳ ଅମଳ ପ୍ରକଳ୍ପ କାମ ୨୦୨୨ ମେ’ ୨୦ରେ ଆରମ୍ଭ ହୋଇଥିଲା। ଦୁଇ ମାସ ପରେ ଅର୍ଥାତ୍‌ ଜୁଲାଇ ୧୮ରେ ଶେଷ ହୋଇଥିଲା। କେବଳ ଏତିକି ନୁହେଁ ପ୍ରକଳ୍ପ ବାବଦରେ ୩ ଲକ୍ଷ ୯୩ ହଜାର ୫୯୬ ଟଙ୍କା ଖର୍ଚ୍ଚ ହୋଇଛି। କେବଳ ମଜୁରି ବାବଦରେ ୯୩ ହଜାର ୯୩୦ ଟଙ୍କା ଦର୍ଶାଯାଇଛି। ଯେଉଁସ୍ଥାନରେ ପ୍ରକଳ୍ପ ସମ୍ପର୍କିତ ବିସ୍ତୃତ ତଥ୍ୟ ଲେଖାଯାଇଛି, ସେଠି କିମ୍ବା ଆଖପାଖରେ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ। ଶିଳ୍ପାଞ୍ଚଳରେ ଗୋଟିଏ କି ଦୁଇଟି ନୁହେଁ, ମୁକ୍ତା ଯୋଜନାରେ ଯେତୋଟି ବର୍ଷାଜଳ ଅମଳ ପ୍ରକଳ୍ପ ହୋଇଛି, ସବୁଠି ସମାନ ସ୍ଥିତି। ଅବଶ୍ୟ କିଛି ସ୍ଥାନରେ ଲୋକଦେଖାଣିଆ ପ୍ରକଳ୍ପ କରାଯାଇଥିଲା। ସେସବୁ ଜାଗାରେ ଡ୍ରେନ୍‌ ନିର୍ମାଣ ଚାଲିଛି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଛେଣ୍ଡ ହୃଷୀକେଶ ରାୟ କଲେଜ କ୍ୟାମ୍ପସ୍‌, ଆର୍‌ଏମ୍‌ସି କାର୍ଯ୍ୟାଳୟ ନିକଟ ସିଂହାସିନୀ ମନ୍ଦିର ପରିସର, ବେଦବ୍ୟାସ, ବାସନ୍ତୀ କଲୋନି, ଫର୍ଟିଲାଇଜର, ଇସ୍ପାତ ସହରାଞ୍ଚଳ, ଏଫ୍‌ସିଆଇ ଗୋଦାମ ପାଚେରି ପାର୍ଶ୍ବ ଆଦି ଅନେକ ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗ୍ରୁପ ଦ୍ବାରା କରାଯାଇଥିବା କାମ ନିମ୍ନମାନର। କେଉଁଠି ହାତେ ଦୁଇ ହାତ ଡ୍ରେନ୍‌ ଓ ୩/୪ଟି ନନ୍ଦ ବସାଇ କାମ ସାରି ଦିଆଯାଇଛି ତ ଆଉ କେଉଁଠି ସେତିକି ବି ନାହିଁ, ସବୁ ମାଟିରେ ମିଶିଗଲାଣି। ଯେଉଁ ଏସ୍‌ଏଚ୍‌ଜି ଏମିତି କାମ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ବରଂ ବିନା ତଦାରଖରେ ବିଲ୍‌ ପାସ୍‌ କରି ଦିଆଯାଉଛି। ଅନୁରୂପ ଭାବେ ସେକ୍ଟର-୨୧ ନୟାବଜାର ସ ମିଲ୍‌ ନିକଟରେ ଗୋଟିଏ କି ଦୁଇଟି ନୁହେଁ ୨୧ଟି ପ୍ରକଳ୍ପ କରାଯାଇଛି। ପୁଣି ନୟାବଜାର କୁଷ୍ଠବସ୍ତିରେ ୨୦, ଆଇନ ମହାବିଦ୍ୟାଳୟ ନିକଟରେ ୧୨ଟି ପ୍ରକଳ୍ପ ହୋଇଛି। ୩୦% କାମ ଠିକ୍‌ ଥିଲାବେଳେ ବାକି ୭୦% କାମରେ ନାନା ବ୍ୟତିକ୍ରମ ଦେଖିବାକୁ ମିଳିଛି। କେଉଁଠି ନନ୍ଦଗୁଡ଼ିକ ମାଟିରେ ପୋତି ହୋଇଗଲାଣି ତ ଅନ୍ୟ କେଉଁଠି ମାଟିରେ ମିଶିଗଲାଣି। ରାଉରକେଲା ଶିଳ୍ପାଞ୍ଚଳରେ ଜଳ ଅମଳ ପ୍ରକଳ୍ପ ହୋଇଥିବା ସ୍ଥାନରେ ଏବେ ଡ୍ରେନ୍‌ ନିର୍ମାଣ କାମ ଚାଲିଛି।

ବିଲ୍‌ ହେଲା ପରେ ପ୍ରକଳ୍ପ ଗୁଡ଼ିକ କୁଆଡ଼େ ଉଭାନ୍‌ ହୋଇଯାଉଛି। ଆଉ କିଛି ସ୍ଥାନରେ ଆଦୌ ପ୍ରକଳ୍ପ ନାଁରେ କିଛି ବି କାମ ହୋଇ ନାହିଁ। ସେକ୍ଟର -୨୧ ଓଏସ୍‌ଏପି ବାଟାଲିୟନରେ ୨୦ଟି, ଉଦିତନଗର ମାଇନିଂ କାର୍ଯ୍ୟାଳୟ ଚତୁଃପାର୍ଶ୍ବରେ ୧୨ଟି, ଆର୍‌ଏମ୍‌ସି କ୍ବାର୍ଟର୍ସ ପାଖରେ ୨୪ଟି, ଆଇଟିଆଇ ଶାନ୍ତିନଗରରେ ୨୮ଟି, ଦେଓଗାଁ ଦେହୁରୀ ବସ୍ତିରେ ୧୮ଟି, ସିଭିଲଟାଉନସିପ୍‌ ଖଟାଲ ବସ୍ତିରେ ୩୦ଟି ପ୍ରକଳ୍ପ କରାଯାଇଛି। ପାନପୋଷ ୱାଟ୍‌କୋ କାର୍ଯ୍ୟାଳୟ ପରିସରରେ ୨୪ଟି, ବେଦବ୍ୟାସ ସେଣ୍ଟ ଆର୍ନୋଲୋଡ ଇଂରାଜୀ ମାଧ୍ୟମ ସ୍କୁଲ ଚତୁଃପାର୍ଶ୍ବରେ ୨୮ଟି ପ୍ରକଳ୍ପ କରାଯାଇଛି। ବେଦବ୍ୟାସ ଆଇଡିସିରେ ୨୧ଟି, ସିଂହଟୋଲାରେ ୬ଟି, ନଦୀଟୋଲା ପଡ଼ିଆରେ ୬ଟି ଜଳ ଅମଳ ପ୍ରକଳ୍ପ ହୋଇଛି। ଏମିତି ଭାବେ ୪୦ ୱାର୍ଡରେ ଗୋଟିଏ ଗୋଟିଏ ସ୍ଥାନରେ ଅନାବଶ୍ୟକ ଭାବେ ୫ରୁ ୧୦ଟି ପ୍ରକଳ୍ପ କରାଯାଇ ବିଲ୍‌ ଉଠାଯାଇଛି। ଦୁର୍ନୀତି ଲୁଚାଇବାକୁ ଅଧିକାଂଶ ସ୍ଥାନରେ ସୂଚନା ଫଳକ ବି ଲଗାଯାଇ ନାହିଁ। ଅନେକ ସ୍ଥାନରେ ଫଳକ ଲଗାଇ ଫଟୋ ଉଠାଇବା ପରେ କାଢ଼ି ନିଆଯାଇଛି। ଆଉ କିଛି ସ୍ଥାନରେ କାନ୍ଥରେ ସେମିତି ଲେଖିଦିଆଯାଇଛି। ଏମିତି ଭାବେ ମୁକ୍ତା ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୩ କୋଟିରୁ ଅଧିକ ଟଙ୍କାରେ ବର୍ଷା ଜଳ ଅମଳ ପ୍ରକଳ୍ପ କାମ କରାଯାଇଛି। ତଦନ୍ତ ହେଲେ ବଡ଼ଧରଣ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା। ଏ ସମ୍ପର୍କରେ ଆର୍‌ଏମ୍‌ସି କମିସନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଶିଳ୍ପାଞ୍ଚଳ ଓ ଅନ୍ୟାନ୍ୟ ସ୍ଥାନରେ ଏମିତି ଅଭିଯୋଗ ପାଇନି। ଯଦି ହୋଇଥିବ, ନିଶ୍ଚିତ ଭାବେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର