ଅନ୍ଧ ବୁଢ଼ୀମା’କୁ କାହିଁକି ଘର ମିଳିନି? ରାଜ୍ୟପାଳଙ୍କ ପ୍ରଶ୍ନରେ ଜିଲ୍ଲାପାଳ, ବିଡିଓ ଅପ୍ରସ୍ତୁତ

ବାଲେଶ୍ବର: ଗରିବଙ୍କୁ ଆବାସ ଗୃହ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି। କିନ୍ତୁ ତୃଣମୂଳସ୍ତରରେ କାହିଁକି ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି? ରାଜ୍ୟପାଳ ରଘୁବର ଦାସଙ୍କ ଏମିତି କିଛି ପ୍ରଶ୍ନରେ ଆଜି ଅପ୍ରସ୍ତୁତ ହୋଇ ଯାଇଥିଲେ ବାଲେଶ୍ବର ଜିଲ୍ଲାପାଳ ଓ ନୀଳଗିରି ବିଡିଓ। ରାଜ୍ୟପାଳ ଶ୍ରୀ ଦାସ ଶୁକ୍ରବାର ଦିନ ଦିନିକିଆ ଗସ୍ତରେ ଆସି ନୀଳଗିରି ମର୍ଦ୍ଦରାଜପୁର ଗାଁରେ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା କିଛି ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ। ଫେରିବା ସମୟରେ ଦୃଷ୍ଟିବାଧିତ ବୃଦ୍ଧା ଅନ୍ନପୂର୍ଣ୍ଣା ପାତ୍ର (୭୦)ଙ୍କ ଭଙ୍ଗା ଚାଳଘର ଉପରେ ତାଙ୍କର ନଜର ପଡ଼ିଥିଲା । ରାଜ୍ୟପାଳ ତାଙ୍କର ଦୁର୍ଦ୍ଦଶା ଜାଣି ଦୁଃଖପ୍ରକାଶ କରିଥିଲେ। ଅନ୍ନପୂର୍ଣ୍ଣା ଆଜିକୁ ପାଞ୍ଚ ବର୍ଷ ହେଲା ନିଜର ଚକ୍ଷୁ ହରାଇଛନ୍ତି। ଫାଇଲିନ୍‌ ବାତ୍ୟା ସମୟରେ ତାଙ୍କ ଚାଳଘରଟି ଭାଙ୍ଗି ଯାଇଥିଲା। ସେବେଠୁ ଉକ୍ତ ଭଙ୍ଗାଘରେ ଜରିପାଲ ଟାଣି ଦୁଃଖକଷ୍ଟରେ ତିନି ପ୍ରାଣୀ କୁଟୁମ୍ବ ଚଳି ଆସୁଛନ୍ତି। ଘର ପାଇଁ ସେ ବାରମ୍ବାର ସରପଞ୍ଚ, ୱାର୍ଡସଭ୍ୟ ଓ ବିଡିଓଙ୍କୁ ଅବଗତ କରୁଥିଲେ ସୁଦ୍ଧା ଏଯାବତ୍‌ ତାଙ୍କ ଭାଗ୍ୟରେ ସରକାରୀ ଆବାସ ଜୁଟିନି ବୋଲି କହିଥିଲେ। ପାଖରେ ଥିବା ନୀଳଗିରି ବିଡିଓ ରାହୁଲ ମଣ୍ଡଳ ଓ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଦେଙ୍କୁ ତା’ର କାରଣ ପଚାରିଥିଲେ ରାଜ୍ୟପାଳ। କହିଥିଲେ, ପ୍ରଥମେ ଯିଏ ଯୋଜନାର ଲାଭ ପାଇବାକୁ ଯୋଗ୍ୟ, ତାଙ୍କୁ ଆଗ ପ୍ରାଥମିକତା ଦିଅନ୍ତୁ। ଅନ୍ଧୁଣୀ ବୁଢ଼ୀମା’କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ଘର ଦେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେବାସହ ଗାଁର ଚାଷୀମାନଙ୍କ ସହ ବାର୍ତ୍ତାଳାପ କରି ପ୍ରଧାନମନ୍ତ୍ରୀ ଫସଲବୀମା ଓ ପ୍ରଧାନମନ୍ତ୍ରୀ କୃଷକ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ମର୍ଦ୍ଦରାଜପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ରାଜ୍ୟପାଳ। ଛାତ୍ରଛାତ୍ରୀଙ୍କୁ ତଳେ ବସିଥିବା ଦେଖି ଜିଲ୍ଲାପାଳ, ବିଡିଓ ଓ ବିଇଓଙ୍କ ଆଡ଼କୁ ଚାହିଁଥିଲେ। ପ୍ରାଥମିକ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ହିଁ ଶିକ୍ଷା ବ୍ୟବସ୍ଥାର ମୂଳଭିତ୍ତି। ଏହାକୁ ନଜରଅନ୍ଦାଜ ନ କରି ଶିକ୍ଷା ମୂଳଦୁଆ ସଜାଡ଼ିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର