ଉଦଳା ଉପରେ ବିଜେଡି ଆଖି: ଅଡ଼ୁଆ ଧରିଛି ଟିକେଟ୍‌ ଅଙ୍କ

ଦିଲ୍ଲୀପ କୁମାର କଲିଆ

ଉଦଳା-୧: ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀରେ ଟିକେଟ୍‌ ଅଙ୍କ ଛିଣ୍ଡୁନି। ବରଂ ଅଡ଼ୁଆ ବଢ଼ିବାରେ ଲାଗିଛି। ସବୁ ଦଳରେ ଏକାଧିକ ଦାବିଦାରଏବେ ନେତୃତ୍ବକୁ ଚିନ୍ତାରେ ପକାଇଲେଣି। ଏଠାରେ ମୁଖ୍ୟତଃ ବିଜେପି ଓ ବିଜେଡି ଭିତରେ ସିଧାସଳଖ ଲଢ଼େଇ ହେବ। ଏଣୁ ଉଭୟ ଦଳ ଉପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ନଜର ରହିଛି। ଉଦଳା ଆସନ ଏବେ ବିଜେପି ହାତରେ। ହେଲେ ବିଧାୟକ ଭାସ୍କରଚନ୍ଦ୍ର ମଢ଼େଇ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବା ବିଜେପିକୁ ଅକଳରେ ପକାଇ ଦେଇଛି। ନିକଟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଶ୍ରୀ ମଢ଼େଇ ଯୋଗ ଦେଇ ରାଜ୍ୟ ସରକାର ଓ ୫-ଟି ବିକାଶ ଧାରାକୁ ପ୍ରଶଂସାରେ ପୋତି ପକାଇଥିଲେ। ଏହାକୁ ନେଇ ବିଜେପି ଶିବିରରେ ହଟଚମଟ ସୃଷ୍ଟି ହେଲା। ଏମିତିରେ ବି ୩ଥର ବିଧାୟକ ହେଲେ ଶ୍ରୀ ମଢ଼େଇ। ଏଣୁ କୌଣସି ରାଜନୈତିକ ଅଙ୍କ ବିନା ସେ ଯେ ସରକାରଙ୍କୁ ପ୍ରଶଂସା କରିଥିବେ, ଏକଥା କେହି ବିଶ୍ବାସ କରୁନାହାନ୍ତି।ଏପଟେ ଗତମାସରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଚାକିରିରୁ ନିଲମ୍ବିତ ହୋଇଥିବା ଶିକ୍ଷକ ମୁକ୍ତିକାନ୍ତ ନାଏକ ଟିକେଟ୍‌ ଦୌଡ଼କୁ ଆସିଛନ୍ତି। ଏମାନଙ୍କ ବ୍ୟତୀତ କାଳୀଚରଣ ପାତ୍ର ଓ କଲ୍ଲୋଳ ସିଂ ମଧ୍ୟ ବିଜେପିରୁ ପ୍ରାର୍ଥୀ ହେବା ଲାଗି ଆଶା ରଖିଛନ୍ତି।

ବିଜେଡି କିନ୍ତୁ ଏହି ଆସନ ଅକ୍ତିଆର ଲାଗି ଜୋର୍‌ଦାର କସରତ ଚଳାଇଛି। ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ମନୋରଞ୍ଜନ ମଲ୍ଲିକ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସବିତା ହାଁସଦା ଓ ଭୁବନେଶ୍ୱରର ପୂର୍ବତନ ଡେପୁଟି ମେୟର ଭାରତୀ ସିଂଙ୍କ ଆଖି ଏହି ଆସନ ଉପରେ ରହିଛି। ସମସ୍ତେ ନିଜ ନିଜ ଢଙ୍ଗରେ ତୃଣମୂଳସ୍ତରରେ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପ୍ରୟାସ ଚଳାଇଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ବିଜେଡି ଏହି ଆସନରେ ଜଣେ ମହିଳାଙ୍କୁ ଲଢ଼ାଇବାକୁ ଚାହୁଁଛି। ଏଣୁ ଉଭୟ ସବିତା ଓ ଭାରତୀଙ୍କ ମଧ୍ୟରୁ ଦଳ କାହାକୁ ଭରସା କରିବ ସେ ଉପରେ ନଜର ରହିଛି। ସେପଟେ ପ୍ରାକ୍ତନ ବିଧାୟକ ଶ୍ରୀନାଥ ସୋରେନ୍‌ ନିଜର ସାଂଗଠନିକ ଶକ୍ତିକୁ ଆୟୁଧ କରି ଟିକେଟ୍ ପାଇବେ ଓ ବଡ଼ ଲଢ଼େଇ ଦେବେ ବୋଲି ଆଶା ରଖିଛନ୍ତି। ଏଣୁ ଅନ୍ୟ ଗୋଷ୍ଠୀର ମତ ହେଉଛି, ଶ୍ରୀ ସୋରେନ୍‌ଙ୍କୁ ବିଜେଡି ଅଣଦେଖା କରିବା ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର