ଡାକୋଟା ଦେଖିବା ପାଇଁ ନୁହେଁ, ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ରାଜ୍ୟ ସରକାର: ଯୁବ କଂଗ୍ରେସ

ଯୁବ କଂଗ୍ରେସର ଦିନିକିଆ ସତ୍ୟାଗ୍ରହ

ଭୁବନେଶ୍ବର: ୩ ଦଫା ଦାବି ନେଇ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଦିନିକିଆ ସତ୍ୟାଗ୍ରହ ଆୟୋଜିତ ହୋଇଥିଲା। ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀ ରାଜ୍ୟ ସରକାରଙ୍କ ବିରୋଧରେ ନିରବ ପ୍ରତିବାଦ କରିଥିଲେ।

ଯୁବ କଂଗ୍ରେସ ପକ୍ଷରୁ ହୋଇଥିବା ଦାବି ମଧ୍ୟରେ ସରକାରୀ ନିଯୁକ୍ତିର ଆବେଦନ ବୟସ ସୀମା ସ୍ଥାୟୀଭାବେ ୪୨ବର୍ଷକୁ ବୃଦ୍ଧି କରାଯାଉ। ଚୁକ୍ତିଭିତ୍ତିକ ନିଯୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ ସହ ସମାନ କାର୍ଯ୍ୟକୁ ସମାନ ଦରମା ଓ ଆଉଟସୋର୍ସିଂ ସଂସ୍ଥା କର୍ମଚାରୀଙ୍କ ନିଯୁକ୍ତି ନିଶ୍ଚିତ କରାଯାଉ। ସତ୍ୟାଗ୍ରହରେ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା କହିଥିଲେ ଯେ ରାଜ୍ୟର ଯୁବପିଢ଼ି ନିଯୁକ୍ତି ନ ପାଇ ଦିଗହରା ହୋଇ ପଡ଼ିଛନ୍ତି। ୨୨ବର୍ଷର ନିରଙ୍କୁଶ ଶାସନ ପରେ ବି ରାଜ୍ୟ ସରକାର ନିଯୁକ୍ତି ପ୍ରଦାନରେ ବିଫଳ ହୋଇଛନ୍ତି। ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଓପିଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି, ଓଏସ୍‌ଏସ୍‌ସି, ଏସ୍‌ଏସ୍‌ବି ଆଦି ଦ୍ବାରା ନିୟମାନୁସାରେ ପ୍ରତ୍ୟେକ ବର୍ଷ ପୂରଣ କରାଯାଉ। ଗତବର୍ଷ ଜାନୁଆରି ୧୦ ତାରିଖରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ରାଜ୍ୟ ସରକାର ୩୮ବର୍ଷକୁ ବୃଦ୍ଧି କରିଥିଲେ। ହେଲେ ଗତ ୨ବର୍ଷରେ ନିଯୁକ୍ତି ଦେଇପାରିଲେ ନାହିଁ। ବିଭିନ୍ନ ରାଜ୍ୟରେ ଆବେଦନର ବୟସ ସୀମା ୪୨ ଓ ୪୫ବର୍ଷ ଥିବା ବେଳେ ରାଜ୍ୟ ସରକାର ଯୁବପିଢ଼ିଙ୍କ ପ୍ରତି ଏଭଳି ମନୋଭାବ ପୋଷଣ କରିବା ଦୁଭାର୍ଗ୍ୟଜନକ। ତେଣୁ ରାଜ୍ୟ ସରକାର ଡାକୋଟା ଜାହାଜ ଦେଖିବା ପାଇଁ ନୁହେଁ ବରଂ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ବୋଲି ସେ କହିଥିଲେ। ପରେ ଶ୍ରୀ ଲେଙ୍କାଙ୍କ ନେତୃତ୍ବରେ ଏକ ୨୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ୩ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସତ୍ୟାଗ୍ରହରେ ନିରଞ୍ଜନ ନାୟକ, ଜ୍ଞାନେନ୍ଦ୍ର ଦାସ, ବୀରେନ ଦଳାଇ, ସତ୍ୟପ୍ରିୟ ସାମଲ, ଜ୍ଞାନରଂଜନ ରାଉତ, ପ୍ରଶାନ୍ତ ମଲ୍ଲିକ, ସୁବ୍ରତ ବେହୁରା, ନିହାର ବେଉରା, ମାନସ ସାହୁ, ବଳରାମ ନନ୍ଦ, ସୁଦୀପ ସାମଲ, ସନ୍ତୋଷ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର