ଓଡ଼ିଶାରେ ଝଡ଼ବାତ୍ୟା ଆଶଙ୍କା, ଚେତାବନୀ ଜାରି କଲା ଭାରତୀୟ ପାଣିପାଗ ବିଭାଗ: ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ

ଭୁବନେଶ୍ୱର: ଓଡ଼ିଶାରେ ସାମୁଦ୍ରିକ ଝଡ଼ବାତ୍ୟା ଆଶଙ୍କା ! ଏକଥା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଗୁରୁବାର ଦିନ ଗୋଟିଏ ସୁଦ୍ଧା ଏହା ଓଡ଼ିଶାର ଗୋପାଳପୁରଠାରୁ ୩୦୦ କିଲୋମିଟର ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗରରେ ରହିଥିଲା । ଏହା ଧୀରେ ଧୀରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗକୁ ଅର୍ଥାତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡକୁ ଗତି କରୁଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆସନ୍ତା କାଲି ପର୍ଯ୍ୟନ୍ତ ପ୍ରବଳ ବେଗରେ ପବନ ବୋହିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ସାଇକ୍ଲୋନିକ ଷ୍ଟର୍ମ ( ସାମୁଦ୍ରିକ ଝଡ)ରେ ପରିଣତ ହେବାର ସମ୍ଭାବନା ବ୍ୟକ୍ତ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଗୁରୁବାର ରାତିରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମୁଦ୍ର ଆସନ୍ତା କାଲି ପର୍ଯ୍ୟନ୍ତ ଅଶାନ୍ତ ରହିବା ସହ ବଡ଼ ବଡ଼ ଢେଉ ଉଠିବ । ଏହି ଝଡ଼ର ପ୍ରଭାବ ଓଡ଼ିଶାର ଗଜପତି, ଗଂଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଓ ଆନ୍ଧ୍ରର ଶ୍ରୀକାକୁଲମ,ବାଶାଖାପାଟଣା, ବିଜୟନଗରମ ଆଦି ଜିଲ୍ଲାରେ ସର୍ବାଧିକ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି ।

ସମ୍ବନ୍ଧିତ ଖବର