କବି ଜୟନ୍ତ ମହାପାତ୍ରଙ୍କ ଶେଷ ଇଚ୍ଛା: ବିଦ୍ୟୁତ୍ ଚୁଲାରେ ଦାହ ହେବ ମୃତଶରୀର…
ମନେ ରହିବ ସରୋଜିନୀଙ୍କ ସେବା, ପତ୍ନୀ ସ୍ବପ୍ନା ଥିଲେ ପ୍ରଥମ ପାଠକ, ସମୀକ୍ଷକ, ସମାଲୋଚକ
କଟକ: ୨୦୦୮ରେ କବି ଜୟନ୍ତ ମହାପାତ୍ର ଲେଖିଥିଲେ ମୋ’ ଶେଷ ଇଚ୍ଛା (ମାଇଁ ଲାଷ୍ଟ ଉଇସ୍)। ୩ଟି କଥା ଲେଖି ସେ ଏହାକୁ ସାହିତ୍ୟିକ ସୁସ୍ମିତା ରଥଙ୍କୁ ଦେଇଥିଲେ। ଇଂରାଜୀରେ ଲିଖିତ ସେହି ଶେଷଇଚ୍ଛା ପତ୍ରର ବିଷୟବସ୍ତୁ ରହିଛି ଏହିଭଳି….
Sambad is now on WhatsApp
Join and get latest news updates delivered to you via WhatsApp
୧) ମୋ’ ମରଶରୀର ଖାନନଗରର ବିଦ୍ୟୁତ ଚୁଲାରେ ଦାହ ହେବ। ଏହା ପୋତା ଯିବ ନାହିଁ। ମୋ’ ମୃତ୍ୟୁ ସମୟରେ ଉପସ୍ଥିତ ଥିବା ମୋର ବନ୍ଧୁ, ଶୁଭେଚ୍ଛୁ ମାନଙ୍କ ଗହଣରେ ମୋର ମୃତଦେହକୁ ଭ୍ୟାନ୍ ଅଥବା ଆମ୍ବୁଲାନ୍ସରେ ନିଆଯିବ। ମୋ ମୃତ୍ୟୁ ପରେ ଯେତେଶୀଘ୍ର ସମ୍ଭବ ଏସବୁ କାର୍ଯ୍ୟ ଶେଷ କରାଯିବ।
୨) ଆମର ବର୍ତ୍ତମାନର ଜମିର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ୨୦ ଫୁଟରେ ୨୦ ଫୁଟର ଜମିକୁ ଶ୍ରୀମତି ଜେ. ସରୋଜିନୀଙ୍କୁ ଦିଆଯିବ, ଯିଏକି ୩୫ ବର୍ଷ ଧରି ବିଶ୍ବସନୀୟତାର ସହ ମୋର ସେବା କରି ଆସିଛନ୍ତି। ମୁଁ ମୋର ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଓ ପୁଅ ମୋହନ ମହାପାତ୍ର ଏକାଠି ବସି ଏ ସଂପର୍କରେ ନିଷ୍ପତ୍ତି ନେଇଥିଲୁ।
୩) ମୋର ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପିକୁ ମୋର ମୃତ୍ୟୁ ପରେ ପୋତି ଦିଆଯିବ।
ମନେ ରହିବ ସରୋଜିନୀଙ୍କ ସେବା
୩୫ ବର୍ଷ ଧରି ଜୟନ୍ତ ମହାପାତ୍ରଙ୍କୁ ସେବା ଯୋଗାଇ ଦେଇ ଆସୁଥିଲେ ଜେ. ସରୋଜିନୀ। ଜୟନ୍ତଙ୍କ ଖାଦ୍ୟପେୟ ଓ ସବୁ ପ୍ରକାର ସହାୟତା ଯୋଗାଇ ଦେଉଥିଲେ ସରୋଜିନୀ। ସରୋଜିନୀଙ୍କର ନିସ୍ବାର୍ଥପର ସେବା ପାଇଁ ତାଙ୍କ ନାମରେ ନିଜ ଘର ପାଖରେ ୪୦୦ ବର୍ଗଫୁଟର ଜମି ଲେଖି ଯାଇଛନ୍ତି ଜୟନ୍ତ। ତାଙ୍କ ପାଇଁ ଘର ବି ତିଆରି କରି ଦେଇଛନ୍ତି। ୧୩ ବର୍ଷ ବୟସରୁ ସରୋଜିନୀ ଜୟନ୍ତଙ୍କ ପରିବାରରେ ରହି ତାଙ୍କ ସେବା କରି ଆସୁଥିଲେ। ଗତ ବର୍ଷ ସରୋଜିନୀଙ୍କ ପରଲୋକ ହୋଇଯାଇଥିଲା।
ପତ୍ନୀ ସ୍ବପ୍ନା ଥିଲେ ପ୍ରଥମ ପାଠକ, ସମୀକ୍ଷକ, ସମାଲୋଚକ
୧୯୨୮, ଅକ୍ଟୋବର ୨୨ରେ କଟକରେ ଜୟନ୍ତ ମହାପାତ୍ରଙ୍କ ଜନ୍ମ। ବାପା ଲେମୁଏଲ୍ ମହାପାତ୍ର ଓ ମା’ ସୁଧାଂଶୁବାଳା ଦାଶଙ୍କର ସେ ଥିଲେ ବଡ଼ ପୁଅ। ବାପା ଥିଲେ କାଠଯୋଡି ହଷ୍ଟେଲରେ ସୁପରିଟେଣ୍ଡେଣ୍ଟ। ପରେ ସେ ସ୍କୁଲ ଇନ୍ସପେକ୍ଟର ହେଲେ। ପତ୍ନୀ ସ୍ବପ୍ନା ମହାପାତ୍ରଙ୍କୁ ଜୟନ୍ତ ପ୍ରେମ ବିବାହ କରିଥିଲେ। ଷ୍ଟିୱାର୍ଟ ସ୍କୁଲରେ ସ୍କୁଲ ଶିକ୍ଷା ପରେ ରେଭେନ୍ସା କଲେଜ, ପାଟଣା ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ପରେ ରେଭେନ୍ସା କଲେଜରୁ ପଦାର୍ଥ ବିଜ୍ଞାନ ଡେମନ୍ଷ୍ଟ୍ରେଟର ଭାବେ କାର୍ଯ୍ୟାରମ୍ଭ କରିଥିଲେ। ପରେ ଅଧ୍ୟାପକ ଭାବେ ଓଡ଼ିଶାର ବିଭିନ୍ନ କଲେଜରେ ଅଧ୍ୟାପନା କରି ୧୯୮୬ରେ ଅବସର ଗ୍ରହଣ କରିଥିଲେ। ୧୯୫୩ରୁ ସେ ଲେଖାଲେଖି ଆରମ୍ଭ କରିଥିଲେ। ପତ୍ନୀ ସ୍ବପ୍ନା ଥିଲେ ତାଙ୍କର ସବୁ ରଚନାର ପ୍ରଥମ ପାଠକ, ସମୀକ୍ଷକ ଓ ସମାଲୋଚକ।
ଶେଷ ସଂକଳନ ‘ଝାଞ୍ଜି’
କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ କବି ଜୟନ୍ତ ମହାପାତ୍ରଙ୍କ କବିତା ସଂକଳନ ‘ଝାଞ୍ଜି’ ଲୋକାର୍ପିତ ହୋଇଥିଲା। ଏହି କବିତା ସଂକଳନର ପ୍ରକାଶକ, ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାର ସ୍ବତ୍ବାଧିକାରୀ ଜୀବାନନ୍ଦ ମିଶ୍ର ମେଡିକାଲ୍ରେ କବି ମହାପାତ୍ରଙ୍କୁ ଭେଟି କବିତା ଗ୍ରନ୍ଥର ପ୍ରଥମ କପିକୁ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କବି ଦୀପକ ସାମନ୍ତରାୟ ଉପସ୍ଥିତ ଥିଲେ। କମ୍ ସମୟ ମଧ୍ୟରେ କବିତା ଗ୍ରନ୍ଥଟିକୁ ରୁଚିପୂର୍ଣ୍ଣ ଢ଼ଙ୍ଗରେ ପ୍ରସ୍ତୁ୍ତି କରିଥିବାରୁ କବି ଜୟନ୍ତ ମହାପାତ୍ର ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରକାଶକ ଜୀବାନନ୍ଦଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଗ୍ରନ୍ଥରେ ୩୯ଟି ‘ଜୟନ୍ତୀୟ’ କବିତା ରହିଛି।
ପାଇପାରିଲେନି କି ଉପଯୁକ୍ତ ସମ୍ମାନ…
ନିଜ ଜନ୍ମମାଟିକୁ ଭଲ ପାଉଥିବା ଜୟନ୍ତ ସବୁ ପ୍ରକାର ସୁବିଧା ସୁଯୋଗ ପାଇ ବି କଟକ ଛାଡ଼ି କୁଆଡେ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଶେଷ ସମୟ ପର୍ଯ୍ୟନ୍ତ ସେ ନିଜ ବାସଭବନ ଚନ୍ଦ୍ରଭାଗାକୁ ଛାଡ଼ି ନଥିଲେ। କିନ୍ତୁ ତାଙ୍କ ଭଳି ପ୍ରଚଣ୍ଡ ପ୍ରତିଭା ସଂପନ୍ନ କବିଙ୍କୁ ଏ ଜାତି, ଏ ମାଟି ଉପଯୁକ୍ତ ସମ୍ମାନ ଓ ସ୍ବୀକୃତି ଦେବାରେ କେଉଁଠି କେମିତି ଅବହେଳା କରି ଦେଇଥିବା ମନେ ହୁଏ। କବି ଜୟନ୍ତ ମହାପାତ୍ରଙ୍କ ପାଇଁ ପଦ୍ମ ସମ୍ମାନ ‘ପଦ୍ମଶ୍ରୀ’ରେ ଅଟକି ଯାଇଥିଲା। ବିଭିନ୍ନ ସମ୍ମାନ ଓ ସ୍ବୀକୃତି ପାଇଥିଲେ ବି ତାଙ୍କର ଯୋଗ୍ୟତା ଆଧାରରେ ସେ ଆହୁରି ଅନେକ କିଛି ପାଇବାର ହକଦାର ଥିଲେ। କିନ୍ତୁ ସବୁ ବେଳେ ସକରାତ୍ମକ ଚିନ୍ତା ରଖୁଥିବା ଜୟନ୍ତଙ୍କର କୌଣସି କଥାରେ ଅଭିଯୋଗ କି ଅନୁଶୋଚନା ବି ନଥିଲା।
ଇଂରାଜୀରେ ସାହିତ୍ୟ ଏକାଡେମି ପୁରସ୍କାର ପାଇବାରେ ଦେଶରେ ପ୍ରଥମ
ଇଂରାଜୀ କବିତା ‘ରିଲେସନ୍ସିପ୍’ ପାଇଁ ୧୯୮୧ରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇବାରେ ଦେଶର ପ୍ରଥମ ବ୍ୟକ୍ତି ହେଉଛନ୍ତି ଡକ୍ଟର ଜୟନ୍ତ ମହାପାତ୍ର। ପଦାର୍ଥ ବିଜ୍ଞାନର ଅଧ୍ୟାପକ ହୋଇ ବି ଇଂରାଜୀ ଓ ଓଡ଼ିଆ କବିତାରେ ତାଙ୍କର ଦକ୍ଷତା ଥିଲା ଅତୁଳନୀୟ।
ପୂରଣ ହୋଇପାରିବନି ଖାନ୍ନଗରରେ ଶେଷକୃତ୍ୟର ଇଚ୍ଛା
କବି ଜୟନ୍ତ ମହାପାତ୍ର ନିଜ ଶେଷ ଇଚ୍ଛାପତ୍ରରେ ତାଙ୍କର ମୃତଦେହ ଖାନ୍ନଗର ଶ୍ମଶାନ ବିଦ୍ୟୁତ୍ ଚୁଲାରେ ସତ୍କାର ହେବ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ଏହି ଚୁଲା ଏବେ ଅଚଳ ଥିବାରୁ ଜୟନ୍ତଙ୍କ ଶେଷଇଚ୍ଛା ପୂରଣରେ ସମସ୍ୟା ଉପୁଜିଛି।