ମାଣ୍ଡିଆ ବିଲରେ ଧାନଚାଷ: ନୀଳଗିରିରେ ଫେଲ୍‌ ମାରିଛି ମିଲେଟ୍‌ ମିସନ

ନୀଳଗିରି: ୨୦୧୭ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମିଲେଟ୍‌ ମିସନ। ଚାଷ ନ ହୋଇ ପଡ଼ିଆ ପଡୁଥିବା ଜମି ଓ ପାହାଡ଼ିଆ ଅଞ୍ଚଳରେ ମାଣ୍ଡିଆ, ବାଜରା ଓ ସରଗମ ଆଦି ଚାଷକରି ଚାଷୀମାନଙ୍କୁ ଲାଭବାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୨୨ ମସିହାରେ ବାଲେଶ୍ବର ଜିଲ୍ଲାରେ ମିଲେଟ୍‌ ମିସନ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ପ୍ରଥମ କରି ବାଲେଶ୍ବର ଜିଲ୍ଲାର ନୀଳଗିରି ଓ ଔପଦା ବ୍ଲକ୍‌ର ୪ ଶହ ହେକ୍ଟର ଜମିରେ ମିଲେଟ୍‌ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେଥିମଧ୍ୟରୁ ନୀଳଗିରି ବ୍ଲକ୍‌ରେ ୫୦ ହେକ୍ଟର ପଡ଼ିଆ ଜମି ଚିହ୍ନଟ କରାଯାଇ ମାଣ୍ଡିଆ, ବାଜରା ଓ ସରଗମ ଚାଷ କରାଯିବାକୁ ଲକ୍ଷ୍ୟ ରହିଥିଲା। ଚଳିତ ଥର ମାଣ୍ଡିଆ ଚାଷ ପାଇଁ ପୂର୍ବରୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ହେକ୍ଟର ପିଛା ୧୦ ହଜାରରୁ ବଢାଇ ଏବେ ୨୬,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ମିଲେଟ୍ ମିସନ ଯୋଜନାରେ ନୀଳଗିରି ଓ ଔପଦା ବ୍ଲକ୍‌ରେ ଚାଷକରିବା ପାଇଁ କୃଷିବିଭାଗ ପକ୍ଷରୁ ସିବିଓ ନାମକ ଏକ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ନୀଳଗିରି ବ୍ଲକ୍‌ରେ ଏହି ସଂସ୍ଥା ୨ ମାସ ତଳେ କୃଷି ବିଭାଗରୁ ବିହନ ସଂଗ୍ରହ କରି କିଛି ହିତାଧିକାରୀଙ୍କୁ ତରବରିଆ ଭାବେ ବାଣ୍ଟିଥିଲା। ବ୍ଲକ୍‌ର ୨ ଶହ ହେକ୍ଟର ଜମିରେ ସଘନ ପ୍ରଣାଳୀରେ ଚାଷ କରିବା ପାଇଁ ୧୧ଟି ପଞ୍ଚାୟତରେ ହିତାଧିକାରୀଙ୍କୁ ବିହନ ବଣ୍ଟନ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। କିନ୍ତୁ ପ୍ରକୃତପକ୍ଷେ କାଗଜପତ୍ର ଅନୁଯାୟୀ ଆବଶ୍ୟକ ପରିମାଣର ଜମିରେ ଚାଷ କରା ନଯାଇ ଅପେକ୍ଷାକୃତ କମ୍‌ ଲୋକଙ୍କୁ ବିହନ ବଣ୍ଟନ କରାଯାଇଛି। ୨ ଶହ ହେକ୍ଟର ଜମିରେ ଚାଷପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ କିଛି ପଞ୍ଚାୟତରେ ଆଦୌ ଚାଷ ହୋଇ ନଥିବା ବେଳେ କିଛି ପଞ୍ଚାୟତରେ ମାତ୍ର ୫ରୁ ୧୦ ଡେସିମିଲ୍‌ ଜମିରେ ମିଲେଟ୍‌ ଚାଷ ହୋଇଛି। ତେବେ ​ଏନେଇ ସମ୍ପୃକ୍ତ ଏନ୍‌ଜିଓ ସଂସ୍ଥା ସହିତ ଯୋଗାଯୋଗ କରିବାରୁ ଅଧିକାଂଶ ଜମିରେ ବିହନ ପଚିଯାଇଥିବା ସଫେଇ ଦେଇଛନ୍ତି।

ଅନ୍ୟପଟେ କୃଷି ବିଭାଗର ମିଲେଟ୍‌ ମିସନ ଦାୟିତ୍ବରେ ଥିବା ଅଧିକାରିଣୀ ମିତାଲି ନାୟକଙ୍କୁ ପଚାରିବାରୁ, ଏନ୍‌ଜିଓ ସଂସ୍ଥା ସଠିକ୍ ତଥ୍ୟ ଦେଇ ନଥିବାରୁ କେତେ ଜମିରେ ଚାଷ ହୋଇଛି କିମ୍ବା କେତେ ଜମିରେ ବିହନ ପଚିଯାଇଛି, ତାହା ଜଣା ନଥିବା କହିଛନ୍ତି। ଉଭୟ ଏନ୍‌ଜିଓ ସଂସ୍ଥା ଏବଂ ବିଭାଗୀୟ ଅଧିକାରୀ ହିତାଧିକାରୀଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶିକୁ ହଡ଼ପ କରିବାକୁ ମସୁଧା କରିଥିବା ଅଭିଯୋଗ ହୋଇଛି। ମିଲେଟ୍‌ ମିସନ ଭଳି ଲୋକାଭିମୁଖୀ ଯୋଜନା ଫେଲ୍ ମାରିବା ପଛରେ କେଉଁମାନଙ୍କର ହାତ ରହିଛି ଜିଲ୍ଲାପାଳ ତଦନ୍ତ କରି ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର