କଣ୍ଟାବାଞ୍ଜି: ନୂଆ ବସଷ୍ଟାଣ୍ଡକୁ ବିରୋଧ କରି ଆଜି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କଣ୍ଟାବାଞ୍ଜି ନଗର କମିଟି ଓ ଅନ୍ୟ ଅନୁଷ୍ଠାନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ପାଳିତ ହେଉଥିବା କଣ୍ଟାବାଞ୍ଜି ବନ୍ଦର ପ୍ରଭାବ ସକାଳୁ ପରିଲକ୍ଷିତ ହୋଇଛି। ଏବେ ସେଠାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏଣେ ଦୋକାନବଜାର ଖୋଲିନାହିଁ। ତେବେ ଏହି ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ଏବଂ ବର୍ତ୍ତମାନ ଥିବା ବସଷ୍ଟାଣ୍ଡର ଆଧୁନିକୀକରଣ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ ହେଉଛି। କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। କଣ୍ଟାବାଞ୍ଜି ସହରର ଅସ୍ଥାୟୀ ବସଷ୍ଟାଣ୍ଡ ରେ ରହିଛି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ। ନୂଆ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଥିବା ୩ ଶହରୁ ଅଧିକ ଦୋକାନୀ ଜୀବିକା ହରାଇବେ, ଯାହାକୁ ନେଇ ଚିନ୍ତା ପ୍ରକଟ କରି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନ ରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି। ସ୍କୁଲ କଲେଜ ସହ ସହ ଜରୁରୀ କାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।
ଏହି ବନ୍ଦ ପାଳନରେ ସଚ୍ଚିକାନ୍ତ ମିଶ୍ର ( ସଭାପତି, ସମଲେଶ୍ୱରୀ ମାର୍କେଟ କମ୍ପ୍ଲେକ୍ସ ), ଦେବାର ବାରିକ, ଲାଲୁ ଟାହାଣୀ, ସତ୍ୟ ମିଶ୍ର, ପ୍ରହଲ୍ଲାଦ ତ୍ରିପାଠୀ, ଗୋପାଳ ନାଗ, ତୁଳସୀ ବେହେରା, ସନ୍ତୋଷ ନନ୍ଦ, ସଚିନ ବାରିକ, ରଘୁନାଥ ମେହେର, ସଞ୍ଜୟ ରାୟ, ବିକାଶ ଷଡ଼ଙ୍ଗୀ, ମନୀଷ ଠାକୁର ସହ ଅନ୍ୟ ସମସ୍ତ ମାର୍କେଟ କଂପ୍ଲେକ୍ସର ଦୋକାନୀମାନେ ସାମିଲ ରହିଛନ୍ତି।