ଗ୍ଲୁଟାଥାଇଅନ୍‌ ଇଞ୍ଜେକ୍ସନ୍: ତ୍ବଚା ପାଇଁ ବରଦାନ, କିଡ୍‌ନି ପାଇଁ ଅଭିଶାପ!

ଆଜିକାଲି ମହିଳା ଓ ପୁରୁଷ ନିର୍ବିଶେଷରେ ତ୍ବଚାର ଯତ୍ନ ପାଇଁ ଏବଂ ତ୍ବଚାକୁ ଉଜ୍ଜ୍ବଳ ଓ କୋମଳ କରିବା ଉପରେ ପ୍ରାୟ ସମସ୍ତେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ପ୍ରସ୍ତୁତ ନାନା ପ୍ରକାର ଔଷଧ ଯୋଗୁଁ ବଜାରରେ ଚର୍ମ-ଯତ୍ନ-ଉପଚାର ଏକ ଲାଭଜନକ ଶିଳ୍ପ ପାଲଟିଛି। ଏହି କ୍ରମରେ ‘ଗ୍ଲୁଟାଥାଇଅନ୍‌’ ଇଞ୍ଜେକ୍ସନ୍‌ ଉକ୍ତ କାରବାରରେ ଏକ ନୂଆ ସଦସ୍ୟ ଭାବେ ଯୋଗ ଦେଇଛି। ଚର୍ମ ପାଇଁ ଆବଶ୍ୟକ ଉତ୍କୃଷ୍ଟ ଆଣ୍ଟିଅକ୍ସିଡାଣ୍ଟ୍ ଭାବେ ବିବେଚିତ ଏହି ଇଞ୍ଜେକ୍ସନ୍ ପ୍ରୟୋଗ ଦ୍ବାରା ତ୍ବଚାରେ ସୁଧାର ଆଣିବାର ମୂଳ ଲକ୍ଷ୍ୟ ସାଧିତ ହୋଇପାରୁଛି, କିନ୍ତୁ ଏହା ଶରୀରର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ ବୃକ୍କ (କିଡ୍‌ନି) ପ୍ରତି କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

‘ଗ୍ଲୁଟାଥାଇଅନ୍‌’ ଏକ ଉତ୍କୃଷ୍ଟ ଆଣ୍ଟିଅକ୍ସିଡାଣ୍ଟ। ଏହାକୁ ତ୍ବଚାରେ ପ୍ରୟୋଗ କଲେ କଳା ଦାଗ ଲିଭିଯିବା ସହ ଚର୍ମ ଉଜ୍ଜ୍ବଳ ତଥା ଯୁବସୁଲଭ ହୁଏ। କିନ୍ତୁ ଦୀର୍ଘଦିନ ଧରି ପ୍ରୟୋଗ କଲେ ବୃକ୍କ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି

ଗ୍ଲୁଟାଥାଇଅନ୍‌ ଔଷଧ ସିଷ୍ଟିନ୍‌, ଗ୍ଲୁଟାମାଇନ୍‌ ଓ ଗ୍ଲାଇସିନ୍‌ ପରି ତିନି ପ୍ରକାରର ଆମିନୋ ଅମ୍ଳକୁ ନେଇ ଗଠିତ। ଏଗୁଡ଼ିକ ବିଶେଷ କରି ଶରୀରରେ ବିଷକ୍ରିୟା, ବୟସାଧିକ୍ୟ ଓ ସୂର୍ଯ୍ୟ କିରଣରେ ରହିଥିବା ଅତିବାଇଗଣୀ ରଶ୍ମି ପରି ବାହ୍ୟ ପ୍ରଦୂଷକ ଯୋଗୁଁ ନଷ୍ଟ ହୋଇଯାଉଥିବା ଜୀବକୋଷଗୁଡ଼ିକୁ ରକ୍ଷା କରିଥା’ନ୍ତି। ତେବେ ଏହି ରାସାୟନିକ ଯୌଗିକଗୁଡ଼ିକ ବଟିକା କି ମଲମ ଆକାରରେ କାମ ଦେଇନଥାଏ, ତେଣୁ ତାହାର ଇଞ୍ଜେକ୍ସନ ସଂସ୍କରଣ ହିଁ ଉଲ୍ଲେଖନୀୟ ଫଳ ଦେଇଥାଏ। ଏହା ଚର୍ମରେ ଥିବା କଳାଦାଗ ଲିଭାଇବା ସହ ତାହାକୁ ଉଜ୍ଜ୍ବଳ ତଥା ଯୁବସୁଲଭ କରିଥାଏ। ଏଥି ସହିତ ଏହା କୌଣସି ପ୍ରକାର ବ୍ରଣ ଉଠିବାକୁ ନଦେଇ ଚର୍ମକୁ କୁଞ୍ଚିତ ହେବାରୁ ରକ୍ଷା କରିଥାଏ। ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହାର ଧାର୍ଯ୍ୟ ମାତ୍ରା ଗ୍ରହଣ କରିବା ଉଚିତ। ତେବେ ଦୀର୍ଘକାଳ ଧରି ଏହାର ପ୍ରୟୋଗ କିଡ୍‌ନି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଅପରପକ୍ଷେ, ସାଧାରଣ ଡାକ୍ତର ବା ଅଣସ୍ବୀକୃତିପ୍ରାପ୍ତ ପେସାଦାରମାନେ ଗ୍ଲୁଟାଥାଇଅନ୍‌ର ନିରାପଦ ମାତ୍ରା ବାବଦରେ ସଚେତନ ନଥା’ନ୍ତି। ତେଣୁ କୌଣସି ବିଜ୍ଞାପନ ପଢ଼ି ଏହାକୁ ପ୍ରୟୋଗ ନକରି ଚର୍ମ ବିଶେଷଜ୍ଞଙ୍କ ସହ ନିୟମିତ ପରାମର୍ଶ ସହ ନିର୍ଦ୍ଦିଷ୍ଟ ମାତ୍ରାର ଇଞ୍ଜେକ୍ସନ ନେବା ଉଚିତ। ଏଥି ସହିତ ଅତି କମ୍‌ରେ ୧୦ଟି ଡୋଜ୍ ପରେ ନିୟମିତ ରକ୍ତ ପରୀକ୍ଷା କରି ବୃକକ୍‌ର କ୍ରିୟାଶୀଳତା ସ୍ଥିତି ଜାଣିବା ମଧ୍ୟ ଜରୁରି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ସମ୍ବନ୍ଧିତ ଖବର