ତରକାରିରୁ ଉଭାନ ହେଲାଣି ଆଳୁ: ପଶ୍ଚିମବଙ୍ଗରେ ୧୭, ରାଜଧାନୀରେ ୩୦
ଖରାରେ ଖାଉଟିଙ୍କ ଚିନ୍ତା ବଢୁଛି
ଭୁବନେଶ୍ବର: ଅନ୍ୟ କୌଣସି ପରିବା ନଥିଲେ ଚଳିଯାଇ ପାରେ, କିନ୍ତୁ ଆଳୁ ବିନା ସ୍ବାଦ ସବୁବେଳେ ଅଧୁରା। ଅଭାବରେ କେବଳ ଆଳୁ ହିଁ ଯଥେଷ୍ଟ। କିନ୍ତୁ ବର୍ତ୍ତମାନ ଆଳୁ କିଲୋ ୩୦ ଟଙ୍କା ହେବା ପରଠାରୁ ନିମ୍ନମଧ୍ୟବିତ୍ତ ପରିବାରଗୁଡ଼ିକ ଭାରି ପ୍ରଭାବିତ ହୋଇଛନ୍ତି। ଆଳୁ ଦର ବଢ଼ି ଯାଇଥିବାରୁ ଅନ୍ୟ ପରିବାଗୁଡ଼ିକର ଦର ମଧ୍ୟ ଅବିଳମ୍ବେ ଉଚ୍ଚା ହୋଇଯିବାର ଆଶଙ୍କା କରନ୍ତି ସୁବାସନଗର ବସ୍ତିର ସସ୍ମିତା ସାହୁ। କେବଳ ଘର ନୁହେଁ, ରାଜଧାନୀର ଜଳଖିଆ ଦୋକାନ, ଗୁପଚୁପ ଠେଲା, ଦହିବରା ଆଳୁଦମ ଠେଲା ଭଳି ଛୋଟ ବ୍ୟବସାୟୀ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି। ପଶ୍ଚିମବଙ୍ଗରେ ଆଳୁ ଦର ଏବେ ଅଛି ୧୭ ଟଙ୍କା। ଭୁବନେଶ୍ବର ପାଇକାରୀରେ ୨୨ ଟଙ୍କା। ଖୁଚୁରା ବଜାରରେ ଦର ୩୦ ଟଙ୍କା ବଳବତ୍ତର ରହିଛି। ଏଥିଯୋଗୁଁ ଖରାରେ ଯେଉଁ ଏକମାତ୍ର ପରିବାର ଆଶ୍ରା ଥାଏ, ତାହା ମଧ୍ୟ ଗରିବ ଓ ନିମ୍ନମଧ୍ୟବିତ୍ତ ପରିବାରଙ୍କ ହାତ ପାହାନ୍ତରୁ ବାହାରି ଗଲାଣି। ହରଡ଼ ଡାଲି କିଲୋ ପିଛା ୧୩୮ରୁ ୧୫୫ ଟଙ୍କା, ବିରି ଡାଲି ୧୨୦ରୁ ୧୩୨ ଟଙ୍କା ଛୁଇଁଛି। ଏଥିଯୋଗୁଁ ଅନେକ ପରିବାରରେ ଡାଲି ରାନ୍ଧିବା କଷ୍ଟକର ହେଉଛି। ଯେଉଁମାନେ ଖାଉଛନ୍ତି, ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ଭାରି ବାଧୁଛି। ଏଭଳି ସ୍ଥିତିରେ ଅମଳ ସମୟରେ ଆଳୁ ଦର ଏତେ ବଢିବା ଚିନ୍ତା ବଢାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ବର୍ଷ ଧରି ରାଜ୍ୟରେ ଡାଲି, ତେଲ, ରସୁଣ ସହିତ ସମସ୍ତ ଖାଦ୍ୟଦ୍ରବ୍ୟର ଦର ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି। କେନ୍ଦ୍ର ସରକାର ଦର ନିୟନ୍ତ୍ରଣ କରିନପାରିବା ଯୋଗୁଁ ଏଭଳି ଅବସ୍ଥା ହେଉଥିବା ନେଇ ବିଭିନ୍ନ ସମୟରେ ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ରାଜଧାନୀକୁ ଦିନକୁ ୧୫୦ରୁ ୨୦୦ ଟନ୍ର ଆବଶ୍ୟକତା ଥାଏ। ଆଜି ପଶ୍ଚିମବଙ୍ଗରୁ ୧୫୦ ଟନ୍ ଭୁବନେଶ୍ବରକୁ ଆସିଛି। ପଶ୍ଚିମବଙ୍ଗରେ ଆଳୁ ଫସଲ ପ୍ରଭାବିତ ହେବା ସହିତ ଅନେକ ଶ୍ରମିକ ଦଣ୍ଡନାଚ ଦେଖିବା ପାଇଁ ଯାଇଥିବାରୁ ଦର ନିୟନ୍ତ୍ରିତ ହୋଇ ପାରୁନାହିଁ। ବର୍ତ୍ତମାନ ଅମଳ ସମୟ ହୋଇଥିବାରୁ ଓଡ଼ିଶାର ନିଜସ୍ବ ଆଳୁ ବଜାରକୁ ଆସିଗଲେ ସ୍ଥିତି ସୁଧୁରିଯିବ ବୋଲି ଆଶା ରହିଛି। ଖୁବ୍ ଶୀଘ୍ର ଆଳୁ ଦର ଖସିବ ବୋଲି ଭୁବନେଶ୍ବର ପାଇକାରୀ ବ୍ୟବସାୟୀ ସଂଘର ଶକ୍ତି ମିଶ୍ର କହିଛନ୍ତି।