ନୋଟିସ୍‌ ଅବଧି ସରିଲା: ତଥାପି ସରିଲାନି ହଂସପାଳ ଫ୍ଲାଏଓଭର

ଆନ୍ଦୋଳନକୁ ଓହ୍ଲାଇବ ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ

ଭୁବନେଶ୍ବର: ‘‘ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାମ ଶେଷ କରିବାକୁ ଠିକା ସଂସ୍ଥାକୁ ନୋଟିସ୍‌ ଦିଆଯାଇଛି। ଏ ଭିତରେ କାମ ନସରିଲେ ଠିକାସଂସ୍ଥା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ଟେଣ୍ଡର ବାତିଲ ମଧ୍ୟ କରାଯିବ।’’ ବର୍ଷ ବର୍ଷ ଧରି ହଂସପାଳ ଫ୍ଲାଏଓଭର ବ୍ରିଜ୍‌ କାମ ସରୁନଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ କିଛି ଏମିତି ପ୍ରତିକ୍ରିୟା ଦେଇଥିଲେ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଭୁବନେଶ୍ବର ଡିଭିଜନ ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ବର ରାଓ। ମାର୍ଚ୍ଚ ମାସ ଶେଷ ହୋଇ ଆହୁରି ୧୫ ଦିନ ବିତିଲାଣି। କିନ୍ତୁ ଏବେ ବି କାମ ସରିନାହିଁ କିମ୍ବା ଠିକାସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ପୂର୍ବ ପରି ଏବେବି ଟ୍ରାଫିକ୍‌ ଯନ୍ତ୍ରଣାରେ ଲୋକେ ଛଟପଟ ହେଉଛନ୍ତି।

ହଂସପାଳ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ଯୋଗୁଁ ଦୀର୍ଘ ୪ ବର୍ଷ ହେବ ପ୍ରତ୍ୟେକ ଦିନ ପ୍ରାୟ ୮ରୁ ୧୦ ଘଣ୍ଟା ଟ୍ରାଫିକ୍‌ ଯନ୍ତ୍ରଣାରେ ଲୋକେ ଘାଣ୍ଟି ହେଉଛନ୍ତି। ଛତିଶଗଡ଼ର ଠିକାସଂସ୍ଥା ବ୍ରିଜେସ୍‌ ଅଗ୍ରୱାଲ୍‌ ବ୍ରିଜ୍‌ କାମ କରୁଛି। ୨୪ କୋଟି ଟଙ୍କାର ବ୍ୟୟ ଅଟକଳର ଏହି ଫ୍ଲାଏଓଭର ବ୍ରିଜ୍‌ ପାଇଁ ୩ଥର ସମୟ ଅବଧି ବଢ଼ାଯାଇ ସାରିଲାଣି। କିନ୍ତୁ ଠିକା ସଂସ୍ଥାର ମନମୁଖୀ ଓ କଚ୍ଛପ ଗତିର କାମ ଯୋଗୁଁ ଏପର୍ଯ୍ୟନ୍ତ ନିର୍ମାଣ ଶେଷ ହେଉନାହିଁ। କାମ ଚାଲୁଥିବାରୁ ସର୍ଭିସ ରୋଡ୍‌ ଜାମ୍‌ ହେ‌ଉଛି। ଫ୍ଲାଏଓଭର ନିକଟରେ ରାସ୍ତା ଖରାପ ଓ ଓସାର କମ୍‌ ଥିବାରୁ ସ୍ବାଭାବିକ ଭାବେ ଗାଡ଼ିଗୁଡ଼ିକର ବେଗ କମୁଛି ଏବଂ ପଛକୁ ପଛ ଲମ୍ବା ଧାଡ଼ି ଲାଗିଯାଉଛି। ପ୍ରତିଦିନ ଭିଡ଼ରେ ଫସୁଛି ହଜାର ହଜାର ଗାଡ଼ି। ଏମିତିକି ଜରୁରୀ ସେବା ମଧ୍ୟ ଠପ୍‌ ହୋଇଯାଉଛି। ବର୍ତ୍ତମାନ ସ୍ଥିତି ଯାହା କାମ ସରିବାକୁ ଆହୁରି ମାସ ମାସ ଲାଗି ଯାଇପାରେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଅବଧି ସରିଥିଲେ ହେଁ କାହିଁକି ଠିକାସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠିଛି। ଉତ୍ତର ଭୁବନେଶ୍ବର ଉନ୍ନୟନ ପରିଷଦ ବଡ଼ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଅନୁଷ୍ଠାନର ସଭାପତି ପ୍ରଭାତ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପଟେ ଶ୍ରୀ ରାଓ କହିଛନ୍ତି ପୂର୍ବରୁ ଠିକାସଂସ୍ଥା କାମ କରୁନଥିଲା। କିନ୍ତୁ ଏବେ କାମ ଜୋରସୋରରେ ଚାଲିଛି। ଆଉ ସପ୍ତାହକ ଭିତରେ ଗୋଟିଏ ପାଖ କାମ ସାରିବାକୁ ଚେଷ୍ଟା ଚାଲିଛି। କଟକରୁ ଭୁବନେଶ୍ବର ପଟର ଫ୍ଲାଏଓଭର ଖୋଲା ଗଲେ ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ। ଏହାପରେ ଅନ୍ୟ ପଟ କାମ ସାରିବାକୁ ଚେଷ୍ଟା କରାଯିବ।

ସମ୍ବନ୍ଧିତ ଖବର