କଟକ: କଟକ ଜିଲ୍ଲାର ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଲଗାତାର ଦ୍ବିତୀୟଥର ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଜେଡି ପ୍ରାର୍ଥୀ ତଥା ବିଧାୟକ ଦେବୀରଂଜନ ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ। ଅନ୍ୟପଟେ ବିଜେପି ତାର ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଇା ଧାରା ଜାରି ରଖି ଏଥର ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତିଙ୍କୁ ସୁଯୋଗ ଦେଇଛି। ୨୦୧୯ରେ ବିଜେପି ପ୍ରାର୍ଥୀ ହୋଇଥିବା ଶୁଭ୍ରାଂଶୁ ମୋହନ ପାଢୀ କିନ୍ତୁ ଦଳ ତାଙ୍କ ପ୍ରାର୍ଥିତ୍ବକୁ ପୁନର୍ବିଚାର କରିବ ବୋଲି ଆଶାବାଦୀ ଅଛନ୍ତି। ଯଦି ଦଳର ନିଷ୍ପତ୍ତି ନ ବଦଳେ ତେବେ ସେ ହୁଏତ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ବିଭିନ୍ନ ମହଲରେ ଆକଳନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି ପ୍ରାର୍ଥୀ ଦେବୀରଂଜନ କହିଛନ୍ତି ଯେ ବାଙ୍କୀ-ବାରଙ୍ଗକୁ କିପରି ଶ୍ରେଷ୍ଠ ନିର୍ବାଚନମଣ୍ଡଳୀଭାବେ ଗଢି ତୋଳାଯିବ, ସେ ଦିଗରେ କାର୍ଯ୍ୟ କରିବା ସହିତ ସବୁଜ, ସମୃଦ୍ଧ, ସ୍ବଚ୍ଛ ଓ ସୁସ୍ଥ ବାଙ୍କୀ ଗଠନ ତାଙ୍କର ଲକ୍ଷ୍ୟ ରହିଛି। କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ ଚଳିତ ନିର୍ବାଚନରେ ବାଙ୍କୀ ନିର୍ବାଚନମଣ୍ଡଳୀର ସାମଗ୍ରୀକ ବିକାଶ ହିଁ ହେବ ମୁଖ୍ୟ ପ୍ରସଙ୍ଗ। ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ନିର୍ବାଚନମଣ୍ଡଳୀରେ କୃଷି, କୃଷକ, ଶୀତଳଭଣ୍ଡାର, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଭଳି ସମସ୍ୟାକୁ ପ୍ରସଙ୍ଗ କରିବେ ବୋଲି କହିଛନ୍ତି। ବାଙ୍କୀ, ବାଙ୍କୀ-ଡମପଡା ଓ ବାରଙ୍ଗ ବ୍ଲକ୍ର ୮ଟି ପଞ୍ଚାୟତକୁ ନେଇ ବାଙ୍କୀ ନିର୍ବାଚନମଣ୍ଡଳୀ ଗଠିତ। ଏଥର ୨୩୭ ବୁଥ୍ରେ ୨ ଲକ୍ଷ ୧୭ ହଜାର ୬୬୭ ଜଣ ଭୋଟର ତାଙ୍କର ମତାଧିକାର ସାବ୍ୟସ୍ତ କରିବେ। ୨୦୦୪ରେ ଦେବାଶିଷ ପଟ୍ଟନାୟକ ବାଙ୍କୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ୨୦୦୯, ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ପ୍ରଭାତ ତ୍ରିପାଠୀ ନିର୍ବାଚନ ଜିତିଥିବା ବେଳେ ୨୦୧୯ରେ ତାଙ୍କ ପୁଅ ଦେବୀରଂଜନ ତ୍ରିପାଠୀ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ।