ଯାଜପୁର : ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ଡ଼ଃ ସଚ୍ଚି ଦାସଙ୍କର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ବିଶେଷ କରି ରାଜ୍ୟର ସମସ୍ତ କଳାକାର ଓ ଅଗଣିତ ଦର୍ଶକଙ୍କୁ ଏହି ଖବର ବ୍ୟଥିତ କରିଛି । ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପିଲା ବେଳୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା । ବୟସ ବଢ଼ିବା ସହିତ ସେ କଳାଜଗତରେ ନିଜକୁ ବେଶ୍ ପ୍ରତିଷ୍ଠିତ କରିଥିଲେ ।
ରାଜ୍ୟର କଳାକାରଙ୍କ ମଧ୍ୟରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଥିଲା। ସେ ଅନେକ ଚଳଚ୍ଚିତ୍ର, ମେଗା ଧାରାବାହିକରେ ଅଭିନୟ କରିବା ସହିତ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଥିଲେ । ବିଶେଷ କରି ଯାତ୍ରା ଜଗତରେ ଜଣେ ନିର୍ଦେଶ ଭାବେ ସେ ବେଶ ସୁନାମ ଓ ଲୋକପ୍ରିୟତା ଅର୍ଜନ କରିଥିଲେ । ତାଙ୍କ ନିର୍ଦେଶନାରେ ଅନେକ ଯାତ୍ରା ବିଶେଷ ଲୋକପ୍ରିୟ ହୋଇ ପ୍ରଶଂସା ସାଉଁଟିଥିଲା ବେଳେ ତାଙ୍କ ନିର୍ଦେଶନାରେ ଶାଗୁଣା ବସିଛି ଡେଣା ମେଲାଇ ନାଟକ ବେଶ ସଫଳ ଓ ଲୋକପ୍ରିୟ ହୋଇଥିଲା ।
କଟକରୁ ତାଙ୍କ ମରଶରୀର ବରୀ ଆନନ୍ଦପୁରସ୍ଥିତ ବାସଭବନକୁ ଅଣାଯାଇ ନିଜ ପୈତୃକ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି ।