ପୁରୀ/କଣାସ/ ଗଡ଼ିଶାଗୋଦା : ଗାଁ’ରେ ଅଧିକ କ୍ଷମତାସଂପନ୍ନ ଟ୍ରାନ୍ସଫର୍ମର ବସାଇଦେବାକୁ କହି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେସୁର କଣାସ କାର୍ଯ୍ୟାଳୟ କିରାଣି ସୁରେନ୍ଦ୍ର ନାୟକ ଓ କାର୍ଯ୍ୟାଳୟ ନିକଟ ଜଣେ ଚା’ ଦୋକାନୀ ମହେନ୍ଦ୍ର ବିଶ୍ବାଳଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ସେସୁ କାର୍ଯ୍ୟାଳୟ ପଛପଟୁ ଭିଜିଲାନ୍ସ ଦୁଇଜଣଙ୍କୁ ଗିରଫ କରିଛି। ଦୁଇଜଣଙ୍କୁ ଅଧିକ ପଚରାଉଚରା ଜାରି ରହିଛି। ସତ୍ୟବାଦୀ ଥାନା ମଝିକେରାରେ ଥିବା କିରାଣି ଶ୍ରୀ ନାୟକଙ୍କ ଭଡ଼ା ଘରେ ବି ଭିଜିଲାନ୍ସ ଚଢ଼ଉ ଜାରି ରଖିଥିବା ପୁରୀ ଭିଜିଲାନ୍ସ ଡିଏସ୍ପି ହରନାରାୟଣ ପତି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ପତିଙ୍କ ସୂଚନା ମୁତାବକ, କଣାସ ବ୍ଲକ ବିନ୍ଧାଣ ପଞ୍ଚାୟତ ପୁରୋହିତ ଗାଁ’ରେ ବହୁଦିନ ହେବ ଲୋ ଭୋଲ୍ଟେଜ ସମସ୍ୟା ଲାଗି ରହିଛି। ଏହାର ସମାଧାନ ପାଇଁ ଗାଁ’ ଲୋକେ ପୂର୍ବରୁ ଲାଗିଥିବା ୧୬ କେଭି ଟ୍ରାନ୍ସଫର୍ମରକୁ ହଟାଇ ୨୫ କେଭି ଟ୍ରାନ୍ସଫର୍ମର ବସାଇବାକୁ ସେସୁ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇଥିଲେ। ତେବେ ଏହି ସମସ୍ୟା ସମାଧାନ ସହ ଉଚ୍ଚ କ୍ଷମତା ସଂପନ୍ନ ଟ୍ରାନ୍ସଫର୍ମର ବସାଇଦେବାକୁ କହି ଶ୍ରୀ ନାୟକ ଗାଁ’ ଲୋକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ସଂପର୍କରେ ଗାଁ’ର କୈଳାସ ମିଶ୍ର ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ପୁରୀ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ ଲାଞ୍ଚୁଆ କିରାଣିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। କୈଳାସ ଆଜି ୧୦ ହଜାର ଟଙ୍କା ଦେବାକୁ କଣାସ ସେସୁ କାର୍ଯ୍ୟାଳୟକୁ ଯାଇଥିବା ବେଳେ କିରାଣି ଶ୍ରୀ ନାୟକ ତାଙ୍କୁ ପାଖ ଚା’ ଦୋକାନରେ ଦେଇ ଦେବାକୁ କହିଥିଲେ। ଚା’ ଦୋକାନୀ ମହେନ୍ଦ୍ର ଏହି ଟଙ୍କା ଗଣି ରଖିବା ପରେ ଏହାକୁ ସେସୁ କାର୍ଯ୍ୟାଳୟ ପଛ ପଟେ କିରାଣି ଶ୍ରୀ ନାୟକଙ୍କୁ ଦେବା ସମୟରେ ପାଖରେ ଜଗି ରହିଥିବା ଭିଜିଲାନ୍ସ ଟିମ୍ ତତ୍କ୍ଷଣାତ୍ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲା। ଏହି ଚଢ଼ଉରେ ଡିଏସ୍ପି ଶ୍ରୀ ପତିଙ୍କ ସମେତ ଭିଜିଲାନ୍ସର ଅଧିକାରୀମାନେ ସାମିଲ୍ ଥିଲେ।