ବାତ୍ୟା ପ୍ରଭାବରୁ ୨୪ ତାରିଖ ସଂଧ୍ୟାରୁ ବର୍ଷା ଆରମ୍ଭ ହେବ, ପବନର ବେଗ ବଢିବ
ଭୁବନେଶ୍ବର : ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ପ୍ରଭାବରେ ଆସନ୍ତା ୨୪ ତାରିଖ ସଂଧ୍ୟାରୁ ହିଁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ିବ । ଏହା ସହିତ ପବନର ବେଗ ବଢିବାକୁ ଆରମ୍ଭ କରିବ । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୨୪ ତାରିଖ ସଂଧ୍ୟାରୁ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ । ୨୫ ତାରିଖ ସଂଧ୍ୟା ବେଳକୁ ଏହା ଘଣ୍ଟା ପ୍ରତି ୭୦ କିଲୋମିଟରକୁ ବୃଦ୍ଧି ପାଇବ । ତେବେ ୨୬ ତାରିଖ ସକାଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଟପିଯ଼ିବ । ସେହିଦିନ ସଂଧ୍ୟା ଅର୍ଥାତ ଲାଣ୍ଡଫଲ ବେଳକୁ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହା ସହିତ ଏହି ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ଓ ବଡ଼ ବଡ଼ ଢେଉ ଉଠିବର ସମ୍ଭାବନା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯ଼ାଇଛି ଯ଼େ ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା କାଲି ଅର୍ଥାତ ୨୩ ତାରିଖ ସକାଳସୁଦ୍ଧା ଏକ ଡିପ୍ରେସନରେ ପରିଣତ ହେବ । ପରଦିନ ଅର୍ଥାତ ୨୪ ତାରିଖ ସୁଦ୍ଧା ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ମେ ୨୬ ତାରିଖ ସକାଳ ବେଳକୁ ଏହା ଉତ୍ତର ବଙ୍ଗୋପସାଗର, ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ ଓ ସେହିଦିନ ସଂଧ୍ୟାରେ ପଶ୍ଚିମବଙ୍ଗ, ଉତ୍ତରଓଡ଼ିଶା ଓ ବାଂଲାଦେଶ ନିକଟରେ ସ୍ଥଳଭାଗ ଛୁଇଁବ ।