ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ: ୧୫ ବର୍ଷର ଚାକିରି, ୨.୫ କୋଟି ସମ୍ପତ୍ତିର ମାଲିକ
କାର୍ଯ୍ୟାଳୟ ଓ ଘର ସମେତ ୫ଟି ସ୍ଥାନରେ ଚଢ଼ଉ
ବାଲେଶ୍ବର/ଭଦ୍ରକ/ସୋର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ସୋର ଗ୍ରାମ୍ୟ ନିର୍ମାଣ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଥ କୁମାର ବେହୁରିଆଙ୍କ କାର୍ଯ୍ୟାଳୟ, ଘର ଓ ସମ୍ପର୍କୀୟଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସନ୍ଧ୍ୟା ସୁଦ୍ଧା ଭିଜିଲାନ୍ସ ଆକଳନ କରିଥିବା ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୨ କୋଟି ୬୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଶ୍ରୀ ବେହୁରିଆ ୨୦୦୭ ମସିହାରେ ଗ୍ରାମ୍ୟ ନିର୍ମାଣ ବିଭାଗରେ କନିଷ୍ଠଯନ୍ତ୍ରୀ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। ୨୦୧୩ ମସିହାରେ ତାଙ୍କ ଚାକିରି ନିୟମିତ ହୋଇଥିବା ବେଳେ ୨୦୧୯ ମସିହାରୁ ସେ ସୋର ଉପଖଣ୍ଡ କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ବାଲେଶ୍ବର ଭିଜିଲାନ୍ସର ୫ଟି ଟିମ୍ ଆଜି ସୋରସ୍ଥିତ ତାଙ୍କ ସରକାରୀ କାର୍ଯ୍ୟାଳୟ, ବାସୁଦେବପୁରସ୍ଥିତ ଶ୍ବଶୁର ଘର, ଭଦ୍ରକ ଜିଲ୍ଲାର ପୈତୃକ ଗାଁ ମଧୁସୂଦନପୁର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଭଦ୍ରକ ବାଗୁରାଇରେ ଥିବା ତାଙ୍କ ଘର ଆଲମିରାରୁ ନଗଦ ୧ ଲକ୍ଷ ୮୩ ହଜାର ୪୧୬ ଟଙ୍କା ଜବତ କରାଯାଇଥିଲା। ଏହାସହ ୨୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୧୯ ଲକ୍ଷ ଟଙ୍କାର ଜୀବନବୀମା, ୧୭ ଲକ୍ଷ ଟଙ୍କାର ସୁନାଗହଣା ଜବତ କରାଯାଇଛି। ସେହିପରି ଶ୍ରୀ ବେହୁରିଆ ଓ ତାଙ୍କ ପତ୍ନୀଙ୍କ ନାଁରେ ବିଭିନ୍ନ ସ୍ଥାନରେ ୧୬ଟି ଜମି ପ୍ଲଟ୍, ବିଭିନ୍ନ ସ୍ଥାନରେ ଘର, ବ୍ୟାବସାୟିକ ପ୍ରତିଷ୍ଠାନ ଆଦି ରହିଥିବା ଜଣାଯାଇଛି। ଏ ନେଇ ତଦନ୍ତ ଜାରି ରହିଥିବା ବାଲେଶ୍ବର ଭିଜିଲାନ୍ସ ଏସ୍ପି ନରହରି ନାୟକ ସୂଚନା ଦେଇଛନ୍ତି।