ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ସଂଜୀବ କୁମାରଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ
କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା ବୈଠକ
ଭବାନୀପାଟଣା: ନୀତି ଆୟୋଗ କେନ୍ଦ୍ର ପ୍ରଭାରୀ ସଂଜୀବ କୁମାର ଶନିବାର କଳାହାଣ୍ଡି ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଏଡିଏମ୍ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ପିଡି ଡିଆର୍ଡିଏ ସୋମେଶ ଉପାଧ୍ୟାୟ, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଧର୍ମଗଡ଼ ଉପଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ କେନ୍ଦ୍ର ପ୍ରଭାରୀ ସଞ୍ଜୀବ କୁମାର କଳାହାଣ୍ଡି ଜିଲ୍ଲାର କୃଷି, ସ୍ବାସ୍ଥ୍ୟ, ଶିକ୍ଷା, କୌଶଳ ବିକାଶ, ଭିତ୍ତିଭୂମି ବିକାଶ, କ୍ଷୁଦ୍ର ଜଳସେଚନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହିତ ଅନେକ କେନ୍ଦ୍ରୀୟ ଯୋଜନାରେ କଳାହାଣ୍ଡି ଜିଲ୍ଲାର ଅଗ୍ରଗତି, ସର୍ବଭାରତୀୟ ସ୍ତରରେ ରେଙ୍କିଙ୍ଗ୍ ହାସଲ କରିଥିବା ମାପଦଣ୍ଡକୁ ସମୀକ୍ଷା କରିବା ସହ ଜିଲ୍ଲାର ଧାନ ଓ କପା ଉତ୍ପାଦନରେ ଉଚ୍ଚ ଲକ୍ଷ୍ୟ ହାସଲ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତୀକରଣ, ଜଳସେଚନ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶରେ ସନ୍ତୋଷ ପ୍ରକାଶ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟକାରିତା, ସ୍ବାସ୍ଥ୍ୟକେନ୍ଦ୍ର, ଗର୍ଭବତୀ ମହିଳା ଓ ଶିଶୁ ସ୍ବାସ୍ଥ୍ୟ, ଶିଶୁ ଟିକାକରଣ, ମହିଳା ସାକ୍ଷରତା, ବିଦ୍ୟାଳୟଗୁଡ଼ିକରେ ଶୌଚାଳୟ, ବିଦ୍ୟୁତୀକରଣ ଆଦି ବ୍ୟବସ୍ଥାରେ ଜିଲ୍ଲାର ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ଭାରତରେ ୧୧୨ଟି ପଛୁଆ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି ଏବଂ ଓଡ଼ିଶାର ୧୦ଟି ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ଅନ୍ୟତମ। ସମୀକ୍ଷା ବୈଠକ ପୂର୍ବରୁ ନୀତି ଆୟୋଗ ପ୍ରଭାରୀ କ୍ଷେତ୍ର ପରିଦର୍ଶନରେ ବୋର୍ଡା ସ୍ବାସ୍ଥ୍ୟକେନ୍ଦ୍ର, ବୋର୍ଭଟାସ୍ଥିତ ନିର୍ମାଣାଧୀନ ହାଇସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ, କାମଠଣାରେ ସ୍ବାସ୍ଥ୍ୟମେଳା ଓ ୱେଲ୍ନେସ୍ କେନ୍ଦ୍ର, ମାଣିକେଶ୍ବରୀ ହାଇସ୍କୁଲ ରୂପାନ୍ତରୀକରଣ, କଲେଜ ଛକସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, କେସିଙ୍ଗା ରୋଡ୍ସ୍ଥିତ ସରକାରୀ ପଲିଟେକ୍ନିକ୍ ସ୍କୁଲକୁ ଯାଇଥିଲେ।