ଅନୁସୂଚିତ ଜନଜାତି ଆୟୋଗ ମାମଲା:  କେନ୍ଦୁଝର ଜିଲ୍ଲାପାଳଙ୍କ ପାଇଁ ଲଢ଼ିବେ ଦାମୀ ଓକିଲ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଗିରଫ କରିବା ପାଇଁ ଜାତୀୟ ଜନଜାତି ଆୟୋଗ ପକ୍ଷରୁ ହୋଇଥିବା ୱା‌ରେଣ୍ଟ ଉପରେ ହାଇକୋର୍ଟରେ ‌ରହିତାଦେଶ ଦେଇଛନ୍ତି। ତେବେ ଜନଜାତି ଆୟୋଗଙ୍କ ନିକଟରେ ପକ୍ଷ ରଖିବା ପାଇଁ ସୁପ୍ରିମକୋର୍ଟର ଖ୍ୟାତନାମା ଓକିଲ ପିଙ୍କି ଆନନ୍ଦଙ୍କୁ ନିଯୁକ୍ତ କରଯାଉଥିବା ଜଣାଯାଇଛି। ଆଇନଜୀବୀ ପିଙ୍କି ଆନନ୍ଦଙ୍କ କୋର୍ଟରେ ଥରେ ଉପସ୍ଥିତି ପାଇଁ ପ୍ରାୟ ୯ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ ବୋଲି ଜଣାପଡ଼ିବା ପରେ ଏହାକୁ ନେଇ ଏବେ ଜୋରଦ‌ା‌ର ଚର୍ଚ୍ଚା ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ଆଦିବାସୀଙ୍କ ସ୍ବାର୍ଥ ସଂପର୍କିତ ମାମଲାରେ  ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଅନୁସୂଚିତ ଜନଜାତି କମିସନଙ୍କ ପକ୍ଷରୁ ନୋଟିସ ହୋଇଥିଲେ ବି ପକ୍ଷ ରଖି ନ ଥିଲେ। ଶେଷରେ  ମାର୍ଚ୍ଚ ୨୧ ତାରିଖରେ ଆୟୋଗ ପକ୍ଷରୁ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ନୋଟିସ କରାଯାଇ ଏପ୍ରିଲ ୪ ତାରିଖ ୪ଟା ବେଳେ ଆୟୋଗଙ୍କ ପାଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯାଇଥିଲା। ମାତ୍ର ଏଥିରେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ରହି ନ ଥିଲେ। ଫଳରେ ଜନଜାତି ଆୟୋଗ ନିଜର କ୍ଷମତା ବଳରେ ଜିଲ୍ଲାପାଳଙ୍କୁ ଗିରଫ ପାଇଁ ୱାରେଣ୍ଟ ଜାରି କରି ଏହାକୁ କାର୍ଯ୍ୟକାରୀ କରିବାକୁ ଡିଜି ସୁନୀଲ କୁମାର ବଂଶଲଙ୍କୁ ଚିଠି କରିଥିଲେ।। ତେବେ ଏହାପରେ ପୁଣ କମିସନଙ୍କ ପକ୍ଷରୁ ୧୯ ତାରିଖରେ ଦିଲ୍ଲୀରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

କିନ୍ତୁ ୧୮ ତାରିଖରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଦେଇଥିଲେ। ଏହି ନିର୍ଦ୍ଦେଶରେ ଜିଲ୍ଲାପାଳଙ୍କ ପକ୍ଷରୁ ତାଙ୍କର ପ୍ରତିନିଧି ଜନଜାତି ଆୟୋଗଙ୍କ ନିକଟରେ ହାଜର ହୋଇ ପାରିବେ ଏବଂ ୬ ସପ୍ତାହ ପରେ ଏହି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା। ଏହାପରେ ଜିଲାପାଳଙ୍କ ପକ୍ଷରୁ ଦିଲ୍ଲୀ ସ୍ଥିତ ଆବାସିକ କମିସନର ଆସନ୍ତା ୨୬ ତାରିଖରେ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ହାଜର ହେବାକୁ ସ୍ଥିର ‌ହୋଇଥିଲେ ହେଁ ତାଙ୍କ ସହିତ ସୁପ୍ରିମକୋର୍ଟର ଖ୍ୟାତନାମା ଓକିଲ ପିଙ୍କି ଆନନ୍ଦ ଯୋଗ ଦେବେ ବୋଲି ଜଣାଯାଇଛି। ତେବେ ପିଙ୍କ ଆାନନ୍ଦଙ୍କ କୋର୍ଟରେ ଗୋଟିଏ ଉପସ୍ଥିତି ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡିଛି। ଏ ସଂପର୍କରେ ଅଡଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ପଠାଇ ସରକାରୀ ଅନୁମୋଦନ ଏବଂ ଆବଶ୍ୟକ ଖର୍ଚ୍ଚ ସଂପର୍କରେ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର