ହାଟଡିହି ମନରେଗା ଦୁର୍ନୀତି: ବ୍ଲକ୍ କର୍ମଚାରୀଙ୍କ ତଥ୍ୟ ମାଗିଲେ ଲୋକାୟୁକ୍ତ
ସେପ୍ଟେମ୍ବର ୧୬ରେ ପରବର୍ତ୍ତୀ ଶୁଣାଣି
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ରେ ହୋଇଥିବା ମନରେଗା ଦୁର୍ନୀତିର ଶୁଣାଣି ଲୋକାୟୁକ୍ତରେ ଚାଲିଛି। ଲୋକାୟୁକ୍ତ ବ୍ଲକ୍ର ସମସ୍ତ କର୍ମଚାରୀଙ୍କ ତଥ୍ୟ ମାଗିଛନ୍ତି। ପୂର୍ବରୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦୁଇଥର ତଥ୍ୟ ମଗା ଯାଇଥିଲା। ନ ମିଳିବାରୁ ଏଥର ଜିଲ୍ଲାପାଳଙ୍କ ସମେତ ଲୋକାୟୁକ୍ତଙ୍କ ତଦନ୍ତ ବିଭାଗକୁ ମଧ୍ୟ ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ରେ ହେବ ବୋଲି ସ୍ଥିର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୫ ତାରିଖରେ ଏହି ମାମଲାର ଶୁଣାଣି ଲୋକାୟୁକ୍ତରେ ଥିଲା। ଶୁଣାଣି ବେଳେ ଦୁର୍ନୀତିରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଜିଲ୍ଲାପାଳ ଦାଖଲ କରିବା କଥା। ମାତ୍ର ଜିଲ୍ଲାପାଳଙ୍କ ପକ୍ଷରୁ ରିପୋର୍ଟ ଦାଖଲ ହୋଇ ନଥିଲା। ସେହିପରି ୨୦୧୫-୧୬ରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହାଟଡିହି ବ୍ଲକ୍ର ୩୧ଟି ପଞ୍ଚାୟତରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏବଂ ଜନ ପ୍ରତିନିଧିଙ୍କ ସମେତ ବ୍ଲକ୍ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ବର୍ତ୍ତମାନର ଅବସ୍ଥିତି ସମ୍ପର୍କରେ ଲୋକାୟୁକ୍ତ ତଥ୍ୟ ମାଗିଥିଲେ। ତାହା ମଧ୍ୟ ମିଳି ନ ଥିଲା। ଶୁଣାଣି ବେଳେ ଲୋକାୟୁକ୍ତଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଆଉଥରେ ରିପୋର୍ଟ ଦେବାକୁ କୁହାଯିବା ସହିତ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଏବଂ ଲୋକାୟୁକ୍ତଙ୍କ ତଦନ୍ତ ବିଭାଗକୁ କର୍ମଚାରୀଙ୍କ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ଏହି ସମୟ ମଧ୍ୟରେ ହାଟଡିହି ବ୍ଲକ୍ରେ କେଉଁ ପଦବିରେ କିଏ ଥିଲେ, ସେତେବେଳେ ସମସ୍ତ ୩୧ଟି ପଞ୍ଚାୟତରେ ଜନପ୍ରତିନିଧିମାନେ କିଏ ଥିଲେ, ଏବେ ସେମାନେ କେଉଁଠି ଅଛନ୍ତି ଏବଂ ସେମାନଙ୍କ ପଦବି କଣ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ହାଟଡିହି ବ୍ଲକ୍ରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତିର ସ୍ବତନ୍ତ୍ର ଅଡିଟ୍ ପରେ ଲୋକାୟୁକ୍ତଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଆକ୍ସନ ଟେକେନ ରିପୋର୍ଟ ମଗାଯାଇଥିଲା। ମାତ୍ର, ଜିଲ୍ଲାପାଳ ଯେଉଁ ରିପୋର୍ଟ ଦେଲେ ତାହା ସନ୍ତୋଷଜନକ ନ ଥିଲା। ମାର୍ଚ୍ଚ ୩୧ ତାରିଖ ଶୁଣାଣି ସମୟରେ ଲୋକାୟୁକ୍ତ ପଞ୍ଚାୟତିରାଜ ବିଭାଗର ରିପୋର୍ଟ ଏବଂ ଜିଲ୍ଲାପାଳଙ୍କ ଆକ୍ସନ ଟେକେନ ରିପୋର୍ଟକୁ ଗ୍ରହଣ କରିନଥିଲେ। ଶୁଣାଣି ବେଳେ ଦର୍ଶାଇଥିଲେ ଯେ, ଏହା ଆକ୍ସନ ଟେକେନ ରିପୋର୍ଟ ନୁହେଁ। ଏହା ଏକ ତଦନ୍ତ ରିପୋର୍ଟ ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ହାଟଡିହି ବ୍ଲକର ମନରେଗା ଯୋଜନାରେ ହୋଇଥିବା ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ପରେ ମାନବାଧିକାର କର୍ମୀ ହିମାଂଶୁ ନାୟକ ସମସ୍ତ ତଥ୍ୟ ପ୍ରମାଣ ସହ ୨୦୨୦ ମସିହା ଅକ୍ଟୋବର ୧୦ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି ବ୍ଲକ୍ କାର୍ଯ୍ୟାଳୟ ସମେତ ସମସ୍ତ ୩୧ଟି ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଅଡିଟ୍ କରାଯାଇଥିଲା। ମୋଟ ୪୦ ଲକ୍ଷ ୮୯ ହଜାର ୨୪ ଟଙ୍କା ଦୁର୍ନୀତି ହୋଇଥିବାରୁ ଦାୟୀ ଅଧିକାରୀଙ୍କଠାରୁ ଏହି ଅର୍ଥ ଆଦାୟ ପାଇଁ ସୁପାରିସ କରାଯାଇଥିଲା।