ତେହେରାନ : ଇରାନ ସରକାର ପ୍ରଥମ ଥର ପାଇଁ ଜଣେ ଆନ୍ଦୋଳକାରୀକୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଫାଶୀ ପାଇଥିବା ବ୍ୟକ୍ତିଙ୍କ ନାଁ ମେହସିନ ସେକାରି ବୋଲି ଇରାନର ନ୍ୟୁଜ ଏଜେନ୍ସି ତାସନିମ କହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଆନ୍ଦୋଳନବେଳେ ଜଣେ ସୁରକ୍ଷାକର୍ମୀଙ୍କୁ ଛୁରୀରେ ଆହତ କରିବା ଏବଂ ତେହେରାନର ରାସ୍ତା ଅବରୋଧ କରିଥିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ଫାଶୀ ଦିଆଯାଇଛି । ସରକାର ବିରୋଧୀ ଅଶାନ୍ତିକୁ ନେଇ ଏପରି ପ୍ରଥମ ଫାଶୀ ଦଣ୍ଡ।
ଇରାନ ସରକାର ଆଗାମୀ ଦିନରେ ଆଉ କିଛି ଆନ୍ଦୋଳନକାରୀଙ୍କୁ ଫାଶୀ ଦେବାର ସମ୍ଭାବନା ରହିଛି । ଏପର୍ଯ୍ୟନ୍ତ ଇରାନ ସରକାର ୬ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏଣୁ ଏମାନଙ୍କୁ ଆଗାମୀ ଦିନରେ ଫାଶୀ ଦିଆଯାଇପାରେ ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ମାସା ଅମିନିଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ୪୮୮ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ବୋଲି ଇରାନୀୟ ମାନବାଧିକାର ସଂସ୍ଥା କହିଛି । ମୃତକଙ୍କ ମଧ୍ୟରେ ୬୦ ଜଣ ଶିଶୁ ଓ ୨୯ ଜଣ ମହିଳା ରହିଛନ୍ତି । ମୃତକଙ୍କ ମଧ୍ୟରେ କିଛି ପୁଲିସ ଓ ରିଭୋଲ୍ୟୁସନାରୀ ଗାର୍ଡ ବି ଅଛନ୍ତି । ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଇରାନ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ ବି ସବୁ ଉଦ୍ୟମ ବିଫଳ ହୋଇଛି ।