ଧନତେରସ୍‌ରେ ସୁନା ବେପାର ଜମିବ: ବିକ୍ରି ଗତବର୍ଷଠୁ ଅଧିକ ରହିବା ଆଶା

ଗ୍ରାହକ ସଂଖ୍ୟା ଦୁଇ ଗୁଣା ବଢ଼ିବ

ଭୁବନେଶ୍ବର: ସୁନା କିଣାର ସବୁଠୁ ବଡ଼ ଅବସର ଧନତେରସ୍‌ ପାଖେଇ ଆସିଥିବା ବେଳେ ସୁନା ବଜାର ବେଶ ଚଳଚଞ୍ଚଳ ହୋଇଉଠିଛି। ସ୍ଥାନୀୟ ଗହଣା ପ୍ରତିଷ୍ଠାନଠାରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସଂସ୍ଥାଗୁଡ଼ିକ ନିଜ ସୋ’ରୁମ୍‌ରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ରଖିଛନ୍ତି। ନୂଆ ଗହଣା ସମ୍ଭାର ଉନ୍ମୋଚନ କରି ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରହିଛି। ଚଳିତ ବର୍ଷ ଧନତେରସ୍‌ରେ ସୁନା କାରବାର ଗତବର୍ଷଠାରୁ ଅଧିକ ରହିବ ବୋଲି ଗହଣା ବ୍ୟବସାୟ ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ଆକଳନ କରିଛନ୍ତି।

ସେ କହିଛନ୍ତି ଯେ ସାଧାରଣତଃ ଓଡ଼ିଶାରେ ଅକ୍ଷୟ ତୃତୀୟ ଓ ଧନ‌ତେରସ୍‌ ସମୟରେ ଅଧିକ ସୁନା ଓ ହୀରା ଗହଣା ବିକ୍ରି ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ଦୁଇଗୁଣା ଅଧିକ ସୁନା ଧନତେରସ୍‌ରେ ବିକ୍ରି ‌ହୁଏ। ଧନତେରସ୍‌ ପଡ଼ୁଥିବା ମାସରେ ଦୁଇ ମାସର ସୁନା ବିକ୍ରି ହୋଇଥାଏ। ସେଥିପାଇଁ ଏହି ସମୟ ସୁନା ବ୍ୟବସାୟୀମାନଙ୍କ ଲାଗି ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଏ। କାହିଁକି ଚଳିତ ବର୍ଷ ସୁନା ବ୍ୟବସାୟ ଉତ୍ସାହଜନକ ରହିବ, ସେ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ ଏମିତିରେ ସ୍ବାଭାବିକ ଭାବେ ଉତ୍ସବ ଋତୁରେ ଅଧିକ ସୁନା ବିକ୍ରି ହୁଏ, କାରଣ ଲୋକମାନଙ୍କ ପାଖରେ ସେହି ସମୟରେ ଅଧିକ ପାଣ୍ଠି ରହିଥାଏ। ଆଗକୁ ବିବାହ ଋତୁ ଆସୁଥିବାରୁ ମଧ୍ୟ ବହୁ ଲୋକ ଅଫରଗୁଡ଼ିକର ଲାଭ ନେଇ ସୁନା କିଣିବାକୁ ଆଗ୍ରହ ଦେଖାଇଥାନ୍ତି। ସେହିପରି, ଯେଉଁମାନେ କୌଣସି କାରଣରୁ ସୁନା କିଣିବା ନିଷ୍ପତ୍ତି ‌ଟାଳି ଦେଇଥିଲେ ଏଥର ସେମାନେ ମଧ୍ୟ କିଣା‌କିଣି କରିବେ। ତେଣୁ ସବୁ ଦୃଷ୍ଟିରୁ ଏଥର ସୁନା ବ୍ୟବସାୟ ଉତ୍ସାହଜନକ ରହିବ ବୋଲି ମନେ ହେଉଥିବା ସେ କହିଛନ୍ତି।

‌ଯେକୌଣସି ସ୍ବାଭାବିକ ଦିନରେ ସୁନା ଦୋକାନକୁ ପ୍ରବେଶ କରୁଥିବା ଗ୍ରାହକମାନେ ମୁଖ୍ୟତଃ କାନଫୁଲ, କାନ ରିଙ୍ଗ, ଝୁମ୍‌କା, ମୁଦି, ଚୁଡ଼ି ଓ ଚେନ୍ ଆଦି କିଣିଥାନ୍ତି। କେବଳ ଆବଶ୍ୟକତା ପୂରଣ କରିବା କିମ୍ବା ଅନ୍ୟ କାହାକୁ ଉପହାର ଦେବା ଲାଗି ସେମାନେ ସେହି ସାମଗ୍ରୀଗୁଡ଼ିକୁ କିଣିଥାନ୍ତି। ହାରାହାରି ଭାବେ ଗ୍ରାହକମାନେ ଦେଢ଼ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାର ସୁନା ଗହଣା କିଣନ୍ତି। ମାତ୍ର ଧନତେରସ ସମୟରେ ହାର ଓ ନେକଲେସ୍ ବିକ୍ରି ବଢ଼ିଯାଏ। ଧନ୍‌ତେରସ୍ ସମୟରେ ଷ୍ଟୋର୍‌ରେ ଦୁଇ ଗୁଣା ଅଧିକ ଗ୍ରାହକ ପ୍ରବେଶ କରିଥାନ୍ତି। ବିଶେ‌ଷ କରି ବିବାହ ଲାଗି ଗହଣା କିଣୁଥିବା ଲୋକମାନେ ହାର କିଣିଥାନ୍ତି। ତେଣୁ ବିବାହ ସପିଙ୍ଗ ବେଳେ ଗ୍ରାହକ ପିଛା ହାରାହାରି ବିକ୍ରି ୫ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ସୁନା ଦୋକାନରେ ବିକ୍ରି ହେଉଥିବା ଗହଣାଗୁଡ଼ିକ ମଧ୍ୟରେ ସୁନା ଗହଣାର ଭାଗ ୬୦ ପ୍ରତିଶତରୁ ଅଧିକ ରହୁଥିବା ବେଳେ ହୀରା ଗହଣାର ଭାଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର