କମିସନ ବଢ଼ାଇବାକୁ ପେଟ୍ରୋଲିୟମ୍ ଡିଲର ସଂଘର ଦାବି

ଭୁବନେଶ୍ବର: ଡିଲରମାନଙ୍କ କମିସନ ବଢ଼ାଇବା ଲାଗି ପେଟ୍ରୋଲିୟମ୍ ଡିଲର ସଂଘ (ପିଡିଏ), ଓଡ଼ିଶା ପକ୍ଷରୁ ତୈଳ ମାର୍କେଟିଂ କଂପାନିଗୁଡ଼ିକୁ ନିବେଦନ କରାଯାଇଛି। ଛଅ ବର୍ଷରୁ ଅଧିକ ସମୟ ଧରି କମିସନରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଶେଷ ଥର ପାଇଁ ୨୦୧୭‌ ଅଗଷ୍ଟରେ କମିସନ ବଢ଼ିଥିଲା। ବହୁ ଦିନ ବିତିଯାଇଥିଲେ ମଧ୍ୟ ଏସଂକ୍ରାନ୍ତରେ ଆଲୋଚନା କରିବା ଲାଗି ମଧ୍ୟ ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ଆଗ୍ରହ ଦେଖାଉନାହାନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜି ସଂଘର କର୍ମକର୍ତ୍ତାମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି।

ଏବେ କିଲୋଲିଟର ପିଛା ପେଟ୍ରୋଲ୍‌ରେ ଡିଲର କମିସନ ୩୩୯୦ ଟଙ୍କା ଥିବା ବେଳେ ଡିଜେଲ୍‌ରେ ୨୧୫୦ ଟଙ୍କା ରହିଛି। ସେଥିରେ ତୁରନ୍ତ ସଂଶୋଧନ କରି ପେଟ୍ରୋଲ୍‌ରେ ଡିଲର କମିସନକୁ କିଲୋଲିଟର ପିଛା ୫୦୦୦ ଟଙ୍କାକୁ ଏବଂ ଡିଜେଲ୍‌ରେ ୪୦୦୦ ଟଙ୍କାକୁ ବଢ଼ାଇବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। କମିସନ ବଢ଼ୁନଥିବାରୁ ଡିଲରମାନେ କ୍ଷତି ସହୁଥିବା ବେଳେ ଅସୁବିଧା ସାମ୍ନା କରୁଛନ୍ତି। ଫଳରେ ସେମାନେ ନିଜ ପେଟ୍ରୋଲ ପମ୍ପ୍ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପେଟ୍ରୋଲ୍ ଓ ଡିଜେଲ୍‌କୁ ଜିଏସ୍‌ଟିରେ ସାମିଲ କରିବା ଲାଗି ମଧ୍ୟ ସଂଘ ଆହ୍ବାନ ଦେଇଛି। ଏହି ଦୁଇ ପ୍ରକାର ତେଲ ଜିଏସ୍‌ଟିରେ ସାମିଲ ହେଲେ ତାହାର ଦାମ୍ କମିବ ଓ ଗ୍ରାହକମାନେ ଆଶ୍ବସ୍ତ ହେବେ ବୋଲି କୁହାଯାଇଛି। ଏହି ଅବସରରେ ସଂଘର ସଭାପତି ଶଶାଙ୍କ ଶେଖର ସାହୁ, କାର୍ଯ୍ୟନିର୍ବାହୀ ସଦସ୍ୟ ହରଗୋବିନ୍ଦ ପ୍ରସାଦ ସାହୁ, ବ୍ରହ୍ମାନନ୍ଦ ସାହୁ, ପ୍ରସନ୍ନ କୁମାର ରାଉତ, ବିଜୟ ଶାହ, ଜୟ କିସନ ଶାହ, ଭବ ନାରାୟଣ ମହନ୍ତ ଓ ଅନିଲ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର