ଦୁର୍ଘଟଣା ପୀଡ଼ିତାଙ୍କ ଠାରୁ ୫୦ ହଜାର ଟଙ୍କା ଚୋରାଇ ନେଲେ ମହିଳା ପୁଲିସ

ପୁଣେ: ବୁଧବାର ଦିନ ପୁଣେ-ମୁମ୍ବାଇ ରାଜପଥରେ ଦୁର୍ଘଟନାର ଶିକାର ହୋଇଥିବା ଜଣେ ମଟରସାଇକେଲ୍‌ ଆରୋହୀଙ୍କୁ ସହାୟତା କରିବାକୁ ଧାଇଁ ଯାଇଥିବା ଜଣେ ମହିଳା ପୁଲିସ ଲୋଭରେ ପଡ଼ି ପୀଡ଼ିତାଙ୍କ ବ୍ୟାଗ୍‌ରୁ ୫୦ ହଜାର ଟଙ୍କା ଚୋରାଇ ନେଇଛନ୍ତି।

ଏମ୍‌ବିଏ ଛାତ୍ରୀ ପ୍ରଣୀତା ନନ୍ଦକିଶୋର ବେନ୍ଦ୍ରେ ନିଜ ବାପାଙ୍କ ସହ ଏକ ଦୁଇଚକିଆ ଗାଡ଼ି ଚଳାଇ ବ୍ୟାଙ୍କ୍‌ରେ ନଗଦ ୫୦ ହଜାର ଟଙ୍କା ଜମା କରିବାକୁ ଯାଉଥିଲେ। ତେଲିଗାଓଁ ଦାଭାଦେ ଥାନା ସମ୍ମୁଖରେ ତାଙ୍କ ଗାଡ଼ି ଏକ ମଟରସାଇକେଲ୍‌ ସହ ମୁହାଁମୁହିଁ ଧକ୍କା ଖାଇଥିଲା।
ଏଥିରେ ପ୍ରଣୀତାଙ୍କ ବାପା ଓ ଅନ୍ୟ ମଟରସାଇକେଲ୍‌ ଆରୋହୀ ଆହତ ହୋଇଥିଲେ।

ଥାନାରେ ଥିବା ୩୨ ବର୍ଷୀୟ ସ୍ୱାତୀ ଯାଦବ ସାହାଯ୍ୟ କରିବାକୁ ଧାଇଁ ଯାଇ ସେମାନଙ୍କୁ ଥାନାକୁ ନେଇ ଆସିଥିଲେ। ଥାନାରେ ବ୍ୟାଗ୍‌ ରଖି ଦେଇ ଚିକିତ୍ସା ପାଇଁ ଯିବାକୁ ସେ ପ୍ରଣୀତାଙ୍କୁ କହିଥିଲେ।

ସନ୍ଧ୍ୟାବେଳେ ପ୍ରଣୀତା ଫେରି ଦେଖିଲେ, ଡିକିରେ ବ୍ୟାଗ୍‌ ନାହିଁ। ପୁଲିସ ବ୍ୟାଗ୍‌ ଖୋଜା ଖୋଜି କଲା। କିଏ ତାଙ୍କ ବ୍ୟାଗ୍‌ ନେଲା ଜାଣିବାକୁ ସିସିଟିଭି ଫୁଟେଜ୍‌ ଯାଞ୍ଚ କଲା।

ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଲା, ଯାଦବ ବ୍ୟାଗ୍‌ନେଇ ଯାଉଛନ୍ତି। ସପ୍ରମାଣ ପଚରା ଯିବାରୁ ସେ ଅପରାଧ ସ୍ୱୀକାର କରିଥିଲେ।
ଓ୍ଵାଦଗାଓଁ ମାବଲ ମାଜିଷ୍ଟେରିଆଲ୍‌ କୋର୍ଟରୁ ଅନୁମତି ଆଣି ସେ ରାତିରେ ପୁଣେ ଗ୍ରାମୀଣ ପୁଲିସ ଯାଦବଙ୍କୁ ଗିରଫ କଲା। କାରଣ ସନ୍ଧ୍ୟା ପରେ ମହିଳାଙ୍କୁ ଗିରଫ କରିବାକୁ ହେଲେ ଅଦାଲତଙ୍କ ଅନୁମତି ଆବଶ୍ୟକ ବୋଲି ସୁପ୍ରିମ୍‌ କୋର୍ଟଙ୍କ ଗାଇଡ୍‌ ଲାଇନ୍‌ ରହିଛି।

ତାଙ୍କୁ ନିଲମ୍ବନ କରିବା ପାଇଁ ପୁଣେ ରୁରାଲ୍‌ ପୁଲିସ ସୁପରିଟେଣ୍ଡେଣ୍ଟ୍‌ଙ୍କୁ ରିପୋର୍ଟ କରାଯାଇଛି।

ସମ୍ବନ୍ଧିତ ଖବର