କେବିସିରୁ ୨୫ ଲକ୍ଷ ଟଙ୍କା ଜିତିଲେ ବସ୍ତାର ଅଜମତ

ବସ୍ତା-୨/ରୂପ୍ସା: କୌନ୍ ବନେଗା କରୋଡପତି (କେବିସି) କରାଇଛି ଲକ୍ଷପତି। ସୋନି ଟିଭିର ଏହି ଲୋକପ୍ରିୟ ରିଆଲିଟି ସୋ’ରେ ଭାଗନେଇ ସଫଳ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଇସୁଆଁ ପଞ୍ଚାୟତ ସିଙ୍ଗାରପୁର ଗ୍ରାମର ସେକ ଅଜମତ। ସ୍ଥାନୀୟ ଅଞ୍ଚଳରେ ସେକ ସାର୍ ନାମରେ ପରିଚିତ ଅଜମତ ପ୍ରାରମ୍ଭିକ ପ୍ରଶ୍ନ-ଉତ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହୋଇଥିଲେ। ଫଳରେ ଗତ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ସେପ୍ଟେମ୍ବର ମାସରେ ଫୋନ୍ ପାଇଥିଲେ। ଅଜମତ ସେଠାରେ ପଚରାଯାଇଥିବା ଏକ ପ୍ରଶ୍ନର ସବୁଠାରୁ କମ୍ ସମୟରେ ଉତ୍ତର ଦେଇ ହୋଷ୍ଟ ତଥା ବଲିଉଡ ସୁପରଷ୍ଟାର୍ ଅମିତାଭ ବଚ୍ଚନଙ୍କ ସମ୍ମୁଖ ହଟ୍ ସିଟରେ ବସିବାର ସୁଯୋଗ ପାଇଥିଲେ। ସେ ମୋଟ ୧୩ଟି ପ୍ରଶ୍ନର ଠିକ୍ ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ଜିତିଥିଲେ।

ଗତ ସୋମବାର କାର୍ଯ୍ୟକ୍ରମଟି ଟେଲିଭିଜନ୍ରେ ପ୍ରସାରିତ ହେବା ପରେ ଅଜମତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ସଦର ବିଧାୟକ ସ୍ୱରୂପ ଦାସ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ପରିବାର ଲୋକଙ୍କ ସହ ଖୁସିରେ କେକ୍ କାଟିଛନ୍ତି। ସୂଚନା ଥାଉକି ଅଜମତଙ୍କ ପରିବାର ଅତ୍ୟନ୍ତ ଗରିବ। ସେ ବିବାହିତ ହୋଇଥିବା ବେଳେ ପତ୍ନୀଙ୍କ ସହ ଦୁଇ ଝିଅ ଓ ବାପା ଅଛନ୍ତି। ଘର ଚଳାଇବା ପାଇଁ ଆଜମତ ଟ୍ୟୁସନ୍ କରନ୍ତି। ଏହା ସହିତ ଗାଁ’ରେ ଏକ ତେଜରାତି ଦୋକାନ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର