ତାତିଲେ ଗ୍ରାମବାସୀ: ‘ପାଣି ଦିଅ, ନହେଲେ ଟାଙ୍କିରୁ ଡେଇଁ ମରିବୁ’

ବସୁଧା ଯୋଜନା ଦିଗହରା

ବାହାନଗା: ‘ଭଲ ପାଣି ମୁନ୍ଦେ ପିଇବାକୁ ଦିଅ। ଗୋଳିଆ ପାଣି ପିଇ ପିଇ ଆମେ ମଲୁଣି। ନହେଲେ ଏହି ପାଣିଟାଙ୍କିରୁ ଡେଇଁକି ମରିବୁ’। ଏଭଳି ଧମକ ଦେଇ ଗାଁ’ରେ ଥିବା ବସୁଧା ଯୋଜନା ପାଣିଟାଙ୍କି ଉପରେ କିଛି ଗ୍ରାମବାସୀ ଚଢ଼ିଥିବା ବେଳେ ଶତାଧିକ ପୁରୁଷ ଓ ମହିଳା ପ୍ରକଳ୍ପ ଆଗରେ ହୋହଲ୍ଲା କରିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାହାନଗା ବ୍ଲକ୍‌ କୁରୁଡ଼ା ଗ୍ରାମରେ।
ବସୁଧା ଯୋଜନାରେ ଗ୍ରାମର ୨ ନମ୍ବର ୱାର୍ଡର ପୁହୁଣିଆ ପୋଖରୀ ଆଡ଼ିରେ ଏକ ପାଣିଟାଙ୍କି ନିର୍ମାଣ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହାର କାମ ଆରମ୍ଭ ହୋଇଥିଲେ ମଧ୍ୟ ଅଢ଼େଇ ବର୍ଷ ହେଲା ତାହା ସରୁନି। କେତେକ ୱାର୍ଡକୁ ପାଇପ୍‌ ସଂଯୋଗ ହୋଇଥିଲେ ମଧ୍ୟ ଆଉ କେତେକ ୱାର୍ଡକୁ ସଂଯୋଗ ହୋଇନାହିଁ। ଦୀର୍ଘଦିନ ଧରି କାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଗାଁ’ରେ ବିଶୁଦ୍ଧ ପାନୀୟଜଳର ବ୍ୟବସ୍ଥା ନଥିବାରୁ ବହୁ ଗ୍ରାମବାସୀ ରୋଗରେ ଆକ୍ରାନ୍ତ ହେଇଛନ୍ତି। ଏନେଇ ଠିକାଦାର ମଧ୍ୟ ସଲାସୁତୁରା କରି ବିନା ସୂଚନାଫଳକରେ ଏବଂ ନିମ୍ନମାନର କଞ୍ଚାମାଲ୍‌ରେ କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ଓ ଗୁହାରି କରିବା ପରେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଗ୍ରାମର କିଛି ଲୋକ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିଲେ ଏବଂ ମାଳତୀ ନାୟକ, ମାଳତୀ ସାହୁ, ସୌଦାମିନୀ ରାଉତ, ରଶ୍ମିତା ପାତ୍ର, ପ୍ରତିଭା ଦାସ, ମଞ୍ଜୁଲତା ଦାସ, ଜ୍ୟୋତ୍ସ୍ନାରାଣୀ ଦାସ, ଉର୍ମିଳା ସାହୁ, ଯମୁନା ରାଉତ, ଜୟନ୍ତୀ ଜେନା, ରଙ୍ଗଲତା ସେଠୀ, ସତ୍ୟଭାମା ପଣ୍ଡା, ମାନସୀ ରାଉତ, ରେବତୀ ବେହେରା, ମଲ୍ଲିମାଳା ଜେନା, ସବିତା ନାୟକ, ବାସନ୍ତୀ ନାୟକ, ସାବିତ୍ରୀ ସେଠୀ, ସାବିତ୍ରୀ ଜେନା ଓ ୱାର୍ଡସଭ୍ୟା ରଶ୍ମିରଞ୍ଜନ ରାଉତଙ୍କ ସହ ବହୁ ଏସ୍‌ଏଚ୍‌ଜି ମହିଳା ନିର୍ମାଣାଧୀନ ପ୍ରକଳ୍ପ ଆଗରେ ହୋହଲ୍ଲା କରିଥିଲେ। ପରେ ବିଭାଗୀୟ ଯନ୍ତ୍ରୀ ରିତାଲି ବେହେରା ଏବଂ ସରପଞ୍ଚ ମିନତୀ ସେଠୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।

ଏନେଇ ବିଭାଗୀୟ ଯନ୍ତ୍ରୀ ରିତାଲି ବେହେରାଙ୍କୁ ପଚାରିବାରୁ ସେ ଗ୍ରାମବାସୀ ସହଯୋଗ କରୁ ନଥିବାରୁ କାମ ବିଳମ୍ବ ହେଉଛି। ତେବେ ଖୁବ୍‌ଶୀଘ୍ର କାମ ସାରି ଲୋକଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ସରପଞ୍ଚ ମିନତୀ ସେଠୀଙ୍କୁ ପଚାରିବାରୁ ଆହୁରି ୨ଟି ୱାର୍ଡକୁ ପାଇପ୍‌ ସଂଯୋଗ ହୋଇନାହିଁ। ଏନେଇ ବିଡିଓ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଦରଖାସ୍ତ ଦିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର