ମାଥିଲି ଆଇଟିଆଇରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ସରକାରୀ ଆଇଟିଆଇ ଓ ମାଥିଲି ଥାନାର ମିଳିତ ଆନୁକୂଲ୍ୟରେ ଆଇଟିଆଇ ପରିସରରେ ମଙ୍ଗଳବାର ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଥିଲି ଆଇଟିଆଇର ଅଧ୍ୟକ୍ଷ ପ୍ରସନ୍ନ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାଥିଲି ଥାନା ଅଧିକାରୀ ଦେବବ୍ରତ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଏସଆଇ ଖ୍ରୀଷ୍ଟଦାନ ବାଘ, ଏଏସଆଇ ପ୍ରଦୀପ କୁମାର ନାୟକ, ତାଲିମ ଅଧିକାରୀ ଲକ୍ଷ୍ମୀକାନ୍ତ ପାଢ଼ୀ ଓ ତାଲିମ ଅଧିକାରୀ ଅରୁଣ କୁମାର ଶତପଥୀ ଯୋଗ ଦେଇ ସାଇବର ସୁରକ୍ଷା ବିଷୟରେ କହିଥିଲେ।

ଯୁବବର୍ଗ ଅଧିକାଂଶ ମୋବାଇଲ ବ୍ୟବହାର କରୁଥିବା ବେଳେ ସେମାନେ ଅଧିକ ସଚେତନ ହେବା ଆବଶ୍ୟକ। ସେମାନେ ପାସୱାର୍ଡ କାହାକୁ ପ୍ରଦାନ ନକରିବା, ବ୍ୟକ୍ତିଗତ ସୂଚନା ପ୍ରଦାନ ନକରିବା, ଅଜଣା ଲିଙ୍କଗୁଡିକୁ କ୍ଲିକ ନକରିବା, ଆପ୍ ଡାଉନଲୋଡ ବେଳେ ସତର୍କତା ଅବଲମ୍ବନ କରିବା, ଅନଲାଇନ ଗେମ୍ ନ ଖେଳିବା, ଫୋନରେ ପଚାରୁଥିବା ବ୍ୟକ୍ତିକୁ ଆଧାର କାର୍ଡ, ପାନ କାର୍ଡ, କେୱାଇସି ଆଦି ପ୍ରଦାନ ନ କରିବା, ଅନଲାଇନ ଚାକିରି ପାଇଁ ଟଙ୍କା ନଦେବା, ଲୋନ କରିବା ଆଶାରେ ଆପ୍ ଡାଉନଲୋଡ ନକରିବା ପାଇଁ ଅତିଥିମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଆଇଟିଆଇ କେନ୍ଦ୍ରର ସହକାରୀ ତାଲିମ ଅଧିକାରୀ ବାବୁ କୁମାର ଦଳାଇ ପରିଚାଳନା କରିଥିଲେ। ଏଥିରେ ଆଇଟିଆଇର ସମସ୍ତ ପ୍ରଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର