ଦାନା ପାଇଁ ଦାଦନ ଯାଇଥିଲେ, ଶବ ହୋଇ ଫେରିଲେ

ହତ୍ୟା ଅଭିଯୋଗ ଆଣିଲେ ବାପା

ବେଲପଡ଼ା/ମଣ୍ଡଳ: ଦାନା ଯୋଗାଡ଼ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ‌ହେଲେ ସେଠାରୁ ଶବ ହୋଇ ଘରକୁ ଫେରିଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଭରୁଆମୁଣ୍ଡା ଗାଁର ସୁନୀଲ ମହାନନ୍ଦ (୧୮ବର୍ଷ)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେଠାରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ହରି ମହାନନ୍ଦ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସା‌ରେ, ଗତ ୯ ତାରିଖ ଦିନ ସୁନୀଲ ତାଙ୍କ କିଛି ସମ୍ପର୍କୀୟଙ୍କ ସହ ତେଲେଙ୍ଗାନାର ୱାରଙ୍ଗଲ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ସେଠ‌ାରେ ଗତ ୧୯ ତାରିଖ ଦିନ ତାଙ୍କ ମୃତ୍ୟୁ ଘଟିଥିଲା। ଏ ସଂପର୍କରେ ୨୦ ତାରିଖ ଦିନ ପରିବାର ଲୋକେ ଖବର ପାଇଥିଲେ। ସୁସ୍ଥ ସବଳ ପୁଅର ମୃତ୍ୟୁକୁ ସ‌ହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ତାଙ୍କୁ ସେଠାରେ ହତ୍ୟା କରାଯାଇଥିବା ପରିବାର ଲୋକେ ବେଲପଡ଼ା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପଟେ ଗାଁକୁ ମୃତଦେହ ଫେରିବା ପରେ ବେଲପଡ଼ା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। କିନ୍ତୁ, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମନା କରିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପରେ ପାଟଣାଗଡ଼କୁ ନେଇ ବ୍ୟବଚ୍ଛେଦ କରାଯାଇଥିଲା। ଏନେଇ ବେଲପଡ଼ା ଆଇଆଇସି ରାଜେନ୍ଦ୍ର ବେହେରାଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର