୭ ମାସ ହେଲା ବିଛିନ୍ନ ଧବଳେଶ୍ବର ପୀଠ

ଝୁଲା ପୋଲ ବନ୍ଦ, ମରାମତି ବି ହେଉନି; କଂକ୍ରିଟ ପୋଲ କାମ ସରୁନି

କଟକ: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରକୁ ୭ ମାସରୁ ଅଧିକ ହେଲାଣି ଶ୍ରଦ୍ଧାଳୁଙ୍କ ପାଇଁ ସହଜ ଆଉ ସ୍ବାଭାବିକ ଗମନାଗମନ ବାଟ ବନ୍ଦ। କିନ୍ତୁ ଏ​ କ୍ଷେତ୍ରରେ ପ୍ରାଶାସନିକ ଶିଥିଳତା ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି। ଝୁଲା ପୋଲକୁ ବନ୍ଦ କରି ଦିଆଯାଇଛି। ମହାନଦୀରେ ଡଙ୍ଗାରେ ଯିବା ବି ବନ୍ଦ। ଏଭଳି ସ୍ଥିତିରେ ମହାନଦୀରେ ନିର୍ମିତ ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବାର ସୁଯୋଗ ରହିଛି। କିନ୍ତୁ ଆଗକୁ ଶ୍ରାବଣ ମାସ ଓ ବର୍ଷା ଋତୁ ଆସୁଥିବା ବେଳେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଯିବେ, ତାହାକୁ ନେଇ ଚିନ୍ତା ବଢୁଛି। ଝୁଲା ପୋଲ ମରାମତି ହେଉନି କି ପୀଠକୁ ସଂଯୋଗ କରିବା ପାଇଁ ନିର୍ମାଣ ଚାଲିଥିବା ପୋଲର କାମ ବି ସରୁନି। ଗଲା ମାର୍ଚ୍ଚ ମାସ ସୁଦ୍ଧା କଂକ୍ରିଟ ପୋଲ କାମ ସରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବାସ୍ତବରେ ଏବେ ବି ପୋଲ କାମ ସରିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ୧୬ବର୍ଷର ୨୦୨୨, ଅକ୍ଟୋବର ୩୦ରେ ଗୁଜୁରାଟରେ ଏକ ଶହେ ବର୍ଷରୁ ଅଧିକ ପୁରୁଣା ଝୁଲ ପୋଲ ଛିଣ୍ଡିବା ପରେ ଏଠି ପ୍ରଶାସନ ଠିକ ତା’ ପରଦିନ ଅର୍ଥାତ୍‌ ଅକ୍ଟୋବର ୩୧ରୁ ଧବଳେଶ୍ବର ଝୁଲାପୋଲରେ ଯିବା ବନ୍ଦ କରି ଦେଲା। ଅକ୍ଟୋବର ୩୦ ପର୍ଯ୍ୟନ୍ତ ସେହି ଝୁଲା ​ପୋଲରେ ଶ୍ରଦ୍ଧାଳୁ ଯାଉଥିବା ବେଳେ ଗୁଜୁରାଟରେ ଦୁର୍ଘଟଣା ହେବାରୁ ଏହାକୁ ହଠାତ ବିପଦସଙ୍କୁଳ ଘୋଷଣା କରି ବନ୍ଦ କରି ଦେବା ପଛର ରହସ୍ୟ ବି କେହି ବୁଝି ପାରୁ ନାହାନ୍ତି। ଧ​ବଳେଶ୍ବର ପୋଲ ହେଉଛି ମାତ୍ର ୧୬ ବର୍ଷ। ଝୁଲାପୋଲ ମରାମତି ବ୍ୟବସ୍ଥା ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ରହିଥିବା ବେଳେ ଏହାକୁ ଯାଞ୍ଚ କରିବା ପାଇଁ କୋଲକାତାରୁ ଏକ ଟିମ୍ ଡକା ଯାଇଥିଲା। କିନ୍ତୁ ସେମାନେ ଯାଞ୍ଚ କରି ଫେରି ଯାଇଥିବା ବେଳେ ଝୁଲାପୋଲ ମରାମତିକୁ ନେଇ ଏଯାଏ କୌଣସି ସୋରଶବ୍ଦ ବି ନାହିଁ। ଝୁଲା ପୋଲର ନିୟମିତ ମରାମତି ଦାୟିତ୍ବ ପାରଦ୍ବୀପର ଏକ ବିଶେଷଜ୍ଞ ଟିମ୍‌ କରିଥାନ୍ତି। କିନ୍ତୁ ପୋଲକୁ ହଠାତ୍‌ ବନ୍ଦ କରି ଦିଆଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହାର ମରାମତି କାମ ହୋଇ ପାରୁନି। ପୂର୍ବରୁ ପଂଚୁକ ସମୟରେ ହଠାତ୍‌ ପୋଲର ଦୁଇଟି କଡି ଛିଣ୍ଡି ଯାଇଥିଲା। ତୁରନ୍ତ ପ୍ରଶାସନ ପୋଲର ଉଭୟ ପଟକୁ ସିଲ୍‌ କରି ଲୋକଙ୍କୁ ବାହାର କରିବା ସହ ଝୁଲାପୋଲର ମରାମତି କରିଥିଲା। ୩ ଘଣ୍ଟା ପରେ ପୁଣି ଦର୍ଶନ ସ୍ବାଭାବିକ ହୋଇଥିଲା। କିନ୍ତୁ ତା’ ପରେ ଆଉ ସ୍ଥାୟୀ ପ୍ରତିକାର ନ କରି ପ୍ରଶାସନ ହାତ ବାନ୍ଧି ବସିଗଲା।

‌୧୬ ବର୍ଷ ପୂର୍ବରୁ ମହାନଦୀରେ ଡଙ୍ଗା ହିଁ ଥିଲା ଧବଳେଶ୍ବର ପୀଠକୁ ଗମନାଗମନର ଏକମାତ୍ର ମାଧ୍ୟମ। ଏବେ କେବଳ ସେହି ଅସ୍ଥାୟୀ ରାସ୍ତା ହିଁ ଭରସା। ଯଦି ବର୍ଷା ହେବ ତାହେଲେ ସେହି ରାସ୍ତା ବୁଡିଯିବ। ସେହି ସମୟରେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଆସି ଦର୍ଶନ କରିବେ? ଧବଳେଶ୍ବର ପୀଠକୁ ମଂଚେଶ୍ବର ପଟୁ ସଂଯୋଗ ପାଇଁ କଂକ୍ରିଟ୍‌ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ଆସନ୍ତା ମା‌ର୍ଚ୍ଚ ମାସ ଶେଷ ସୁଦ୍ଧା ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ପୋଲ ନିର୍ମାଣ ସରିବ ବୋଲି ଆରଡି ବିଭାଗ ପକ୍ଷରୁ କୁହା ଯାଇଥିଲା। ବର୍ଷା ପାଇଁ କାମ ବିଳମ୍ବ ହୋଇଥିବାବେଳେ ୨୨କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ୭ଟି ସ୍ପାନ୍‌ ଉପରେ ନିର୍ମାଣ ହେବାକୁ ଥିବା ସେତୁର ଲମ୍ବ ୨୪୬.୮୦ ମିଟର ଓ ଚଉଡା ୫.୩୦ ମିଟର ରହିବ। ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ଅଶୋକ କୁମାର ସାହୁ କହିବା ଅନୁଯାୟୀ ସେ ନୂତନଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏପଟେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରର ବିକାଶ କରାଯିବ। ଏଥିପାଇଁ ୪୦କୋଟିର ଯୋଜନା କରାଯାଇଛି। ମନ୍ଦିରର ପାରିପାର୍ଶ୍ବିକ ଉନ୍ନୟନ ସହ ୪ଟି ଯାତାୟତ ପଥ, ଆଲୋକୀକରଣ ସହ ପୀଠ ଚାରିପାଖରେ ରିଙ୍ଗରୋଡର ବି ଯୋଜନା କରାଯାଇଛି। ମନ୍ଦିରର ୬୦ମିଟର ପରିସର ଭିତରେ ଯାହା କିଛି ରହିଛି ତାକୁ ଭଙ୍ଗାଯିବ। ଧବଳେଶ୍ବର ପୀଠକୁ ନୂଆ ରୂପ ଦେବାକୁ ଯୋଜନା ଚାଲିଥିଲେ ବି ଏହି ଯୋଜନା ବାସ୍ତବରେ କେବେ କାର୍ଯ୍ୟକାରୀ ହେବ ତାହାକୁ ନେଇ ଆଶଙ୍କା ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର