କାଲିମେଳା ଓ ଯଡାମ୍ବ ଥାନା ଉଦଘାଟନ କଲେ ଡିଜି ଅଭୟ

ମାଲକାନଗିରିରେ ମାଓ ଦମନ ନେଇ ସମୀକ୍ଷା

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଗସ୍ତରେ ଆଜି ପୁଲିସ ଜିଡି ଅଭୟ ଜିଲ୍ଲାର କାଲିମେଳା ଏବଂ ଯଡାମ୍ବ ଠାରେ ନୂତନ ପୁଲିସ ଥାନାକୁ ଉଦଘାଟନ କରିଥିଲେ।ପ୍ରକାଶ ଥାଉକି ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଂଚଳରେ ଥିବା ଯଡାମ୍ବ ଥାନା ନିର୍ମାଣ ହେବା ସହ ଏଠାରେ ପୁଲିସର ପାଦ ପଡିଛି। ସ୍ବାଭିମାନ ଅଂଚଳକୁ ନକ୍ସଲ କବଜା କରିଥିବାରୁ ଯଡାମ୍ବ ଥାନା ଚିତ୍ରକୋଣ୍ଡାରେ ଚାଲୁ ରହିଥିଲା। ଦୁଇ ବର୍ଷ ତଳେ ଏଠାରେ ପୁଲିସର ପାଦ ପଡିବା ପରେ ଏବେ ନୂତନ ଥାନା ମଧ୍ୟ ନିର୍ମାଣ ହୋଇଛି।

ଆଜି ପୁଲିସ ଡିଜି ଅଭୟ ସ୍ବାଭିମାନ ଅଂଚଳର ଯଡାମ୍ବରେ ପହଞ୍ଚି ଏହି ଥାନାକୁ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଡିଆଇଜି ରାଜେଶ ପଣ୍ଡିତ,ଅପରେସନ ଆଇଜି ଅମିତାଭ ଠାକୁର,ଏସପି ପ୍ରହ୍ଲାଦ ସହାୟ ମୀନା,ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ,ଆଇଆଇସି ଅନୀଲ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ପରେ ଡିଜି ଅଭୟ ସ୍ଥାନୀୟ ଲୋକଙ୍କ ସହ ମିଶିଥିଲେ।

ପୁଲିସ ଏଠାରେ ପହଞ୍ଚିବା ପରେ ଡାକ୍ତର ପହଞ୍ଚି ଲୋକଙ୍କ ସେବା କରିବା ଆରମ୍ଭ କଲେ। ଏବେ ପୁଲିସ ଏଠାରେ ଅବସ୍ଥାପିତ ହେବା ପରେ ଆଗକୁ ଏହି ଅଂଚଳର ବିକାଶ ମଧ୍ୟ ତ୍ବରାନ୍ବିତ ହେବ ବୋଲି କହିଥିଲେ। ସ୍ବାଭିମାନ ଅଂଚଳର ବିକାଶ ପାଇଁ ଡିଜି ଅଭୟ ଲଗାତାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏଥିସହ ଏହି ଅଂଚଳର ସମୀକ୍ଷା ମଧ୍ୟ କରୁଛନ୍ତି।ଏଠାରୁ ନକ୍ସଲଙ୍କୁ ସଂପୂର୍ଣ୍ଣ ହଟାଯିବ ବୋଲି ଅଭୟ ପ୍ରତିଶ୍ରୁତି ଦେଇଥିଲେ।

ସ୍ଥାନୀୟ ଅଂଚଳର ଲୋକଙ୍କୁ କମ୍ବଲ ବଣ୍ଟନ କରାଯାଇଥିଲ। ଡିଜି ଅଭୟଙ୍କ ଗସ୍ତକୁ ଦେଖି ମାଲକାନଗିରିରେ ସୁରକ୍ଷାକୁ କଡାକଡି କରାଯାଇଥିଲା। ବିଶେଷକରି ସ୍ବାଭିମାନ ଅଂଚଳରେ ନକ୍ସଲଙ୍କର ଉପସ୍ଥିତି ରହିଥିବାରୁ ବିଏସଏଫ ,ଡିଭିଏଫ ଏବଂ ଏସଓଜି ଯବାନ ମଧ୍ୟ ଜୋରଦାର କୁମ୍ବିଂ କରୁଥିବା ଜଣାପଡିଛି। କୌଣସି ଅଘଟଣକୁ ଏଡାଇବା ପାଇଁ ଗୁଇନ୍ଦା ବିଭାଗକୁ ସଜାଗ ରଖାଯାଇଥିଲା। ମାଲକାନଗିରିରେ ପହଞ୍ଚିବା ପରେ ବିଏସଏଫ ଏବଂ ମାଲକାନଗିରି ପୁଲିସ ସହ ରୁଦ୍ଧ ଦ୍ବାରା ବୈଠକରେ ମାଓ ସମୀକ୍ଷା କରାଯାଇଥିଲା। ମାଲକାନଗିରିରେ ମାଓବାଦୀଙ୍କ ଉପଦ୍ରବ ନଥିଲେ ମଧ୍ୟ ମଝିରେ ମଝିରେ ନକ୍ସଲ କିଛି ନା କିଛି ଅଘଟଣ ଘଟାଇବାରେ ସଫଳ ହେଉଛନ୍ତି । ସେହିପରି ସୀମାନ୍ତ ଛତିଶଗଡର ସୁକମା ଅଂଚଳରେ ନକ୍ସଲଙ୍କର ଦବଦବା ରହିଥିବା ଯୋଗୁଁ କିପରି ମାଲକାନଗିରିକୁ ମାଓମୁକ୍ତ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର