ପିକଅପ୍ ସହ ଅଟୋ ଧକ୍କା: ୧୦ ଗୁରୁତର, ୭ କୋରାପୁଟ ସ୍ଥାନାନ୍ତର

ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ବିଜେ-୨ଛକ ନିକଟରେ ଗୋଟିଏ ପିକଅପ୍ ଭ୍ୟାନ୍ ଅଟୋକୁ ଧକ୍କା ଦେବା ଫଳରେ ୧୦ଜଣ ଗୁରୁତର ଆହାତ ହୋଇଛନ୍ତି। ଦୁର୍ଘଟଣା ପରେ ପିକ୍ ଅଫ୍ ଭ୍ୟାନ ୧୦୦ମିଟର ପର୍ଯ୍ୟନ୍ତ ଅଟୋକୁ ଘୋସାଡି ନେଇଥିଲା। ଗୁରୁତରମାନଙ୍କୁ ୩ଟି ୧୦୮ ଆମ୍ବୁଲାନସରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରଥମେ କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଆଉ ୩ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ବଳକା ୩ଜଣ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ରହିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ସୂଚନା ପାଇ ଆମ୍ବାଗୁଡା ପାଣ୍ଡି ଅଧିକାରୀ ରବୀନ୍ଦ୍ର ନାରାୟଣ ରଥ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ଥିବା ଗାଡ଼ିଗୁଡିକୁ ସାଇଡ୍ କରିବା ସହ ଗୁରୁତର ମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ। ପ୍ରାୟ ଘଣ୍ଟାଏ କାଳ ରାସ୍ତାରେ ଟ୍ରାଫିକ ଜାମ ହେବା ସହ ଜାତୀୟରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ବସ, ଟ୍ରକ ଆଦି ଅଟକି ରହିଥିଲା। ପୁଲିସ ଏହାକୁ ସଜାଡ଼ିବାକୁ ନାକେଦମ୍ ହୋଇଥିଲା। ଗୁରୁତର ଆହତମାନଙ୍କ ମଧ୍ୟରୁ ଜଣେ ୧୧ବର୍ଷର ଶିଶୁ ସହ ୨ଜଣ ପୁରୁଷ ଓ ୭ଜଣ ମହିଳା ରହିଥିଲେ। ଏମାନେ ହେଲେ ରଣ୍ଡାପାଲ୍ଲୀର ଭାନୁମତି ମଣ୍ଡଳ(୫୦),ଦିପାଳୀ ଦତ୍ତା(୫୦),ଆମ୍ବାଗୁଡାର ଜ୍ୟୋତି ଚନ୍ଦ୍ରା (୬୦), ସୁନାବେଡ଼ା ଡିପି କ୍ୟାମ୍ପର ସଂଜିତ ଶୀଳ ଓ ତାଙ୍କ ୧୧ବର୍ଷର ପୁଅ ଶୁଭ୍ରଜିତ, ସରସ୍ବତୀ ଦାଶ(୩୦), ସୁନାବେଡ଼ାର ସୁଚିତ୍ରା ମଣ୍ଡଳ(୩୫), ନିତୁତ ରାୟ(୫୦), ଲକ୍ଷ୍ମୀ ମିସ୍ତ୍ରୀ(୫୦), ଅନଜ କୁମାର ଦତ୍ତା (୧୮) ବୋଲି ସୂଚନା ମିଳିଛି। ପିକଅଫ୍ ଭ୍ୟାନଟି ବୋରିଗୁମ୍ମା ପଟରୁ ଜୟପୁର ଆଡକୁ ଆସୁଥିଲା। ଅଟୋଟି ଜୟପୁର ପଟରୁ ଆମ୍ବାଗୁଡା ନିକଟସ୍ଥ ବିଜେ-୨ ଗାଁରେ ଥିବା ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲା। ବିଜେ-୨ନିକଟରେ ଅଟୋଟି ଅଚାନକ ଗାଁ ମଧ୍ୟକୁ ଯିବା ପାଇଁ କାଟି ଦେଇଥିଲେ। ପିକଅଫ୍ ଟି ସେଠାରେ ଧକ୍କା ଦେବା ସହ ୧୦୦ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା।

ସମ୍ବନ୍ଧିତ ଖବର