ରାତି ପାହିଲେ ପ୍ରଥମାଷ୍ଟମୀ : ମାଧବାନନ୍ଦଜୀଉଙ୍କ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ଗଲା ପଢୁଆଁ ଭାର

ନିଆଳି: ରାତି ପାହିଲେ ପ୍ରଥମାଷ୍ଟମୀ। ପଢୁଆଁ ହେବେ ବଡଠାକୁର। ଏଥିପାଇଁ ଆଜି (ଶୁକ୍ରବାର) ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଗଲା ପଢୁଆଁ ଭାର। ବଡଠାକୁର ଜଗନ୍ନାଥ ଓ ବଡଭାଇ ବଳଭଦ୍ର ମା’ ସୁଭଦ୍ରା ଆସନ୍ତାକାଲି ପଢୁଆଁ ହେବେ। ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ ପର୍ଯ୍ୟନ୍ତ ସବୁକିଛି କାନ୍ଧେଇ ନେଉଛନ୍ତି ସେବାୟତ। ପୁରାଣ ଓ ଲୋକକଥା ଅନୁସାରେ ବଡଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜୀଉ। ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜୀଉ ପକ୍ଷରୁ ପଢୁଆଁ କରାଯାଇଥାଏ। ଏବେ ବିକାଶ ପରିଷଦ ମଧ୍ୟ ପଢୁଆଁ ଭାର ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ମାମୁଁ ଘର ମାଧବାନନ୍ଦଜୀଉ ଟ୍ରଷ୍ଟ ଓ ବିକାଶ ପରିଷଦ ତରଫରୁ ଖଣ୍ଡୁଆପାଟ, ବିରି, ଅରୁଆ ଚାଉଳ, ନଡ଼ିଆ, ଘିଅ, ଭୋଗ, କଦଳୀ ଓ ତୁଳସୀପତ୍ର ଧରି ୩୬ ନିଯୋଗ କାନ୍ଧରେ ଧରି ଆଜି ଭଣଜା ନିକଟକୁ ବାହାରିଛନ୍ତି।

Sambad

ଶନିବାର ଖଣ୍ଡୁଆପାଟ ପିନ୍ଧି ପଢୁଆଁ ହେବେ ତିନି ଠାକୁର। ଭଣଜା ପାଖକୁ ଭାର ଯିବା ସମୟରେ ନିଆଳି ଓ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଶଙ୍ଖ, ଘଣ୍ଟ, ମୃଦଙ୍ଗ, ଶିଙ୍ଗାର, ନୃତ୍ୟ ଓ ଭଜନ ପରିବେଷଣ କରିଛନ୍ତି। ଏହି ପଢୁଆଁ ପରମ୍ପରା ବହୁ ପ୍ରାଚୀନ ଓ ପୁରାତନ। କିନ୍ତୁ କିଛିବର୍ଷ ହେବ ଏହା ବନ୍ଦ ହୋଇଯାଇଥିଲା। ପରେ ୨୦୧୯ ମସିହା ଠାରୁ ପୁଣି ଥରେ ଆରମ୍ଭ ହୋଇଛି ମାମୁଁ ଓ ଭଣଜାଙ୍କ ପଢୁଆଁ ପରମ୍ପରା।

ସମ୍ବନ୍ଧିତ ଖବର