ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସଜେଇ ହେଉଛି ରାଇରଙ୍ଗପୁରର ଗାଁ ଦାଣ୍ଡ

ରାଇରଙ୍ଗପୁର/ବାଦାମପାହାଡ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ମେ ମାସ ୪ ତାରିଖରେ ରାଷ୍ଟ୍ରପତି ତଥା ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟିକୁ ଆସୁଛନ୍ତି ବୋଲି ସୂଚନା ମିଳିଛି। ପୂର୍ବରୁ ତାଙ୍କର ମେ’ ମାସ ୮ ତାରିଖରେ ଓଡ଼ିଶା ଆସିବାର ଥିଲା। ତେବେ ତାଙ୍କର ଏହି ଗସ୍ତରେ ତାରିଖ ପରିବର୍ତ୍ତନ ହୋଇଛି। ସେ ଗତ ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ଜନ୍ମମାଟି ରାଇରଙ୍ଗପୁରକୁ ଆସୁଛନ୍ତି। ଏବେ ତାଙ୍କ ଗସ୍ତକୁ ନେଇ ରାଇରଙ୍ଗପୁରବାସୀଙ୍କ ମନରେ ଉକ୍ରଣ୍ଠା ଓ ଆବେଗ ପ୍ରକାଶ ପାଇଛି ଏବଂ ତାଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଉଥିବା ଦେଖିବାକୁ ମିଳୁଛି।

ପ୍ରାପ୍ତ ସୂଚନା ଅନୁସାରେ ରାଷ୍ଟ୍ରପତି ମେ’ ୪ ତାରିଖ ସକାଳେ ନୂଆଦିଲ୍ଲୀରୁ ବିମାନ ଯୋଗେ ଆସି କଲେଇକୁଣ୍ଡା ବାୟୂସେନା ଘାଟିରେ ପହଂଚିବେ। ସେଠାରୁ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ବାମନଘାଟୀ ଉପଖଣ୍ଡର ବାଦାମପାହାଡ଼ସ୍ଥିତ କଲେଜ ପଡ଼ିଆରେ ନିର୍ମିତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ୩ କିମି ସଡ଼କ ପଥରେ ପାହାଡପୁର ଆସି ତାଙ୍କ ସର୍ଗତଃ ସ୍ୱାମୀ ଶ୍ୟାମଚରଣ ମୁର୍ମୁ, ଦୁଇପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସ୍ମୃତିରେ ସେଠାରେ ସ୍ଥାପିତ କରିଥିବା ଏସ୍ଏଲ୍ଏସ୍ ଟ୍ରଷ୍ଟ ଆବାସିକ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେଠାରୁ ହାଟବାଦଡା ନିକଟସ୍ଥ ସାତପଉଟିଆଠାରେ ଏକ ବ୍ରହ୍ମ କୁମାରୀ ଆଶ୍ରମକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସେ ରାଇରଙ୍ଗପୁର ସହର ନିକଟସ୍ଥ ଦାଣ୍ଡବୋଷ ବିମାନବନ୍ଦରରେ ଅବତରଣ କରିବା ପରେ ସଡକପଥରେ ଆସି ମହୁଲଡିହାସ୍ଥିତ ପୂର୍ତବିଭାଗର ଡାକ ବଙ୍ଗଳାଠାରେ ପହଂଚିବେ। ସେଠାରେ ମଧାହ୍ନ ଭୋଜନ ପରେ ରାଇରଙ୍ଗପୁର ସହରର ମଧ୍ୟରେ ଥିବା ଦେଶ ପାଇଁ ସେବା କରିଥିବା ମହାନପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପୌରପରିଷଦ କାର୍ଯ୍ୟଳୟ ପରିଦର୍ଶନ କରିବେ।

 

Sambad

ସେଦିନ ସନ୍ଧ୍ୟା ସମୟରେ ରାଇରଙ୍ଗପୁର ଷ୍ଟାଡିୟମଠାରେ ପୌରପରିଷଦ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ନଗରବାସୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବେ। ପରେ ସେ ମହୁଲଡିହାସ୍ଥିତ ଡାକବଙ୍ଗଳାରେ ରାତ୍ରୀଯାପନ କରିବେ। ପରଦିନ ଅର୍ଥାତ ମେ ୫ ତାରିଖ ଦିନ ସକାଳୁ ସେ ସଡକପଥ ଦେଇ ଦାଣ୍ଡବୋଷସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳକୁ ଯାଇ ଶ୍ରଦ୍ଧାଞଳି ଅର୍ପଣ କରିବେ। ସେଠାରୁ ଦାଣ୍ଡବୋଷସ୍ଥିତ ଏୟାରଷ୍ଟ୍ରିପ୍‌କୁ ଯାଇ ସେଠାରୁ ହେଲିକ୍ୟାପଟର ଯୋଗେ ଯଶିପୁର ପହଂଚିବେ। ପରେ ସେଠାରୁ ସଡକପଥ ଦେଇ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରିବେ ସେଠାରୁ ସନ୍ଧ୍ୟା ୫ ଟାରେ ଯଶିପୁର ଫେରିବା ପରେ ହେଲିକେପ୍ଟର ଯୋଗେ ବାରିପଦା ଗସ୍ତ କରିବେ ଏବଂ ସେଠାରେ ସର୍କିଟ୍ ହାଉସରେ ରାତ୍ରୀ ଯାପନ କରିବେ। ୬ ତାରିଖ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପରେ ହେଲିକେପ୍ଟର ଯୋଗେ କଲେଇକୁଣ୍ଡା ବାୟୂସେନା ଘାଟିରେ ପହଂଚି ସେଠାରୁ ବିମାନ ଯୋଗେ ଦିଲ୍ଲୀ ଗସ୍ତ କରିବେ ବୋଲି ସୂଚନା ମିଳିଛି।

ତେବେ ରାଷ୍ଟ୍ରପତି ହେବାପରେ ତାଙ୍କ ବାପଘର ଉପରବେଡାଠାରେ ବିଦ୍ୟୁତ ସମସ୍ୟା ଓ ରାସ୍ତାଘାଟ ସମସ୍ୟାର ଦୂର କରାଯାଉଛି। ସେହିପରି ତାଙ୍କ ଶ୍ବଶୁର ଘର ଗ୍ରାମ ପାହାଡପୁରଠାରେ ପ୍ରଥମଥର ପାଇଁ ଦେଶର ପ୍ରଥମ ଗ୍ରାମ ଭାବେ ୫ ଜି ସେବା ଯୋଗାଇ ଦିଆଯାଇଛି। ଏମସିଏଲ୍ ପକ୍ଷରୁ ବିଦ୍ୟାଳୟର ଉନ୍ନତି ନିମନ୍ତେ ୧ କୋଟି ଟଙ୍କା ପ୍ରଦାନ ଏବଂ ଗ୍ରାମରେ ଏକ ମିନିଷ୍ଟାଡିୟମ୍, ସ୍ୱାସ୍ଥକେନ୍ଦ୍ର ନିମନ୍ତେ ୫ କୋଟି ପ୍ରଦାଉଣ କରାଯାଇଥିବା ବେଳେ ଏଲଏଣ୍ଡଟି ପକ୍ଷରୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା କରି ସେଠାକାର ଗ୍ରାହକସେବା କେନ୍ଦ୍ର ମଧ୍ୟ ଉଦଘାଟିତ କରାଯାଇଛି। ସେହିପରି ଏସଏଲଏସ୍ ସ୍କୁଲରେ ରାଜ୍ୟରେ ପ୍ରଥମ କରି ପ୍ରଧାନମନ୍ତ୍ରୀଙ୍କ ମିଶନ ସୌରାୟନ ଯୋଜନାରେ ସୌରୀକରଣ ଉଦଘାଟନ କରାଯାଇଛି। ଏହାବ୍ୟତିତ ଗ୍ରାମଉନ୍ନୟନ ସଂସ୍ଥା ପକ୍ଷରୁ ଗ୍ରାମର ସମସ୍ତ ରାସ୍ତାଘାଟକୁ ଉନ୍ନତ ମାନର ନିର୍ମାଣ କରାଯାଉଛି। ଏହା ବ୍ୟତିତ ମହୁଲଡିହାଠାରେ ୧୭.୮୦ କୋଟି ଟଙ୍କା ବ୍ୟୟବରାଦରେ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ ଆଗକୁ ମଧ୍ୟ ରାଇରଙ୍ଗପୁର ଉପଖଣ୍ଡରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର