ଜିଲ୍ଲାରେ ଅବାଧ ପଥର ଲୁଟ୍‌ : ବିନା ଟିପିରେ ଚାଲିଛି ୪୨ ପଥର ଖାଦାନ

ରାଉରକେଲା: ତହସିଲରୁ ଖଣି ବିଭାଗ ଅଧୀନକୁ ସମସ୍ତ ପଥର ଖାଦାନ ଓ ବାଲିଘାଟ ଆସିବା ପରେ ମାଲ୍‌ମାଲ୍‌ ଠିକା ସଂସ୍ଥା। କାରଣ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ତହସିଲଦାର ଓ ବିଭାଗୀୟ ଅଧିକାରୀ। ସରକାରୀ ନୀତିନିୟମ ଅନୁଯାୟୀ ଚାଲୁ ଖଣିବିଭାଗ ବି ଚୁପ୍‌। ଦୁଇ ବିଭାଗ ମଧ୍ୟରେ ଦ୍ବନ୍ଦର ଭରପୁର ଫାଇଦା ଉଠାଉଛନ୍ତି ଉଭୟ ପଥର ଖାଦାନ ଓ ବାଲିଘାଟ ଲିଜ୍‌ଧାରୀ। ଆଖିବୁଜା ଲୁଟି ଚାଲିଛନ୍ତି। ମାସକୁ ଲକ୍ଷ ଲକ୍ଷ ଟଙ୍କା କମାଉନଥିଲେ ହେଁ, ଟଙ୍କାଟିଏ ରାଜସ୍ବ ଦେଉନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୬୧ଟି ପଥର ଖାଦାନ ଓ ବାଲିଘାଟ ଚାଲିଛି। ୯୩ଟି ଚାଲୁନି। ଚାଲୁନଥିବା ବାଲିଘାଟ ଓ ପଥର ଖାଦାନ ମଧ୍ୟରୁ କେବଳ ୪୨ଟି ହେଉଛି ପଥର ଖାଦାନ। ଖଣିବିଭାଗ ୪୨ଟି ମଧ୍ୟରୁ ଗୋଟିଏ ବି ପଥର ଖାଦାନକୁ ଅନୁମତି‌ ଦେଇନାହାନ୍ତି। ହେଲେ ବିନା ଅନୁମତିରେ ପଥର ଖାଦାନଗୁଡ଼ିକରୁ ଉତ୍ତୋଳିତ ହେଉଛି ଶହ ଶହ ଟ୍ରିପ୍‌ ପଥର। ବିନା ଟିପି (ଟ୍ରାଞ୍ଜିଟ୍‌ ପାସ୍‌)ରେ ପଥର ଖାଦାନରୁ ସିଧାସଳଖ କ୍ରସର ୟୁନିଟ୍‌କୁ ଯାଉଛି। ଟିପ୍ପର ଓ ହାଇୱା ପିଛା ଲିଜ୍‌ଧାରୀ ଠିକାସଂସ୍ଥା ମାଲିକ ସାଢ଼େ ୭ ହଜାରରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ବ୍ଲାଷ୍ଟିଂ ଅନୁଯାୟୀ ଗୋଟିଏ ଗୋଟିଏ ଖାଦାନରୁ ଦିନକୁ ୩୦ରୁ ୫୦ ଟ୍ରିପ୍‌ ପର୍ଯ୍ୟନ୍ତ ପଥର ଚାଲାଣ ହେଉଛି। ସ୍ଥାନୀୟ ଆର୍‌ଆଇ ଓ ପୁଲିସ ସହ ଭିତିରି ସଲାସୁତୁରାରେ ଏସବୁ ବେଆଇନ କାରବାର ଚାଲିଛି।

ମାସକୁ ପାଖାପାଖି କୋଟିଏ ଟଙ୍କାର ରାଜସ୍ବ ସରକାରୀ ତହବିଲକୁ ନ ଯାଇ ସିଧାସଳଖ ଲିଜ୍‌ଧାରୀ ଠିକାସଂସ୍ଥାର ପକେଟକୁ ଯାଉଛି। ରାଉରକେଲା ତହସିଲ ଅଧୀନସ୍ଥ ଝରାବାହାଲ(୧), ଝରାବାହାଲ(୨), ବିଶ୍ରା ତହସିଲର କୁଦରବାହାଲ (୧) ଓ କୁଦରବାହାଲ (୨୦), ଡୁର୍ମେତା, ବିରକେରା, ମହିବେର୍ଣ୍ଣା, ଲାଠିକଟା ତହସିଲର ବଲଣ୍ଡା ପଥର ଖାଦାନ ନଂ ୧, ୨, ୩, ୭, ୯,୧୦ ,୧୧,୧୪,୧୫, ୧୬ ମଧ୍ୟରୁ ଗୋଟିଏକୁ ବି ଖଣିବିଭାଗର ଅନୁମତି ମିଳି ନାହିଁ। କିନ୍ତୁ ଏସବୁ ଖାଦାନରୁ ବେଧଡ଼କ ପଥର ଚାଲାଣ ଚାଲିଛି। ସବ୍‌ଡେଗା ତହସିଲର ପେରୁଆଭାଡି ପଥର ଖାଦାନ (ବି), ପେରୁଆଭାଡି ପଥରଖାଦାନ (ଏ), ଡମକୁଡା ପଥର ଖାଦାନ, ହେମଗିରି ତହସିଲର ସାନ୍‌ ବାଲିଚୁଆଁ ପଥର ଖାଦାନରେ ବି ସମାନ ସ୍ଥିତି। ଲିଜ୍‌ଧାରୀ ବେଆଇନ୍‌ ଭାବେ ମନଇଚ୍ଛା ବିସ୍ଫୋରଣ କରି ଉତ୍ତୋଳନ କରି ଚାଲିଛନ୍ତି। ରାଜଗାଙ୍ଗପୁର ତହସିଲର ରାଜଗାଙ୍ଗପୁର (୧), ରାଜଗାଙ୍ଗପୁର (୩), ରାଜଗାଙ୍ଗପୁର (୪), ଜଉରମାଳ (୧) ଓ ଜଉରମାଳ (୨), ଭାଗଟୋଲା, କାଂଶବାହାଲ, କୁଆରମୁଣ୍ଡା ତହସିଲର ଡୁମଗିରି ପଥର ଖାଦାନ (୩), ଲହୁଣିପଡା ତହସିଲର ଜମିରଡିହି, ଦଳେଇସରା, କୋଇଡା ତହସିଲର ତୋଡା ପଥର ଖାଦାନ ଓ ସିଆନବାହାଲ, ଠେଲାକୁଦର ପଥର ଖାଦାନ (୨)କୁ ବି ଖଣିବିଭାଗ ଅନୁମତି ଦେଇନି। ତଥାପି ଲିଜ୍‌ଧାରୀ ଠିକାସଂସ୍ଥା ବେଆଇନ ଉତ୍ତୋଳନ କରି ଚାଲିଛନ୍ତି।

ଗୁରୁଣ୍ଡିଆ ତହସିଲର ବଡଭାଲୁତା ପଥର ଖାଦାନ, ଭାଲୁଡୁଙ୍ଗୁରି, ଖଣ୍ଡାପାଟ, ସାନମୁଷାପୋଷ (୧) ଓ (୨) ପଥର ଖାଦାନକୁ ଖଣିବିଭାଗ ଅନୁମତି ଦେଇନି। ବିନା ଟିପିରେ ଲିଜ୍‌ଧାରୀ ଠିକାସଂସ୍ଥା ଶହ ଶହ ଟ୍ରିପ୍‌ ପଥର ଲୁଟ୍‌ କରି ଚାଲିଛନ୍ତି। ଏ ସଂକ୍ରାନ୍ତରେ ରାଉରକେଲା ଖଣି କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ବି. ସେଠୀ କହିଛନ୍ତି, ଏଯାଏ କୌଣସି ପଥରଖାଦାନକୁ ଅନ୍‌ଲାଇନ୍‌ ଟିପି ଦେଇନାହୁଁ। ଟିପି ନ ମିଳିବା ପର୍ଯ୍ୟନ୍ତ ଖାଦାନରୁ ପଥର ଉତ୍ତୋଳନ କରାଯାଇପାରିବ ନାହିଁ। ଯେଉଁମାନେ ଉତ୍ତୋଳନ କରୁଛନ୍ତି, ତାକୁ ଆମେ ବେଆଇନ ବୋଲି ଧରିବୁ। ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ କହିଛନ୍ତି, ଆମେ ଖଣିବିଭାଗକୁ ହସ୍ତାନ୍ତର କରିଦେଇଛୁ। ସେମାନେ ଟିପି ଦେବେ। ଆମର କିଛି କ୍ଷମତା ନାହିଁ।

ସମ୍ବନ୍ଧିତ ଖବର