ଯୋଗାଣ ବିଭାଗରେ ଏବେ ବି ଭୂତ କାର୍ଡ! କୁଆଡେ ଗଲେ ୪ ହଜାର ହିତାଧିକାରୀ ?

ଫେରିଗଲା ୪୦ ଲକ୍ଷ ସହାୟତା ଟଙ୍କା

ରାଉରକେଲା: ନିର୍ବାଚନ ପୂର୍ବରୁ ସରକାର ପିଡିଏସ୍‌ କାର୍ଡଧାରୀଙ୍କୁ ବଣ୍ଟନ କରିଥିଲେ ୧୦୦୦ ଟଙ୍କା। ଏହି ସହାୟତା ବଣ୍ଟନରୁ ଯୋଗାଣ ବିଭାଗର କେଳେଙ୍କାରୀ ପଦାକୁ ଆସିଛି। ହିତାଧିକାରୀ ନ ମିଳିବାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ସହାୟତା ଫେରିଯାଇଛି। ତା’ ୧୦୦ କି ୨୦୦ ନୁହେଁ, ପ୍ରାୟ ୪ ହଜାର କାର୍ଡଧାରୀଙ୍କ ସହାୟତା ଫେରିଛି। ‘ୱାନ୍‌ ନେସନ୍‌ ୱାନ୍‌ କାର୍ଡ’ ବ୍ୟବସ୍ଥା, ହିତାଧିକାରୀଙ୍କ ଆଖି ସ୍କାନ୍‌, ଅଙ୍ଗୁଳି ଟିପଚିହ୍ନ ପସ୍‌ ମେସିନ୍‌ରେ ମେଳ ନ ହେବାରୁ ଟଙ୍କା ଦିଆଗଲା ନାହିଁ ବୋଲି କହାଯାଉଛି। ହେଲେ ଯେଉଁ ୪ ହଜାର କାର୍ଡଧାରୀଙ୍କ ସହାୟତା ଟଙ୍କା ଫେରିଗଲା, ସେମାନେ ଗଲେ କୁଆଡ଼େ ? ଏମାନଙ୍କ ନାଁରେ ମାସକୁ ମାସ ଉଠାଯାଉଥିବା ଶହ ଶହ କ୍ବିଣ୍ଟାଲ ପିଡିଏସ୍‌ ଚାଉଳ କେଉଁମାନଙ୍କୁ ଦିଆଯାଉଥିଲା ? ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ରାଉରକେଲା ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୬୬ ହଜାରରୁ ଅଧିକ ରାସନ କାର୍ଡଧାରୀ ରହିଛନ୍ତି। ଗତ ପେବ୍ରୁଆରି ୨୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରାସନ କାର୍ଡ ପିଛା ୧୦୦୦ ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଗଲା। ପ୍ରତ୍ୟେକ କଣ୍ଟ୍ରୋଲ ଦୋକାନରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କର୍ମଚାରୀ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଉଥିଲେ। ଟଙ୍କା ଦେବା ପୂର୍ବରୁ କାର୍ଡଧାରୀଙ୍କ ଆଧାରକାର୍ଡ ଯାଞ୍ଚ କରାଯିବା ସହ ଅଙ୍ଗୁଳି ଟିପଚିହ୍ନ ଓ ଆଖି ସ୍କାନ୍‌ କରାଯାଉଥିଲା। ସବୁକିଛି ଠିକ୍‌ ହେବା ପରେ କାର୍ଡଧାରୀଙ୍କୁ ଆର୍‌ଏମ୍‌ସି କର୍ମଚାରୀ ୧୦୦୦ ଟଙ୍କା ଦେଉଥିଲେ। ଗତ ଫେବ୍ରୁଆରି ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଯେଉଁ ବୃଦ୍ଧବୃଦ୍ଧାମାନଙ୍କ ଟିପ ଚିହ୍ନ ଓ ଆଖି ସ୍କାନର୍‌ ମେସିନ୍‌ରେ ମେଳ ଖାଉ ନଥିଲା, ତାଙ୍କୁ ବି ୧୦୦୦ ଟଙ୍କା ଦେଇ ଦିଆଯାଉଥିଲା। ୨୫ ତାରିଖ ପରେ ଏହି ନିୟମକୁ କଡ଼ାକଡି କରାଯାଇଥିଲା। ଅର୍ଥାତ୍‌ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ବଣ୍ଟନରେ ଅଧିକାଂଶ ବୃଦ୍ଧବୃଦ୍ଧା କଟକଣାରୁ ୧୦୦୦ ଟଙ୍କା ପାଇପାରିଲେ ନାହିଁ। ଘଣ୍ଟାଘଣ୍ଟା ଛିଡ଼ା ହୋଇ କଣ୍ଟ୍ରୋଲ ଦୋକାନରୁ ନିରାଶ ହୋଇ ଫେରିଗଲେ। ମାର୍ଚ୍ଚ ୭ ସୁଦ୍ଧା ଆର୍‌ଏମ୍‌ସି କର୍ମଚାରୀ କେଉଁ କଣ୍ଟ୍ରୋଲ ଦୋକାନରେ କେତେ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଲେ, ତା’ର ବିସ୍ତୃତ ତାଲିକା ଯୋଗାଣ ବିଭାଗକୁ ପ୍ରଦାନ କଲେ। ପ୍ରାୟ ୪ ହଜାର କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ମିଳିପାରିଲା ନାହିଁ।

ଆଶ୍ଚର୍ଯ୍ୟ କଥା, ଯେଉଁମାନେ ଟଙ୍କା ପାଇଲେ ନାହିଁ, ସେମାନଙ୍କୁ ବି ୨ଟି ଲେଖାଏ ବ୍ୟାଗ୍‌ ଦିଆଗଲା। ତଥାପି ହିତାଧିକାରୀ ନଥିବାରୁ କିଛି ବ୍ୟାଗ୍‌ ବଣ୍ଟାଯାଇ ପାରିଲା ନାହିଁ। ଯାହା ଏବେ କଣ୍ଟ୍ରୋଲ ଦୋକାନ ଓ ଯୋଗାଣ ବିଭାଗ ଗୋଦାମରେ ସେମିତି ପଡ଼ିଛି। ଯଦି ୪ ହଜାର କାର୍ଡର ହିତାଧିକାରୀ ୫୦% ଅର୍ଥାତ୍‌ ୨୦୦୦ କାର୍ଡ ବୃଦ୍ଧବୃଦ୍ଧା ଓ ବାହାରକୁ କାମ କରିବାକୁ ଯାଇଥିବା ଲୋକଙ୍କରୟ ବୋଲି ଧରାଯାଏ, ତାହେଲେ ଅବଶିଷ୍ଟ ୨ ହଜାର କାର୍ଡ ଅର୍ଥାତ୍‌ ପାଖାପାଖି ୬ରୁ ୭ ହଜାର ହିତାଧିକାରୀଙ୍କ ଚାଉଳ କାହା ପକେଟ୍‌କୁ ଯାଉଥିଲା, ତା’ର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସ‌ଚେତନ ହିତାଧିକାରୀମ‌ାନେ ଦାବି କରିଛନ୍ତି। ସହକାରୀ ଯୋଗାଣ ଅଧିକାରୀ ସୋନାଲି ଖରା କହିଛନ୍ତି, ଚାଉଳ ୯୦ରୁ୯୪% ହୋଇଥାଏ। ତେଣୁ ୪ ହଜାର ଲୋକଙ୍କ ମଧ୍ୟରୁ କିଛି ବାହାରକୁ ଚାଲିଯାଇଛନ୍ତି। ଆଉ କିଛି ହିତାଧିକାରୀ ସରକାର କଟକଣା ଯୋଗୁ ୧୦୦୦ ଟଙ୍କା ପାଇପାରିନାହାନ୍ତି। ଅଧିକ ହିତାଧିକାରୀ ହୋଇଥିଲେ, ସନ୍ଦେହ ଉପୁଜିଥାଆନ୍ତା। ତେଣୁ ଭୂତ କାର୍ଡ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବାଲୁଘାଟରେ ଚାଉଳ ହେରଫେର ଘଟଣାରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଜଣେ କଣ୍ଟ୍ରୋଲ ଦୋକାନୀଙ୍କୁ ନିଲମ୍ବିତ କରିଥିଲେ। ଗତ ଦୀପାବଳି ଛୁଟିଦିନରେ ଯୋଗାଣ ଗୋଦାମରୁ ୨୦୦ କ୍ବିଣ୍ଟାଲ ପିଡିଏସ୍‌ ଚାଉଳ ବଡଗାଁ ଅଞ୍ଚଳକୁ ଚାଲାଣ ହେଉଥିଲା। ହନୁମାନବାଟିକାରେ ସ୍ଥାନୀୟ ଲୋକେ ଟ୍ରକକୁ ଧରି ଯୋଗାଣ ବିଭାଗକୁ ହସ୍ତାନ୍ତର କରିଥିଲେ। ଅନୁରୂପ ଭାବେ ସେକ୍ଟର-୫ ଭିଆଇପି ମାର୍କେଟରୁ ୧୦ କ୍ବିଣ୍ଟାଲ ପିଡିଏସ୍‌ ଚାଉଳ ଇସ୍ପାତ ମାର୍କେଟକୁ ବିକ୍ରି ହେବାକୁ ଯାଉଥିଲା ବେଳେ ଧରାପଡିଥିଲା।

ସମ୍ବନ୍ଧିତ ଖବର