ଜୟପୁର ଇରିଗେସନ୍ କଲୋନିରୁ ୨ଜଣ ନାବାଳକ ନିଖୋଜ

ଜୟପୁର: ଜୟପୁର ଟାଉନଥାନା ଅର୍ନ୍ତଗତ ଇରିଗେସନ କଲୋନିରୁ ୨ଜଣ ନାବାଳକ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି। ଜଣଙ୍କ ପରିବାରବର୍ଗ ଟାଉନ ଥାନାରେ ଏତଲା ଦେଇଛନ୍ତି। ଉଭୟଙ୍କ ପରିବାରବର୍ଗ ବହୁ ଖୋଜାଖୋଜି କରୁଥିଲେ ହେଁ ଉଭୟ ନାବାଳକଙ୍କ କିଛି ପତ୍ତା ମିଳି ପାରିନି। ମିଳିଥିବା ସୂଚନା ଅନୁଯାୟୀ, ଇରିଗେସନ କଲୋନିର ଗୋବିନ୍ଦ ଚନ୍ଦ୍ର ନାଗଙ୍କ ୧୫ବର୍ଷର ପୁଅ ସାହିନ୍ ନାଗ ଗତ ୧୫ତାରିଖ ଦିନ ଅପରାହ୍ନ ସାଢ଼େ ୪ଟା ବେଳେ ଖେଳିବାକୁ ବାହାରି ଥିଲେ। ତା’ପର ଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ସାହିନ୍‌ର ସମସ୍ତ ସହପାଠୀ ଓ ସାଙ୍ଗ ମାନଙ୍କୁ ପଚାରାଉଚାରା କରିବାରେ ସେହି କଲୋନୀର ସୁନିଲ ସହ ସେ କେଉଁ ଆଡେ ପଳାଇ ଯାଇଥିବା ଜାଣିବାକୁ ପାଇଥିଲେ। ପରେ ଗୋବିନ୍ଦ ସୁନିଲଙ୍କ ପରିବାରବର୍ଗକୁ ପଚାରିବାରେ ସେମାନେ ବି ଖୋଜାଖୋଜି କରୁଥିବା ଗୋବିନ୍ଦଙ୍କୁ କହିଥିଲେ।

ଉଭୟ ଜୟପୁର ବସଷ୍ଟାଣ୍ଡକୁ ଆସି ଭୁବନେଶ୍ବର ଯିବା ପାଇଁ ବସ ଟିକେଟ ନେଇକି ଯାଇଥିବା ବେଳେ ସେମାନେ ଭୁବନେଶ୍ବର ଯାଇଛନ୍ତି ନା ନାହିଁ ସ୍ପଷ୍ଟ ଭାବେ କିଛି ଜଣାପଡ଼ୁନଥିବା କହିଛନ୍ତି ଗୋବିନ୍ଦ। ସାହିନ୍‌ର ଏବର୍ଷ ଦଶମକୁ ଆସିଥିବାରୁ ଗୋବିନ୍ଦ ଭଲ ପଢ଼ା ପଢ଼ି କରିବାକୁ କହିଥିଲେ। ବାସ୍ ତା’ପରେ ସେ ରାଗିକି ଘର ଛାଡ଼ି ପଳାଇଥିବା କହିଛନ୍ତି ଗୋବିନ୍ଦ। ଗତ ତିନିଦିନ ହେବ ଗୋବିନ୍ଦଙ୍କ ଘରୋ କାନ୍ଦବୋବାଳିରେ ପାଟି ପଢ଼ୁଛି। ପୁଲିସ ଓ ପ୍ରଶାସନ ନିଖୋଜ ସାହିନ, ସୁନିଲକୁ ଖୋଜି ଆଣିବା ଦିଗରେ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଗୋବିନ୍ଦ।

ସମ୍ବନ୍ଧିତ ଖବର