ନାମ ଖୋଜିବାର ସମୟ

ପ୍ରବୀର କୁମାର ଦାସ

ଏହା ସୁବିଦିତ ଯେ ଭାରତରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନଗୁଡ଼ିକ ଯେଉଁ ଉତ୍ସାହର ଉଚ୍ଛ୍ବାସ ସୃଷ୍ଟି କରିଥାନ୍ତି, ସେହି ଦୃଷ୍ଟିରୁ ବିଶ୍ବ ତମାମ ଗଣମାଧୢମ ଏହାକୁ ‘ଡ୍ୟାନ୍‌ସ ଅଫ୍‌ ଡେମକ୍ରାସି’ ବା ‘ଗଣତନ୍ତ୍ରର ନୃତ୍ୟ’ ଭାବେ ଅଭିହିତ କରିଥାଏ। କିନ୍ତୁ ଆସନ୍ତା ସାଧାରଣ ନିର୍ବାଚନ ଏବେ ଠାରୁ ଯେଉଁଭଳି ଅକଳ୍ପନୀୟ ଉଚ୍ଚାଟ ସୃଷ୍ଟି କଲାଣି, ତହିଁରେ ୨୦୨୪ ନିର୍ବାଚନ ତା’ର ଆବେଦନ ଦୃଷ୍ଟିରୁ ‘ଗଣତନ୍ତ୍ରର ନୃତ୍ୟ’ ଭଳି ଏକ ନିରୀହ ନାମରେ ସନ୍ତୁଷ୍ଟ ରହିବ ତ? ସୁତରା˚, ଗଣମାଧୢମ ହୁଏ’ତ ଏକ ନୂଆ ନାମର ଅନ୍ବେଷଣ କରିପାରେ। କାରଣ ବର୍ତ୍ତମାନର ସମୟଟି ହିଁ ହେଉଛି ନାମ ଖୋଜିବାର ସମୟ!

ଇତିମଧୢରେ ୨୦୨୪ ସାଧାରଣ ନିର୍ବାଚନର ଦ୍ବନ୍ଦ୍ବ-ଯୁଦ୍ଧ ଲାଗି ‘ଵାର୍ମ ଅପ୍‌’ କସରତ ଆରମ୍ଭ ହୋଇଯାଇଛି; ଯହିଁରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଦୁଇଟି ମେଣ୍ଟ ଦଳ ଆବିର୍ଭୂତ ହୋଇ ପରିବେଶକୁ ସରଗରମ କରିଛନ୍ତି। ପ୍ରକାଶ ଥାଉ କି ‘ଇଣ୍ତିଆନ୍‌ ନେସନାଲ ଡେଭଲପମେଣ୍ଟାଲ୍‌, ଇନକ୍ଲୁସିଭ ଆଲାଏନ୍‌ସ’ ବା ସ˚କ୍ଷେପରେ ‘ଆଇ.ଏନ୍‌.ଡି.ଆଇ.ଏ.’ ବା ‘ଇଣ୍ତିଆ’ ବୋଲି ଉଚ୍ଚାରଣ ସହିତ ଜନ୍ମ ଲାଭ କରିଥିବା ୨୬ଟି ବିରୋଧୀ ଦଳର ମେଣ୍ଟ ଅଭୀଷ୍ଟ ପୂରଣ ସକାଶେ ଏକ ନିବିଷ୍ଟ ଆଭିମୁଖ୍ୟ ବହନ କରିଥିବା ଭଳି ପ୍ରତୀତ ହେବା ସହିତ ଏଭଳି ଏକ ନାମକରଣ ଦ୍ବାରା ଏକ ମୃଦୁ ରାଜନୈତିକ ଝଡ଼ ମଧୢ ସୃଷ୍ଟି କଲାଣି। ଯଦିଓ ନିର୍ବାଚନର ସଫଳତା ଏଭଳି ନାମକରଣର ଚାତୁର୍ଯ୍ୟ ଉପରେ ନିର୍ଭର କରି ନ ଥାଏ; ତଥାପି ଏହାକୁ ବିରୋଧୀ ମେଣ୍ଟ ଦ୍ବାରା ‘ଚମକ ହରଣ’ର ଏକ ପ୍ରାରମ୍ଭିକ ଉଦ୍ୟମ ରୂପେ ଦେଖାଯାଇପାରେ, ଯାହା ବିଜେପିକୁ କିଞ୍ଚିତ ଅପ୍ରତିଭ କରିଥିବା ସ୍ବାଭାବିକ; ନଚେତ୍‌ ନାମଟିକୁ ନେଇ ଦଳ ଦ୍ବାରା ବିତର୍କ ସୃଷ୍ଟିର ପ୍ରୟାସ ହୁଅନ୍ତା ନାହିଁ। ଅବଶ୍ୟ, ‘ଇଣ୍ତିଆ’ର ପ୍ରତ୍ୟୁତ୍ତରରେ ଖୁବ୍‌ ଶୀଘ୍ର ବିଜେପି ତା’ ନେତୃତ୍ବାଧୀନ ପୁରୁଣା ମେଣ୍ଟ ‘ଏନ୍‌.ଡି.ଏ.’କୁ ପୁନରୁଜ୍ଜୀବିତ କରିଛି, ଯହିଁରେ ୩୮ଟି ଦଳ ସଦସ୍ୟ ରହିଥିବା ବିଷୟ ଏକ ଆସ୍ଫାଳନଧର୍ମୀ ଘୋଷଣାରେ କୁହାଯାଇଛି। ସୁତରା˚, ଏଭଳି ଏକ ସ୍ଥିତିରେ ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଉଭୟ ମେଣ୍ଟର ରାଜନୈତିକ ଭବିଷ୍ୟତ ଏବ˚ ସଂପ୍ରତି ଦେଖାଯାଉଥିବା ଭଳି ‘ନାମକରଣ’ ଜରିଆରେ ବ୍ୟାଖ୍ୟାନ ସୃଷ୍ଟିର ରାଜନୈତିକ କୌଶଳ ଉପରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ‘ଏନ୍‌ଡିଏ’ ମେଣ୍ଟ ନିକଟରେ ରହିଛି ୩୨୯ଟି ଲୋକସଭା ଆସନ, ଯହିଁରୁ ପ୍ରାୟ ନବେ ପ୍ରତିଶତ ଅର୍ଥାତ୍‌ ୩୦୧ଟି ଆସନ କେବଳ ବିଜେପି ଦ୍ବାରା ଅଧିକୃତ। ଏହି ମେଣ୍ଟରେ ଅଛନ୍ତି ୨୦୧୯ ମସିହା ନିର୍ବାଚନରେ କୌଣସି ପ୍ରାର୍ଥୀ ଛିଡ଼ା କରାଇ ନ ଥିବା ୯ଟି ଦଳ, ଗୋଟିଏ ହେଲେ ଆସନ ଜିଣି ନ ଥିବା ୧୬ଟି ଦଳ ଏବ˚ କୌଣସିମତେ ମାତ୍ର ଗୋଟିଏ ଲେଖାଏଁ ଲୋକସଭା ଆସନରେ ପ୍ରତିନିଧିତ୍ବ କରିପାରିଥିବା ୭ଟି ଦଳ; ଏବ˚ ଗଲା ନିର୍ବାଚନ ଅନୁସାରେ ଏହି ମେଣ୍ଟ ନିକଟରେ ଥିବା ଭୋଟ ଶତା˚ଶ ହେଉଛି ୪୫, ଯହିଁରୁ କେବଳ ବିଜେପିର ଭାଗ ହେଉଛି ୩୭.୫ ଶତା˚ଶ। ଏବ˚ ଏହି ମେଣ୍ଟରେ ୧୩ଟି ଲୋକସଭା ଆସନ ସହିତ ସିନ୍ଦେ ଗୋଷ୍ଠୀର ଶିବସେନା ହେଉଛି ବିଜେପିର ପ୍ରମୁଖ ସହଯୋଗୀ ଅ˚ଶୀଦାର ଦଳ। ସୁତରା˚, ଏଭଳି ଏକ ସ୍ଥିତିରେ ‘ଏନ୍‌ଡିଏ’ର ପ୍ରାଣକେନ୍ଦ୍ର ଯେ କେବଳ ବିଜେପି, ଏହା ନିଃସନ୍ଦେହ, ଯାହା ଏହି ମେଣ୍ଟର ନେତତ୍ବକୁ ପ୍ରଶ୍ନାତୀତ ଏବ˚ ପରିଚାଳନାକୁ ସାବଲୀଳ କରିବ ବୋଲି ଅନୁମାନ କରିହୁଏ। ଅପର ପକ୍ଷେ ୧୫୭ଟି ଲୋକସଭା ଆସନର ଅଧିକାରୀ ‘ଇଣ୍ତିଆ’ ମେଣ୍ଟ ନିକଟରେ ଥିବା ଭୋଟ ଶତା˚ଶ ହେଉଛି ୩୮.୭ (୨୦୧୯ ନିର୍ବାଚନ ଅନୁସାରେ); ଏବ˚ ଏହି ମେଣ୍ଟର ପ୍ରମୁଖ ଅ˚ଶୀଦାର ରୂପେ କ˚ଗ୍ରେସ, ତୃଣମୂଳ କ˚ଗ୍ରେସ, ଆର୍‌.ଜେ.ଡି., ଜେ.ଡି.(ୟୁ), ଆପ୍‌ ଇତ୍ୟାଦି ଅନ୍ତର୍ଭୁକ୍ତ, ଯେଉଁମାନେ ରାଜନୈତିକ ପ୍ରଭାବ ଦୃଷ୍ଟିରୁ ମେଣ୍ଟ ମଧୢରେ ପରସ୍ପରର ପ୍ରତିସ୍ପର୍ଦ୍ଧୀ ମନୋଭାବ ପୋଷଣ କରିବାର ସମ୍ଭାବନା ରହିଛି। ଯଦିଓ ଏହି ମେଣ୍ଟରେ କେବଳ କ˚ଗ୍ରେସକୁ ତା’ର ଅଖିଳ ଭାରତୀୟ ଉପସ୍ଥିତି ଦୃଷ୍ଟିରୁ ଏକ ଜାତୀୟ ଦଳ ରୂପେ ଅଭିହିତ କରାଯିବ, କିନ୍ତୁ ୨୯ଟି ଲୋକସଭା ଆସନର ଅଧିକାରୀ ତୃଣମୂଳ କ˚ଗ୍ରେସ ଏକ ଆଞ୍ଚଳିକ ଦଳ ହୋଇଥିଲେ ହେଁ ମାତ୍ର ୪୭ଟି ଆସନ ଲାଭ କରିଥିବା ଜାତୀୟ ଦଳ କ˚ଗ୍ରେସକୁ ବରିଷ୍ଠତାର ମାନ୍ୟତା ପ୍ରଦାନ କରିବାକୁ କୁଣ୍ଠିତ ହୋଇପାରେ।
ଏହା ମଧୢ ଏକ ବାସ୍ତବତା ଯେ ଏହି ମେଣ୍ଟର କେତେକ ସଦସ୍ୟ ଦଳ କ˚ଗ୍ରେସକୁ ତୀବ୍ର ବିରୋଧୀ ରୂପେ ଦେଖିଥାଆନ୍ତି। ସୁତରା˚, କାଳ କ୍ରମେ ଏହି ମେଣ୍ଟର ନେତୃତ୍ବ ପ୍ରସଙ୍ଗ ଅତ୍ୟନ୍ତ ସ୍ପର୍ଶକାତର ହୋଇ ଉଠିପାରେ; ଏବଂ ଅନେକ ବିଜ୍ଞ ରାନ୍ଧୁଣିଆଙ୍କ ସ˚ପୃକ୍ତି ବ୍ୟ˚ଜନର ସ୍ବାଦକୁ ବିଗାଡ଼ି ଦେଉଥିବା ସଦୃଶ ସ୍ଥିତିଟିଏ ମଧୢ ସୃଷ୍ଟି ହୋଇପାରେ। କେତେକ ବିଶେଷଜ୍ଞ ଏଭଳି ପୂର୍ବାନୁମାନ ମଧୢ କରନ୍ତି ଯେ ନିର୍ବାଚନରେ ପରାଜିତ ହେଲେ ତଜ୍ଜନିତ ହତାଶାବୋଧ ବା ବିଜୟୀ ହେଲେ କ୍ଷମତା ଲାଭ କରିବାର ଉଚ୍ଚାଭିଳାଷ ଏହି ମେଣ୍ଟକୁ ସ୍ବଳ୍ପାୟୁ କରିବ। ତେବେ, ରାଜନୀତି ଭଳି ଏକ ବିଷମ ଗଣିତ ଯେ ସମସ୍ତ ଅନୁମାନ ଏବ˚ ଉପପାଦ୍ୟକୁ ଭ୍ରମାତ୍ମକ ସାବ୍ୟସ୍ତ କରିପାରେ, ଏଥିରେ ମଧ୍ୟ ଦ୍ବିରୁକ୍ତି ନାହିଁ।
ତେବେ, କୌତୂହଳର ବିଷୟ ହେଲା ମେଣ୍ଟ ଗଠନ ପରେ ଏଭଳି ଅନୁମାନଭିତ୍ତିକ ଆକଳନ ବା ଆଲୋଚନାକୁ ଗୌଣ କରି ଯାହା ସ˚ପ୍ରତି ଚର୍ଚ୍ଚାର କେନ୍ଦ୍ରରେ, ତାହା ହେଲା ବିରୋଧୀ ମେଣ୍ଟ ବହନ କରିଥିବା ଏଭଳି ଏକ ‘ଜାତୀୟତାବାଦୀ’ ନାମ, ଯାହା ଏକାନ୍ତ ଭାବେ ବିଜେପିର ସ୍ବତ୍ବାଧିକାର ପରିସର ଅନ୍ତର୍ଭୁକ୍ତ ଥିଲା ବୋଲି ସେହି ଦଳ ବିଚାର କରିଥାଏ। ତେବେ, ଏଥିରେ ଥିବା ଅସ˚ଗତିଟି ହେଲା ବିରୋଧୀ ମେଣ୍ଟର ବିଚକ୍ଷଣ ନେତା ନୀତୀଶ କୁମାର ଏଭଳି ନାମକରଣରେ ଅସନ୍ତୁଷ୍ଟ; କାରଣ ଉଚ୍ଚାରଣରେ ଏହା ‘ଏନ୍‌ଡିଏ’ର ସାଦୃଶ୍ୟ ବହନ କରିଥାଏ ଏବ˚ ଏକ ଯାବନିକ ମୂଳ ଶବ୍ଦ (ଇଣ୍ତସ୍‌)ର ଉପଜ ହୋଇଥିବାରୁ ‘ଇଣ୍ତିଆ’ ଭଳି ଶବ୍ଦ ପରିହାରଯୋଗ୍ୟ ବୋଲି ହିନ୍ଦୀ ଭାଷୀ ଅଞ୍ଚଳରେ ଦକ୍ଷିଣପନ୍ଥୀମାନଙ୍କ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନର ଲାଭ ବିଜେପିକୁ ମିଳିବାର ସମ୍ଭାବନା ଅଧିକ। ନୀତୀଶ କୁମାରଙ୍କ ଏହି ଆଶଙ୍କାକୁ ପ୍ରମାଣିତ କଲା ଭଳି ଦେଖିବାକୁ ମିଳିଛି ଯେ ଆସାମର ମୁଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରଭାବଶାଳୀ ନେତା ହେମନ୍ତ ବିଶ୍ବଶର୍ମା ଏହା ପରେ ତାଙ୍କ ଟ୍ବିଟର ହାଣ୍ତଲରେ ବିଦ୍ୟମାନ ଥିବା ‘ଇଣ୍ତିଆ’କୁ ‘ଭାରତ’ରେ ପରିବର୍ତ୍ତିତ କରି ସାରିଲେଣି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହି ନୂଆ ମେଣ୍ଟ ତା’ର ନାମ କାରଣରୁ ଆଗକୁ ସଘନ ବିତର୍କ, ବିବାଦ ଏବ˚ କଟାକ୍ଷକୁ ଜନ୍ମ ଦେବ।
କହିବାରେ ଦ୍ବିଧା ନାହିଁ ଯେ ସ˚ପ୍ରତି ଭାରତୀୟ ଶାସନ ଏବ˚ ପ୍ରଶାସନରେ ଆକର୍ଷଣୀୟ ନାମକରଣ ପ୍ରମୁଖତା ଲାଭ କଲାଣି, ଯହିଁରେ ଯୋଜନା ବା ପ୍ରକଳ୍ପ ଠାରୁ ଆରମ୍ଭ କରି ବୃତ୍ତି ଓ ରାଜପଥ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ, ଯେମିତି କି ପୂର୍ବର ‘କଚରାଵାଲା’ ଏବେ ‘ସଫେଇଵାଲା’ରେ ପରିଣତ ହେବା ବା ‘ଭିନ୍ନକ୍ଷମ’ ଏବେ ‘ଦିବ୍ୟାଙ୍ଗ’ ଭାବେ ସ˚ବୋଧିତ ହେବା ଅଥବା ‘କୃଷକ’ମାନେ ‘ଅନ୍ନଦାତା’ ରୂପେ ଅନ୍ତତଃ ଉଚ୍ଚାରଣଗତ ସମ୍ମାନ ଲାଭ କରିବା କିମ୍ବା ଦିଲ୍ଲୀର ‘ରାଜପଥ’ ସ˚ପ୍ରତି ‘କର୍ତ୍ତବ୍ୟ ମାର୍ଗ’ ରୂପେ ବିବେଚିତ ହେବା ଅଥବା ‘ପ୍ରଧାନମନ୍ତ୍ରୀ’ ନିଜକୁ ‘ପ୍ରଧାନ ଦେଶସେବକ’ ରୂପେ ଅଭିହିତ କରିବା ଇତ୍ୟାଦି। ତେବେ, କେବଳ ସେତିକି ନୁହେଁ, ଏଭଳି ଉଦ୍ୟମର ଉଚ୍ଚାଟରେ ଦେଖିବାକୁ ମିଳିଥାଏ ଯେ ଜନମାନସକୁ ତତ୍‌କ୍ଷଣାତ୍‌ ଛୁଇଁଲା ଭଳି ଏକ ଶବ୍ଦକୁ ପୂର୍ବରୁ ସ୍ଥିର କରି କୌଣସି କୌଣସି ଯୋଜନାର ନାମକୁ ଅନାବଶ୍ୟକ ଭାବେ ଦୀର୍ଘ ଏବ˚ ଜଟିଳ କରାଯାଇ ତାହାର ସ˚କ୍ଷିପ୍ତ ରୂପ ବା ‘ଆବ୍ରିଭିଏସନ୍‌’ ଦ୍ବାରା ସେଭଳି ଶବ୍ଦଟିଏ ସୃଷ୍ଟି କରାଯାଉଛି; ଉଦାହରଣ ସ୍ବରୂପ ଆମ ରାଜ୍ୟରେ ପ୍ରଚଳିତ ‘ପିଠା’ ନାମକ ଯୋଜନା, ଯାହା ପ୍ରକୃତରେ ଏକ ଇ˚ରେଜୀ ସ˚କ୍ଷିପ୍ତୀକରଣର ଉଚ୍ଚାରଣ, ଯାହା ହେଲା ‘ପି.ଇ.ଇ.ଟି.ଏଚ୍‌.ଏ.’, ଏବ˚ ତା’ର ଇ˚ରେଜୀ ସ˚ପ୍ରସାରିତ ରୂପ ହେଉଛି ‘ପିପୁଲ୍‌ସ ଏମ୍‌ପାଵାରମେଣ୍ଟ-ଏନାବଲି˚ ଟ୍ରାନ୍‌ସପରେନ୍‌ସି ଏଣ୍ତ୍‌ ଏନ୍‌ହାନସି˚ ଆକାଉଣ୍ଟିବିଲିଟି’ ଯାହାର ମୋଟ ଅର୍ଥ ହେଉଛି ସରକାରୀ ଯୋଜନା ବାବଦରେ ଗ୍ରାମାଞ୍ଚଳର ଲୋକଙ୍କୁ ଅବଗତ କରାଇବା। ସେହିଭଳି ଆମ ରାଜ୍ୟର ‘କାଳିଆ’ ବା କେନ୍ଦ୍ର ସରକାରଙ୍କ ‘ପିଏମ୍‌ ଡିଭାଇନ୍‌’ ବା ‘ନିତି ଆୟୋଗ’ ଭଳି ନାମକରଣଗୁଡ଼ିକ ଏଭଳି ଅନେକ ଦୃଷ୍ଟାନ୍ତ ମଧୢରୁ କିଛି। ତେବେ, ଏହା ମଧୢ ସତ ଯେ ‘ଇଣ୍ତିଆ’ ବନାମ ‘ଭାରତ’ ବିତର୍କକୁ ଘନୀଭୂତ କରିବା ଲାଗି ବିଜେପି ବିଶେଷ ଇନ୍ଧନ ପାଇ ନ ପାରେ, କାରଣ ପ୍ରଧାନମନ୍ତ୍ରୀଙ୍କ ଅନେକ ମହତ୍ତ୍ବାକା˚କ୍ଷୀ ଯୋଜନାର ନାମକରଣରେ ‘ଭାରତ’ ବଦଳରେ ‘ଇଣ୍ତିଆ’କୁ ଦେଖିବାକୁ ମିଳିଥାଏ; ଯେମିତି ‘ମେକ୍‌ ଇନ୍‌ ଇଣ୍ତିଆ’, ବା ‘ଖେଲୋ ଇଣ୍ତିଆ’ ବା ‘ଦଵା ଇଣ୍ତିଆ’।
ଏହା ସୁବିଦିତ ଯେ ଭାରତରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନଗୁଡ଼ିକ ଯେଉଁ ଉତ୍ସାହର ଉଚ୍ଛ୍ବାସ ସୃଷ୍ଟି କରିଥାନ୍ତି, ସେହି ଦୃଷ୍ଟିରୁ ବିଶ୍ବ ତମାମ ଗଣମାଧୢମ ଏହାକୁ ‘ଡ୍ୟାନ୍‌ସ ଅଫ୍‌ ଡେମକ୍ରାସି’ ବା ‘ଗଣତନ୍ତ୍ରର ନୃତ୍ୟ’ ଭାବେ ଅଭିହିତ କରିଥାଏ। କିନ୍ତୁ ଆସନ୍ତା ସାଧାରଣ ନିର୍ବାଚନ ଏବେ ଠାରୁ ଯେଉଁଭଳି ଅକଳ୍ପନୀୟ ଉଚ୍ଚାଟ ସୃଷ୍ଟି କଲାଣି, ତହିଁରେ ୨୦୨୪ ନିର୍ବାଚନ ତା’ର ଆବେଦନ ଦୃଷ୍ଟିରୁ ‘ଗଣତନ୍ତ୍ରର ନୃତ୍ୟ’ ଭଳି ଏକ ନିରୀହ ନାମରେ ସନ୍ତୁଷ୍ଟ ରହିବ ତ? ସୁତରା˚, ଗଣମାଧୢମ ହୁଏ’ତ ଏକ ନୂଆ ନାମର ଅନ୍ବେଷଣ କରିପାରେ। କାରଣ ବର୍ତ୍ତମାନର ସମୟଟି ହିଁ ହେଉଛି ନାମ ଖୋଜିବାର ସମୟ!

ସମ୍ବନ୍ଧିତ ଖବର