ଅଭିନୟ ଆଣିଛି ପରିଚୟ: ‘ଉତ୍ତରାଖଣ୍ଡ ସୁନ୍ଦରୀ’ରୁ ଲୋକପ୍ରିୟ ଟେଲି-ଅଭିନେତ୍ରୀ

ଅନେକ କଳାକାରଙ୍କ ପାଇଁ ଅଭିନୟ ଏକ ସୌଖୀନ କଳା ହୋଇଥିବା ବେଳେ ଅନେକଙ୍କ ପାଇଁ ଏହା ଅପରିହାର୍ଯ୍ୟ ହୋଇପଡ଼ିଥାଏ। ଏପରିକି ଏହା ସେମାନଙ୍କ ଭରଣପୋଷଣର ଜୀବିକା ପାଲଟିବା ସହ ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ପ୍ରଦାନ କରିଥାଏ। ଅଭିନେତ୍ରୀ ଆଶା ନେଗି ହେଉଛନ୍ତି ସେଭଳି ଜଣେ ଟିଭି କଳାକାର ଯାହାଙ୍କର ପିଲାବେଳୁ ଅଭିନୟ ପ୍ରତି ଆଦୌ ଦୁର୍ବଳତା ନଥିବା ବେଳେ ସମୟାନୁକ୍ରମେ ତାହା ତାଙ୍କୁ ଆଶାତୀତ ଖ୍ୟାତି ଓ ପ୍ରତିଷ୍ଠା ଯୋଗାଇଦେଇଛି। ମାତ୍ର ୧୨ ବର୍ଷର ଅଭିନୟ ଜୀବନ ଭିତରେ ଚାଳିଶ ସରିକି ଟିଭି ଧାରାବାହିକ ସମେତ ଚାରିଟି ୱେବ୍‌ ଧାରାବାହିକରେ ଆବିର୍ଭାବ ହୋଇ ସେ ଦର୍ଶକମାନଙ୍କର ମନ ଜିଣିବାରେ ସକ୍ଷମ ହୋଇପାରିଛନ୍ତି। ଏଭଳି ବ୍ୟାପକ ଅଭିନୟ ସତ୍ତ୍ବେ ଯଦିଓ ତାଙ୍କୁ ସେଭଳି କୌଣସି ପ୍ରମୁଖ ପୁରସ୍କାର ମିଳିପାରିନାହିଁ, ତେବେ ସେ ତାଙ୍କର ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି ଏବଂ ଦର୍ଶକୀୟ ଗ୍ରହଣୀୟତା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ବୋଲି କହନ୍ତି। ସେହିପରି ଏତେ ଅଭିଜ୍ଞ କଳାକାର ହୋଇ ସୁଦ୍ଧା ମାତ୍ର ଦୁଇଟି ହିନ୍ଦୀ ସିନେମାରେ ସୁଯୋଗ ମିଳିବା ମଧ୍ୟ ତାଙ୍କ ମନକୁ ଊଣା କରିପାରିନାହିଁ। ଉତ୍ତରାଖଣ୍ଡର ଡେରାଡୁନ୍‌ରେ ୧୯୮୮ ଅଗଷ୍ଟ ୨୩ ତାରିଖରେ ଜନ୍ମିତ ଆଶା କଲେଜରେ ପଢୁଥିବା ବେଳେ ଅନ୍ୟମାନଙ୍କର ପ୍ରୋତ୍ସାହନ ପାଇ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ନିଜକୁ ସାମିଲ କରିଥିଲେ। ସୌଭାଗ୍ୟକୁ ସେ ୨୦୦୯ର ‘ଉତ୍ତରାଖଣ୍ଡ ସୁନ୍ଦରୀ’ ମୁକୁଟ ଧାରଣ କରିଥିଲେ ଯାହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା।

ଏହାପରେ ସେ ଗ୍ଲାମର ଦୁନିଆରେ ନିଜକୁ ଆବିଷ୍କାର କରିବା ଲାଗି ମୁମ୍ବାଇ ଚାଲି ଯାଇଥିଲେ ଏବଂ ବିଭିନ୍ନ ବିଜ୍ଞାପନରେ ମଡେଲିଂ କରି ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ତେବେ ୨୦୧୦ରେ ଟିଭି ଧାରାବାହିକ ଜଗତ୍‌କୁ ତାଙ୍କର ପ୍ରଥମ ପ୍ରବେଶ ହୋଇଥିଲା ଷ୍ଟାର ପ୍ଲସ୍‌ର ‘ସପନୋଁ ସେ ଭରେ ନୈନା’ ମାଧ୍ୟମରେ। ତାଙ୍କୁ ମିଳିଥିବା ‘ମଧୁରା’ ଚରିତ୍ରକୁ ସେ ଏପରି ନିଖୁଣ ଭାବରେ ନିର୍ବାହ କରିଥିଲେ ଯେ ପରବର୍ତ୍ତୀ ଧାରାବାହିକ ‘ବଡ଼େ ଅଛେ ଲଗତେ ହେଁ’ରେ ତାଙ୍କୁ ଆପଣା ଛାଏଁ ସୁଯୋଗ ମିଳିଯାଇଥିଲା। ତେବେ ସେ ଏକ ପରିଚିତ ନାଁ ପାଲଟିଲେ ୨୦୧୧ରୁ ୨୦୧୪ ଯାଏ ଜୀ ଟିଭିରେ ପ୍ରସାରିତ ଧାରାବାହିକ ‘ପବିତ୍ର ରିସ୍ତା’ର ପୂର୍ବୀ ଦେଶମୁଖ ଭୂମିକା ମାଧ୍ୟମରେ। ଏହାପରେ ପଛକୁ ପଛ ‘ଶୁଭ ବିବାହ’, ‘ହିଟଲର ଦିଦି’, ‘ଏକ ମୁଠି ଆଶମାନ’, ‘ଜମାଇ ରାଜା’, ‘ୟେ ହୈ ଆଶିକି’ ଓ ‘କୁମ୍‌କୁମ୍ ଭାଗ୍ୟ’ ଆଦି ଧାରାବାହିକରେ ତାଙ୍କର ଭିନ୍ନ ଭିନ୍ନ ଅବତାର ଦେଖିବାକୁ ମିଳିଥିଲା। ସେହିପରି ‘ବିଗ୍‌ ବସ୍‌ ୬’, ‘ନଚ୍‌ ବଲିୟେ ୬’, ‘ଫିଅର ଫାକ୍ଟର: ଖତରୋଁ କେ ଖିଲାଡ଼ି ୬’ ଆଦି ବାସ୍ତବଧର୍ମୀ ଧାରାବାହିକରେ ମଧ୍ୟ ସେ ନିଜର ଚମକ ଦେଖାଇ ପାରିଛନ୍ତି।

ଏଥି ସହିତ ଅନେକ ବାସ୍ତବଧର୍ମୀ ଧାରାବାହିକରେ ବିଚାରିକା ଓ ଅତିଥି ଭୂମିକା ତୁଲାଇ ସେ ଧାରାବାହିକ ଦୁନିଆ ସହ ସଂଶ୍ଳିଷ୍ଟ ହୋଇ ରହିଛନ୍ତି। ଏହି ଅବସରରେ ୨୦୨୦ରେ ଖେଳିଥିବା ହିନ୍ଦୀ ଫିଲ୍ମ ‘ଲୁଡୋ’ ଓ ଗତବର୍ଷ ଆସିଥିବା ‘କଲାର ବମ୍ବ’ ସିନେମାରେ ମଧ୍ୟ ଆଶାଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ସେହିପରି ‘ବାରିସ’, ‘ଲଭ୍‌ କା ପଙ୍ଗା’, ‘ଅଭୟ’ ଓ ‘ଖ୍ବାବୋଁ କେ ପରିନ୍ଦେ’ ଆଦି ୱେବ୍‌ ଧାରାବାହିକରେ ମଧ୍ୟ ଆଶାଙ୍କ ଭୂମିକା ବେଶ ପ୍ରଭାବୀ ହୋଇପାରିଛି। ଅଧ୍ୟବସାୟ ଜାରି ରଖିଲେ ସୁଯୋଗ ଆପେ ଆପେ ଆସିଥାଏ- ଏହି ବିଚାରରେ ଆସ୍ଥା ରଖୁଥିବା ଆଶା, ନିଜର ଶେଷ ନିଃଶ୍ବାସ ଯାଏ ବୟସୋପଯୋଗୀ ଚରିତ୍ରରେ ଅବତୀର୍ଣ୍ଣ ହୋଇ ପ୍ରିୟ ଦର୍ଶକମାନଙ୍କୁ ମନୋରଞ୍ଜନ ଯୋଗାଇ ଚାଲିଥିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର