ପ୍ରଭୁ ଶ୍ରୀରାମ ସେମାନଙ୍କର ମଙ୍ଗଳ କରନ୍ତୁ: ‘ଟିମ୍‌ ଆଦିପୁରୁଷ’କୁ ଶୁଭେଚ୍ଛା ଜଣାଇଲେ ଦେବେନ୍ଦ୍ର ଫଡ଼ନବୀସ

ମୁମ୍ବାଇ: ରିଲିଜ୍‌ ହେବାର ଦିନକ ଆଗରୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ପୌରାଣିକ ଚଳଚ୍ଚିତ୍ର ‘ଆଦିପୁରୁଷ’ ଟିମ୍‌କୁ ଶୁଭକାମନା ଜଣାଇଛନ୍ତି।

ବୁଧବାର ରାତିରେ ଟୁଇଟ୍‌ କରି ଦେବେନ୍ଦ୍ର ଫଡ଼ନବୀସ ‘ଆଦିପୁରୁଷ’ର ଅପାର ସଫଳତା କାମନାକରିବା ସହିତ ନିଜେ କମ୍ପ୍ୟୁଟର୍‌ରେ ‘ଆଦିପୁରୁଷ’ର କ‌େତୋଟି ‘ଭିଜୁଆଲ୍‌’ ଦେଖୁଥିବାର ଦୁଇଟି ଫଟୋ ମଧ୍ୟ ପୋଷ୍ଟ୍‌ କରିଛନ୍ତି।

ଫଡ଼ନବୀସ ଲେଖିଛନ୍ତି: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ ଉପରେ ପର୍ଯ୍ୟବେଶିତ ଦୀର୍ଘ ଦିନରୁ ପ୍ରତୀକ୍ଷା କରାଯାଇଥିବା ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ପ୍ରଭୁ ଶ୍ରୀରାମ ଆଶୀର୍ବାଦ କରନ୍ତୁ। ନିର୍ଦେଶକ, ପ୍ରଯୋଜକ ଓ ‘ଟିମ୍‌’ ପ୍ରତି ‘ଆଦିପୁରୁଷ’ର ଅପାର ସଫଳତା କାମନା କରୁଛି।

Image Courtesy of India Today

ସୂଚନାଯୋଗ୍ୟ, ଓମ୍‌ ରାଉତଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ଜୁନ୍‌ ୧୬ ତାରିଖରେ ‘୨ଡି’ ଓ ‘୩ଡି’ ଭାବେ ବିଶ୍ବବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଏହା ପୂର୍ବରୁ ଜୁନ୍‌ ୯ ତାରିଖରେ ତିରୁପତିରେ ଆୟୋଜିତ ଭବ୍ୟ ସମାରୋହରେ ‘ଆଦିପୁରୁଷ’ ଚଳଚ୍ଚିତ୍ରର ‘ଫାଇନାଲ୍‌ ଟ୍ରେଲର୍‌’ ଉନ୍ମୋଚନ କରାଯାଇଥିଲା। ପ୍ରଭାସଙ୍କୁ ଟିକେ ଦେଖିବା ପାଇଁ ବିଭିନ୍ନ ସହର ଓ ପ୍ରଦେଶରୁ ଅସଂଖ୍ୟ ପ୍ରଶଂସକ ସେଠାକୁ ଆସିଥିଲେ।

‘ଆଦିପୁରୁଷ’ ହେଉଛି ବାଲ୍ମିକୀଙ୍କ ରାମାୟଣ ଉପରେ ଆଧାରିତ ପୌରାଣିକ କାହାଣୀ। ଓମ୍‌ ରାଉତଙ୍କଦ୍ବାରା ଲିଖିତ ଓ ନିର୍ଦେଶିତ ଏହି ଚଳଚ୍ଚିତ୍ର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏଥିରେ ପ୍ରଭାସ ‘ରାଘବ’ ଚରିତ୍ରରେ ଅଭିନୟ କରିଥିବା ବେଳେ ସୈଫ୍‌ ଅଲି ଖାଁ ଓ କ୍ରିତି ସାନୋନ୍‌ ଯଥାକ୍ରମେ ‘ଲଙ୍କେଶ’ ଓ ‘ଜାନକୀ’ ଚରିତ୍ରରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର