ଈର୍ଷା କରୁଛନ୍ତି ନୀନା, ଏଭଳି ସୁଯୋଗ ମିଳି ପାରିନାହିଁ ତାଙ୍କୁ

ଆଜିକାଲିର ଅଭିନେତ୍ରୀମାନେ ନିଜକୁ ବିଜ୍ଞାପିତ କରିବା ପାଇଁ ଯଥେଷ୍ଟ ସୁବିଧା ଓ ସୁଯୋଗ ଉପଲବ୍‌ଧ ହୋଇପାରୁଛି। ଏହାଦ୍ବାରା ସେମାନେ ଆଶାତୀତ ଭାବେ ଲୋକପ୍ରିୟ ହୋଇପାରୁଛନ୍ତି। ଏ କଥାଟି ବିଗତ ଦିନର ସିନେ ନାୟିକା ନୀନା ଗୁପ୍ତାଙ୍କୁ ଈର୍ଷାନ୍ବିତ କରିଛି। ଏ ବାବଦରେ ନିଜର ଅସହନଶୀଳତାକୁ ପ୍ରକାଶ କରିବାରେ ସେ କୁଣ୍ଠାବୋଧ କରିନାହାନ୍ତି। ଅପେକ୍ଷାକୃତ ଯୁବା ଅଭିନେତ୍ରୀମାନେ ଗାଉନ ପିନ୍ଧି ବିଶ୍ବସ୍ତରୀୟ ମଞ୍ଚରେ ଆବିର୍ଭାବ ହେବା ଘଟଣା ତାଙ୍କ ମନକୁ ଅସହିଷ୍ଣୁତାରେ ଜାଳିଦିଏ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଚୁଲୁବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଶ୍ରେଷ୍ଠ ଫେସନ ସୋ’ ‘ମେଟ ଗାଲା’ରେ ପ୍ରଥମ ପଦାର୍ପଣ କରି ଅନ୍ୟମାନଙ୍କୁ ଚକିତ କରିଦେଇଥିଲେ।

ସେହିପରି ଅନ୍ୟତମ ନାୟିକା ଦୀପିକା ପାଦୁକୋନ ମଧ୍ୟ ଏକାଡେମି ପୁରସ୍କାର ଉତ୍ସବରେ ଉଦ୍‌ଘୋଷିକା ସାଜି ପ୍ରଶଂସକମାନଙ୍କର ହୃଦୟରେ ବସା ବାନ୍ଧିଥିଲେ। ତେବେ ଦୁଇ ଭାରତୀୟ ଲଳନାଙ୍କ ଏଭଳି କୃତିରେ ଗର୍ବ ଅନୁଭବ କରିବା ବଦଳରେ ନୀନା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କୁ ଏଭଳି ସୁଯୋଗ କେବେ ମିଳିଯାଆନ୍ତା କି ବୋଲି ମଧ୍ୟ ପ୍ରତି ମୁହୂର୍ତ୍ତରେ ସେ କଳ୍ପନା କରୁଥିବା କହିଛନ୍ତି। ନୀନା ଆହୁରି କହିଛନ୍ତି ଯେ ସେ ଯଦି ଅନ୍ୟମାନଙ୍କ ପରି ତରୁଣୀ ହୋଇଥାନ୍ତେ, ତେବେ ସେ ସେମାନଙ୍କ ଠାରୁ ଯଥେଷ୍ଟ ଅଧିକ କିଛି କରିପାରିଥା’ନ୍ତେ। ତେବେ ମନୁଷ୍ୟ ଯାହା ଚାହେଁ, ତାହା ସବୁବେଳେ ହୋଇନଥାଏ ବୋଲି ସ୍ବୀକାର କରିବା ସହ ଏଇ ପରିଣତ ବୟସରେ ମଧ୍ୟ ତାଙ୍କୁ ଯେଉଁ କାର୍ଯ୍ୟ ମିଳୁଛି, ସେ ସେଥିରେ ସନ୍ତୁଷ୍ଟ ବୋଲି କହିଛନ୍ତି। ତଥାପି ତାଙ୍କୁ ଆନ୍ତର୍ଜାତିକ ମଞ୍ଚରେ ସୁଯୋଗ ମିଳିଲେ ସେ ନିଜ ଡିଜାଇନର୍‌ କନ୍ୟା ମସବାଙ୍କ ଦ୍ବାରା ପ୍ରସ୍ତୁତ ସୁନ୍ଦର ଶାଢ଼ିଟିଏ ପିନ୍ଧି ଅନ୍ୟମାନଙ୍କୁ ଚମକାଇଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର