ସାତ୍ ସୱାଲ୍: ନାୟକ ହେବା ପରେ ଦାୟିତ୍ବ ବଢ଼ିଛି

ଶିଶୁ କଳାକାର ଭାବେ ସଭିଁଙ୍କ ମନରେ ରାଜ୍ କରିବା ପରେ ଏବେ ନାୟକ ଭାବେ ନିଜର ସଫଳତା ଯାତ୍ରା ଆରମ୍ଭ କରିଛନ୍ତି ସେ। ଅନେକ ଧାରାବାହିକ ଓ ସିନେମାରେ ଶିଶୁ କଳାକାର ଭାବେ ନଜର ଆସି ଦର୍ଶକଙ୍କ ମନ ଜିଣିଥିବା ସ୍ବରାଜ ବାରିକ ୨୦୧୭ ମସିହାରେ ‘ତୁ ମୋ ଲଭ୍ ଷ୍ଟୋରି’ ଜରିଆରେ ନାୟକ ଭାବେ ଓଲିଉଡ୍‌ରେ ପ୍ରବେଶ କରିଥିଲେ । ଏହାପରେ ‘ଲଭ୍ ଏକ୍ସପ୍ରେସ୍’, ‘କିସ୍ମିସ୍’, ‘ଲୈଲା ଓ ଲୈଲା’, ‘ଓୟେ ଅଞ୍ଜଲୀ’, ‘ଦିଲ୍ ମୋର ମାନେନା’ ଓ ‘ପ୍ରଥା’ ଆଦି ସିନେମାରେ ଅଭିନୟ କରି ସେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇ ସାରିଛନ୍ତି। ଏ ସପ୍ତାହରେ ତାଙ୍କ ସହ ସ୍ବତନ୍ତ୍ର ଆଳାପ।

ପ୍ରଥମେ ଶିଶୁ କଳାକାର ଭାବେ ଦର୍ଶକଙ୍କ ମନକୁ ଜିଣି ସାରିବା ପରେ ଏବେ ନାୟକ ଭାବେ ନଜର ଆସୁଛନ୍ତି। ଦର୍ଶକ ଆପଣଙ୍କର ଉଭୟ ଦିଗକୁ ଭଲପାଇବା ଦେଇଛନ୍ତି। ଆପଣଙ୍କର କେଉଁଟି ପ୍ରିୟ?
ଜାଣିନି। ହେଲେ ଶିଶୁ କଳାକାର ଭାବେ ଯେତିକି ଦାୟିତ୍ବ ଥିଲା ଏବେ ତାହା ବଢ଼ିଛି। ସେତେବେଳେ ବି ଅଭିନୟକୁ ଉପଭୋଗ କରୁଥିଲି ଏବେ ବି କରୁଛି। ସେ ସମୟ ଅପେକ୍ଷା ଏବେ କାମକୁ ନେଇ ଅଧିକ ସଚେତନ ହେବାକୁ ପଡୁଛି।

ଶୁଣାଯାଏ ଯେ ଆପଣ ଅନ୍ୟ ଅଭିନେତାଙ୍କ ଅପେକ୍ଷା ଅଧିକ ପାରିଶ୍ରମିକ ଦାବି କରନ୍ତି ଓ ସେଥିପାଇଁ ଆପଣଙ୍କ ସିନେମା ସଂଖ୍ୟା ଖୁବ୍ କମ୍। ଏହା ସତ କି?
ଆଜ୍ଞା ସତ। ମୁଁ ବିଶ୍ବାସ କରେ ଯେ ଚରିତ୍ରକୁ ଯେତିକି ପାରିଶ୍ରମିକ ମିଳିବା ଉଚିତ ସେତିକି ମିଳୁ। ବେଳେ ବେଳେ ସିନେମାର କାହାଣୀ ଯଦି ଅତି ଭଲ ଥାଏ ତ ମୁଁ ପାରିଶ୍ରମିକ ସହ ସାଲିସ୍ କରିଛି। ମୁଁ ଏକା ସାଥୀରେ ଏକାଧିକ ସିନେମାର ସୁଟିଂ କରିବାକୁ ଭଲପାଏନି। ଗୋଟାଏ ସମୟରେ ଗୋଟାଏ ସିନେମାକୁ ହିଁ ଗୁରୁତ୍ବ ଦେଇଥାଏ। ସେଥିପାଇଁ ମୋ ସିନେମା ସଂଖ୍ୟା କମ୍ ହେବା ସ୍ବାଭାବିକ।

ଅଭିନୟ ବ୍ୟତୀତ ଆପଣ କିଛି ଡକ୍ୟୁମେଣ୍ଟାରି ଓ ସର୍ଟ ଫିଲ୍ମର ନିର୍ଦ୍ଦେଶନା ବି ଦେଇଛନ୍ତି। ନିର୍ଦ୍ଦେଶକ ହେବାକୁ ଇଚ୍ଛା ରଖିଛନ୍ତି କି?
ନିଶ୍ଚିତ। ମୁଁ ମୋର କଳାକୁ କେବଳ ଜଣେ କଳାକାର ଭାବେ ଆବଦ୍ଧ କରିବାକୁ ଚାହେଁନି। ମୁଁ ଜଣେ କଳାକାର ଓ ନିର୍ଦ୍ଦେଶକ ଭାବେ ନିଜକୁ ଗଢ଼ିତୋଳିବାକୁ ଚାହେଁ। ଏହି ଦୁଇଟିଯାକ କ୍ଷେତ୍ରରେ ମୁଁ ମୋର ଦକ୍ଷତା ପ୍ରଦର୍ଶନ କରିବାର ଇଚ୍ଛା ରଖିଛି।

ସୁଯୋଗ ମିଳିଲେ କେଉଁ ଓଲିଉଡ୍ ଅଭିନେତ୍ରୀଙ୍କ ସହ ‘ଡେଟ୍’ରେ ଯିବାକୁ ଚାହିଁବେ?
ହା… ହା। ମୋ ଜେଜେମାଆ ମନା କରିଛନ୍ତି ଆଜ୍ଞା। ଆମ ଘରେ ମୋତେ କୁହାଯାଇଛି ଯେ ସିନେମା ଇଣ୍ଡଷ୍ଟ୍ରିର କେଉଁ ବି ଝିଅ ଯେପରି ମୋ ଜୀବନରେ ନ ଆସନ୍ତି। ମୁଁ ତାହା ମାନିଛି ମଧ୍ୟ।

ସ୍ବରାଜଙ୍କ ଜୀବନସାଥୀ କେମିତି ହୋଇଥିବା ଦରକାର? କିପରି ଝିଅଟିଏ ମିଳିଲେ ଆପଣ ବିବାହ କରିବେ?
ଏବେ ତ ମୋ ବାହାଘର ବୟସ ହୋଇନାହିଁ। ଯେବେ ବି ବାହାହେବି, ମୋ ସହିତ ମୋ ପରିବାର ଲୋକଙ୍କୁ ବି ଭଲପାଇ ପାରୁଥିବା ପରି ଝିଅକୁ ବାହାହେବି। ମୁଁ ଚାହେଁ, ମୋର ଯିଏ ପତ୍ନୀ ହେବେ ସେ ମୋ ଘର ଲୋକଙ୍କୁ ନିଜର ବୋଲି ଭାବିବେ।

ଆପଣଙ୍କ ପ୍ରିୟ ଅଭିନେତା କିଏ, ଯାହାଙ୍କୁ ଆପଣ ନିଜର ପ୍ରେରଣା ବୋଲି ଭାବନ୍ତି?
ମୁଁ ସମସ୍ତଙ୍କ ଅଭିନୟକୁ ନିରୀକ୍ଷଣ କରେ। ସମସ୍ତଙ୍କ ମଧ୍ୟରୁ ବଲିଉଡ୍‌ରେ ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍ ଓ ଓଲିଉଡ୍‌ର ମିହିର ଦାସ ମୋର ଖୁବ୍ ପ୍ରିୟ।

ଆପଣଙ୍କ ପ୍ରିୟ ନିର୍ଦ୍ଦେଶକ କିଏ? କାହା ସହ କାମ କରିବାକୁ ବେଶି ଭଲପାଆନ୍ତି?
ଜଣେ ଗୁରୁ କହିପାରିବେ ତାଙ୍କର ପ୍ରିୟ ଶିଷ୍ୟ କିଏ। ଜଣେ ଶିଷ୍ୟ ପକ୍ଷେ ପ୍ରିୟ ଗୁରୁ ବାଛିବା କଷ୍ଟ। କାରଣ ପ୍ରତ୍ୟେକ ଗୁରୁ ଆମକୁ ଭିନ୍ନ ଶିକ୍ଷା ଦେଇଥାନ୍ତି। ସମସ୍ତ ନିର୍ଦ୍ଦେଶକଙ୍କୁ ମୁଁ ନିଜ ଗୁରୁ ବୋଲି ଭାବେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରିୟ ବୋଲି ମୁଁ କହିପାରିବି ନାହିଁ।

ସମ୍ବନ୍ଧିତ ଖବର