ଆଲିଆରୁ କିଆରା: ସଫଳତାର ପାହାଚ ଚଢ଼ୁଛନ୍ତି ଏହି ନାୟିକା

ନିଜର ପ୍ରଥମ ହାସ୍ୟୋଦ୍ଦୀପକ ହିନ୍ଦୀ ଚଳଚ୍ଚିତ୍ର ‘ଫଗଲି’ରେ ଅଭିନୟ ଆରମ୍ଭ କରିଥିବା ବଲିଉଡ୍‌ର ଅଗ୍ରଣୀ ନାୟିକା ଆଲିଆ ଆଡଭାନି ଉଭୟ ସଫଳତା ଓ ବିଫଳତାର ପାହାଚ ଚଢ଼ି ନିଜକୁ ବେଶ୍‌ ପୋଖତ କରି ଚାଲିଛନ୍ତି। ୨୦୧୪ରେ ତାଙ୍କର ସେହି ପ୍ରଥମ ପଦାର୍ପଣ ବେଳକୁ ବଲିଉଡ୍‌ରେ ଆଲିଆ (ଭଟ୍ଟ) ଏକ ପରିଚିତ ନାମ ହୋଇସାରିଥିବାରୁ ଅଭିନେତା ସଲମାନ୍‌ ଖାଁଙ୍କ ପରାମର୍ଶ କ୍ରମେ ସେ ନିଜ ନାମ ବଦଳାଇ କିଆରା ରଖିଥିଲେ। ମୁମ୍ବାଇଠାରେ ୧୯୯୨ ଜୁଲାଇ ୩୧ରେ ଜନ୍ମିତ କିଆରା ୨୦୧୬ରେ ‘ଏମ୍‌ ଏସ୍‌ ଧୋନି: ଦି ଅନ୍‌ଟୋଲ୍‌ଡ ଷ୍ଟୋରି’ରେ ଧୋନିଙ୍କ ପତ୍ନୀ ଭୂମିକାରେ ଅବତୀର୍ଣ୍ଣ ହୋଇ ବେଶ ଲୋକପ୍ରିୟ ହୋଇପାରିଥିଲେ। ଏହାପରେ ୨୦୧୭ରେ ତାଙ୍କ ଅଭିନୀତ ରୋମାଞ୍ଚଭରା ଚଳଚ୍ଚିତ୍ର ‘ମେସିନ୍‌’ ପୁଣି ବିଫଳତାର ସ୍ବାଦ ଚଖାଇ ତାଙ୍କୁ କିଛି ମାତ୍ରାରେ ହତୋତ୍ସାହିତ କରିଥିଲା। ୨୦୧୮ରେ ‘ଲଷ୍ଟ୍‌ ଷ୍ଟୋରିଜ୍‌’ ମାଧ୍ୟମରେ ତାଙ୍କର ଓଟିଟି ପ୍ରବେଶ ଖୁବ୍ ଚର୍ଚ୍ଚିତ ହୋଇଥିଲା। ତା’ପରେ ହିଟ୍‌ ତେଲୁଗୁ ସିନେମା ‘ଭାରତ ଆନେ ନେନୁ’ରେ କିଆରାଙ୍କ ସଂକ୍ଷିପ୍ତ ଭୂମିକା ଦର୍ଶକଙ୍କ ମନରେ କିଛି ଅଲିଭା ଛାପ ଛାଡ଼ିଥିଲା।

Twitter

ସେହିପରି ସେହିବର୍ଷ ୟୋ ୟୋ ହନିସିଂହଙ୍କ ସଙ୍ଗୀତ ଆଲବମ୍‌ ‘ଉର୍ବଶୀ’ରେ ଶାହିଦ କପୂରଙ୍କ ସହ କିଆରାଙ୍କ ଆବିର୍ଭାବ ବେଶ୍‌ ରୋଚକ ହୋଇଥିଲା। ଅଭିଷେକ ବର୍ମନ୍‌ଙ୍କ ‘କଳଙ୍କ’ରେ ସେ ଏକ ବିଶେଷ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ।

ଏହା ଉଚ୍ଚ ପ୍ରଶଂସିତ ହେବା ସହ ତାଙ୍କର ପରବର୍ତ୍ତୀ ଆକର୍ଷଣ ‘କବୀର ସିଂହ’ ଅନୁରୂପ ଲୋକପ୍ରିୟତା ସାଉଁଟିଥିଲା। ସେହିପରି ୨୦୧୯ରେ ହାସ୍ୟରସାତ୍ମକ ଫିଲ୍ମ ‘ଗୁଡ୍‌ ନିଉଜ୍‌’ରେ ମଧ୍ୟ କିଆରାଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା। ଗତବର୍ଷ ମୁକ୍ତିଲାଭ କରିଥିବା ଯୁଦ୍ଧ ସିନେମା ‘ଶେରଶାହ’ରେ କିଆରାଙ୍କ ଅଭିନୟ ବେଶ୍ ମର୍ମସ୍ପର୍ଶୀ ହୋଇଥିଲା। ଚଳିତବର୍ଷ ଖେଳିଥିବା ‘ଭୁଲ ଭୁଲୈୟା-୨’ ଓ ‘ଯୁଗଯୁଗ ଜିଓ’ରେ କିଆରାଙ୍କ ଅଭିନୟକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି। ଏହିପରି ଭାବେ ୨୫ରୁ ଅଧିକ ହିନ୍ଦୀ ଓ ତେଲୁଗୁ ସିନେମାରେ ମିଶ୍ର ଅଭିଜ୍ଞତା ହାସଲ କରିଥିବା କିଆରାଙ୍କର ଆଗାମୀ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଆସନ୍ତା ବର୍ଷ ମୁକ୍ତିଲାଭ କରିବାକୁ ଥିବା ବେଳେ ଏକ ତେଲୁଗୁ ଫିଲ୍ମର ସୁଟିଂରେ ଏବେ ସେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର