ଭାରତୀୟ ସିନେମାର ସବୁଠୁ ବଡ଼ ସମ୍ମାନ ରୂପେ ସ୍ବୀକୃତ ଦାଦାସାହେବ ଫାଲ୍‌କେ ପୁରସ୍କାର ଚଳିତ ବର୍ଷ ପାଇବେ ଅଭିନେତ୍ରୀ ୱାହିଦା ରହେମାନ। ପୂର୍ବରୁ ଅଭିନୟ ପାଇଁ ଜାତୀୟ ପୁରସ୍କାର ପାଇ ସାରିଥିବା ୱାହିଦାଙ୍କୁ ୧୯୭୨ରେ ପଦ୍ମଶ୍ରୀ ଓ ୨୦୧୧ରେ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରା ଯାଇଥିଲା। ନିଜ କ୍ୟାରିୟର୍‌ର ସର୍ବୋଚ୍ଚ ସମୟରେ ସେ ଅଭିନୟ କରିଥିବା ‘ପ୍ୟାସା’, ‘ସାହିବ ବିବି ଔର୍‌ ଗୁଲାମ୍’ ଓ ‘ରେଶ୍‌ମା ଔର୍‌ ସେରା’ ଭଳି ଫିଲ୍ମଗୁଡ଼ିକ ଆଜିମଧ୍ୟ ବଲିଉଡ୍ ପ୍ରେମୀଙ୍କ ଦ୍ବାରା ଆଦୃତ। କେବଳ ସେତିକି ନୁହେଁ, ବୟସର ଅପରାହ୍‌ଣରେ ‘ଲମ୍‌ହେ’ ଓ ‘ରଙ୍ଗ୍‌ ଦେ ବସନ୍ତୀ’ ଭଳି ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ତାଙ୍କର ଅମଳିନ ସ୍ବାତନ୍ତ୍ର୍ୟକୁ ପ୍ରମାଣିତ କରିଛି।

Advertisment

ତେଲୁଗୁ ଫିଲ୍ମ ‘ରୋଜୁଲୁ ମରାୟି’ ଜରିଆରେ ୧୯୫୫ରେ ୱାହିଦା ଅଭିନୟ ଦୁନିଆରେ ପାଦ ରଖିଥିଲେ। ବଲିଉଡ୍‌ରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ସିଆଇଡି’, ନାୟକ ଥିଲେ ଦେବ ଆନନ୍ଦ। ଉଲ୍ଲେଖନୀୟ ଯେ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବାରେ ୱାହିଦା ହେଉଛନ୍ତି ଚତୁର୍ଥ ଅଭିନେତ୍ରୀ। ତାଙ୍କ ଆଗରୁ ୧୯୬୯ରେ ଦେବୀକା ରାଣୀ, ୧୯୭୩ରେ ରୁବି ମେୟର୍ସ ଓ ୨୦୨୦ରେ ଆଶା ପାରେଖ୍ ଏହି ସମ୍ମାନ ଲାଭ କରିଥିଲେ।
୫୦ରୁ ଅଧିକ ବର୍ଷର ଅଭିନୟ ଜୀବନରେ ୱାହିଦା ଅନେକ ସ୍ମରଣୀୟ ଭୂମିକାରେ, ଅନେକ ସଫଳ ସ୍ମରଣୀୟ ଫିଲ୍ମରେ ଦର୍ଶକଙ୍କ ଆଗକୁ ଆସିଛନ୍ତି। ସେଥିମଧ୍ୟରୁ ଦଶଟି ଶ୍ରେଷ୍ଠ ଫିଲ୍ମ ବାଛିବା ସହଜ ନୁହେଁ। ତେବେ ଚେଷ୍ଟା କରାଯାଉ!

ଗାଇଡ୍‌: ପ୍ରସିଦ୍ଧ ଲେଖକ ଆର୍‌କେ ନାରାୟଣଙ୍କ ପ୍ରସିଦ୍ଧ ଉପନ୍ୟାସର ଆଧାରରେ ତିଆରି ଏ ଫିଲ୍ମଟି ଥିଲା ଅଭି‌ନେତା ଦେବ ଆନନ୍ଦଙ୍କର ସ୍ବପ୍ନର ପ୍ରୋଜେକ୍ଟ। ଏ ଫିଲ୍ମଟି ରୋମାନ୍‌ସ, ଡ୍ରାମା ଓ ଏକ ସୁନ୍ଦର କାହାଣୀର ସମିଶ୍ରଣ। ସେଥିରେ ୱାହିଦା ଥିଲେ ଜଣେ ବିଦ୍ରୋହିଣୀ ମହିଳାର ଭୂମିକାରେ, ଯାହାର ନାଁ ‘ରୋଜି’। ‘ଗାଇଡ୍‌’ ଆଜି ମଧ୍ୟ ନୂଆ ପିଢ଼ିର ଦର୍ଶକଙ୍କୁ ମୁଗ୍ଧକରେ।

ସିଆଇଡି: ଆଗରୁ କହିଛୁ, ଏଇ ଫିଲ୍ମଟି ଜରିଆରେ ୱାହିଦାଙ୍କ ବଲିଉଡ୍‌ ଯାତ୍ରା ଆରମ୍ଭ ହୋଇଥିଲା। ‘ଗାଇଡ୍‌’ରେ ନାୟକ ଥିଲେ ଦେବ ଆନନ୍ଦ। ଗୁରୁ ଦତ୍ତଙ୍କ ପ୍ରଯୋଜିତ ଏ ଫିଲ୍ମର ନିର୍ଦ୍ଦେଶକ ଥିଲେ ରାଜ୍ ଖୋସଲା। ଏହାକୁ ବଲିଉଡ୍‌ର ଏକ କ୍ଲାସିକ୍‌ ଥ୍ରିଲର୍‌ ଭାବେ ସ୍ବୀକାର କରାଯାଏ।

ପ୍ୟାସା: ‘ପ୍ୟାସା’ ବଲିଉଡ୍‌ର ଏକ କ୍ଲାସିକ୍‌ କଲ୍‌ଟ ଫିଲ୍ମ ଭାବେ ସ୍ବୀକୃତ। ଅଭିନୟରେ ଏଥିରେ ୱାହିଦାଙ୍କ ସହିତ ଥିଲେ ଗୁରୁ ଦତ୍ତ ଓ ମାଲା ସିହ୍ନା। ଫିଲ୍ମର କାହାଣୀର କେନ୍ଦ୍ରରେ ଅଛି ସଂଘର୍ଷ କରୁଥିବା ଜଣେ କବି- ବିଜୟ।

ଚୌଦବି କା ଚାନ୍ଦ: ୧୯୬୦ରେ ରିଲିଜ୍ ହୋଇଥିବା ଏ ଫିଲ୍ମର ନିର୍ଦ୍ଦେଶକ ଥିଲେ ଏମ୍ ସାଦିକ୍‌। ଫିଲ୍ମରେ ୱାହିଦାଙ୍କ ନାୟକ ଭୂମିକାରେ ଅଭିନୟ କରିଥିଲେ ଗୁରୁ ଦତ୍ତ। ଫିଲ୍ମରେ ବନ୍ଧୁତାର କାହାଣୀ ଅଛି, ଅଛି ଏକ ତ୍ରିକୋଣୀୟ ପ୍ରେମ ମଧ୍ୟ, ଯେଉଁଥିରେ ଦୁଇଜଣ ସାଙ୍ଗ ଜଣେ ଯୁବତୀର ପ୍ରେମରେ ପଡ଼ି ଯାଆନ୍ତି। ଏ ଫିଲ୍ମର କାହାଣୀ ବନ୍ଧୁତା, ପ୍ରେମ ଓ ତ୍ୟାଗର ସୁନ୍ଦର କାହାଣୀ କହେ।

କାଗଜ୍‌ କେ ଫୁଲ୍‌: ‘କାଗଜ୍‌ କେ ଫୁଲ୍‌’କୁ ଭାରତୀୟ ସିନେମାର ଏକ ଶ୍ରେଷ୍ଠ କୀର୍ତ୍ତି ରୂପେ ଗ୍ରହଣ କରାଯାଏ। ଗୁରୁ ଦତ୍ତ ସେ ଫିଲ୍ମରେ ଜଣେ ନିର୍ଦ୍ଦେଶକର ଭୂମିକାରେ ଅଛନ୍ତି। ସେ ନିର୍ଦ୍ଦେଶକ ନିଜ ପତ୍ନୀ ସହିତ ସହିତ ଅଦାଲତ ମାମଲାରେ ଅନେକ କିଛି ହରାଇ ଦିଏ। ତା’ପରେ ସେ ଜଣେ ନବାଗତା ଅଭିନେତ୍ରୀକୁ ସୁଯୋଗ ଦେଇଛି। ସେ ଅଭିନେତ୍ରୀ ବିପୁଳ ସଫଳତା ହାସଲ କରିଛି। ଏଇ ନବାଗତା ଅଭିନେତ୍ରୀ ଭୂମିକାରେ ୱାହିଦାଙ୍କ ନିଖୁଣ ଅଭିନୟ ଆଜିମଧ୍ୟ ଲୋକେ ମନେ ପକାନ୍ତି।
ନୀଲ୍‌ କମଲ୍‌: ରାମ ମାହେଶ୍ବରୀଙ୍କର ଫିଲ୍ମ ‘ନାଲ୍‌ କମଲ୍‌’ରେ ଏକ ବଡ଼ ଷ୍ଟାର୍‌ କାଷ୍ଟ୍ ଥିଲା- ୱାହିଦା ରହେମାନ୍‌, ରାଜ କୁମାର, ମନୋଜ କୁମାର ଓ ଲଲିତା ପାୱାର। ଚମତ୍କାର କାହାଣୀ ଓ ସଙ୍ଗୀତ ଏ ଫିଲ୍ମକୁ ଆଜି ମଧ୍ୟ ଅବିସ୍ମରଣୀୟ କରି ରଖିଛି।

ତିସ୍‌ରି କସମ୍‌: ୧୯୬୬ରେ ରିଲିଜ୍‌ ହୋଇଥିବା ଏ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ବାସୁ ଭଟ୍ଟାଚାର୍ଯ୍ୟ। ବିଖ୍ୟାତ ହିନ୍ଦୀ ଲେଖକ ଫଣୀଶ୍ବର ନାଥଙ୍କ ଗଳ୍ପ ‘ମାରେ ଗୟେ ଗୁଲାମ୍‌’ ଉପରେ ଆଧାରିତ ଏ ଫିଲ୍ମରେ ୱାହିଦାଙ୍କ ସହିତ ଅଭିନୟରେ ଥିଲେ ରାଜ୍‌ କପୁର, ଇଫ୍‌ତିକର ଓ ଅସିତ ସେନ। ଏହାର କାହାଣୀ ଆଜି ମଧ୍ୟ ବାସ୍ତବ ଲାଗେ।

ପଥର୍‌ କେ ସନମ୍‌: ‘ପଥର୍‌ କେ ସନମ୍‌’ରେ ୱାହିଦାଙ୍କ ସହିତ ଅଭିନୟ କରିଥିଲେ ମନୋଜ କୁମାର, ମେହମ୍ମୁଦ ଓ ମମତାଜ୍‌। ଆଜିଯାଏ ଦର୍ଶକଙ୍କ ଛାତି ଭିତରେ ଥିବା ଏ ଫିଲ୍ମର ନିର୍ଦ୍ଦେଶକ ଥିଲେ ରାଜା ନୱାଥେ।

ଖାମୋଶୀ: ଏ ଫିଲ୍ମରେ ଅଛି ନିଜର ଜଣେ ରୋଗୀର ପ୍ରେମରେ ପଡ଼ି ଯାଇଥିବା ଏକ ନର୍ସର କାହାଣୀ। ନିଜର ବ୍ୟକ୍ତିଗତ ଓ ପେସାଗତ ଜୀବନକୁ ସନ୍ତୁଳନ କରିବା ଭିତରେ ତା’ର ସଂଘର୍ଷ ଏ ଫିଲ୍ମରେ ଅଛି। ଫିଲ୍ମରେ ୱାହିଦାଙ୍କ ସହିତ ଅଛନ୍ତି ରାଜେଶ ଖାନ୍ନା, ନସିର୍‌ ହୁସେନ୍‌ ଓ ସ୍ନେହଲତା।

ସାହିବ ବିବି ଔର୍‌ ଗୁଲାମ୍: ନିର୍ଦ୍ଦେଶକ ଅବରାର୍‌ ଆଲ୍‌ଭିଙ୍କର ‘ସାହିବ ବିବି ଔର୍‌ ଗୁଲାମ୍’କୁ ଏକ ସିନେ ମାଷ୍ଟର୍‌ପିସ୍‌ ଭାବେ ଗ୍ରହଣ କରାଯାଏ। ଆକର୍ଷଣୀୟ ଷ୍ଟାର୍‌କାଷ୍ଟ ଓ ଅଭିନୟ ସହିତ ଦର୍ଶକଙ୍କୁ ଶ୍ବାସରୁଦ୍ଧ ଭାବେ ବାନ୍ଧି ରଖିବାରେ ସକ୍ଷମ ଗତିଶୀଳ କାହାଣୀକୁ ନେଇ ଏ ଫିଲ୍ମ‌ଟି ସବୁ ଦୃଷ୍ଟିରୁ ଚମତ୍କାର କୁହାଯାଏ। ସେଥିପାଇଁ ‘ସାହିବ ବିବି ଔର୍‌ ଗୁଲାମ୍’ ଓସ୍କାର୍‌ରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଇଥିଲା।