ଏବେ କାଠଗଡ଼ା ଭିତରେ କର୍ଣ୍ଣାଟକର ୨ ବରିଷ୍ଠ ମହିଳା ଆଇପିଏସ୍‌- ଆଇଏଏସ୍‌ ଅଧିକାରୀଙ୍କ ଲଢ଼େଇ

ବେଙ୍ଗାଲୁରୁ: ଆଇପିଏସ୍‌ ଅଫିସର ଡି ରୂପା ମୌଦଗିଲଙ୍କ ସମେତ ୬୦ ଜଣଙ୍କ ବିରୋଧରେ ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରି ମାମଲା ଦାୟର କରିବା ପରେ ଦୁଇ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ବିବାଦ ସିଟି ସିଭିଲ୍‌ ଆଣ୍ଡ ସେସନ୍‌ସ କୋର୍ଟରେ ପହଞ୍ଚିଛି। ଫେବ୍ରୁଆରି ୨୧ ତାରିଖରେ ସିନ୍ଧୁରି ଏହି ମାମଲା ଦାୟର କରିଥିଲେ ଏବଂ ବୁଧବାର ଏହାର ଶୁଣାଣି ଅତିରିକ୍ତ ସିଟି ସିଭିଲ ଆଣ୍ଡ ସେସନ୍‌ସ ଜଜ୍‌ଙ୍କ ନିକଟରେ ହୋଇଥିଲା।

ସିନ୍ଧୁରିଙ୍କ ଓକିଲ ଗଣମାଧ୍ୟମ ଏବଂ ମୌଦଗିଲଙ୍କୁ ତାଙ୍କ ବିରୋଧରେ ମିଥ୍ୟା ଏବଂ ଅପମାନଜନକ ବୟାନ ଦେବା ଏବଂ ପ୍ରକାଶ କରିବା ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ଅଦାଲତଙ୍କୁ କୁହାଯାଇଛି ଯେ ସେବା ନିୟମ ଅନୁଯାୟୀ ସିନ୍ଧୁରି ପୂର୍ବରୁ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟରେ ଅଭିଯୋଗ କରିସାରିଛନ୍ତି ଏବଂ ମୌଦଗିଲଙ୍କ ବିରୋଧରେ ପୁଲିସରେ ମଧ୍ୟ ଅଭିଯୋଗ କରିଛନ୍ତି।

ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ ମୌଦଗିଲ ବେଆଇନ ଭାବେ ମୋବାଇଲ ଫୋନରୁ ବିବରଣୀ ହାସଲ କରି ଏହାକୁ ସାର୍ବଜନୀନ କରିଛନ୍ତି। ମାମଲାରେ ଦର୍ଶାଯାଇଛି ଯେ ଆଇପିଏସ୍‌ ଅଧିକାରୀ ତାଙ୍କ ଫେସବୁକ୍‌ ପେଜରେ ସିନ୍ଧୁରିଙ୍କ ବ୍ୟକ୍ତିଗତ ଫଟୋ ପ୍ରକାଶ କରିଥିଲେ ଏବଂ ଏଥିସହ ତାଙ୍କ ମୋବାଇଲ ନମ୍ବର ମଧ୍ୟ ପ୍ରକାଶ କରିଥିଲେ। ତେବେ, ଶୁଣାଣି ପରେ ରାୟ ପାଇଁ ଅଦାଲତ ମାମଲାକୁ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ସିନ୍ଧୁରିଙ୍କ ବିରୋଧରେ ମୌଦଗିଲ ଅଭିଯୋଗ ଆଣିଥିଲେ ଯେ ସେ ଅନେକ ଭୁଲ କରିଛନ୍ତି ଏବଂ ତାଙ୍କ ଫଟୋ ଅନ୍ୟ ଆଇଏଏସ୍‌ ଅଫିସରମାନଙ୍କୁ ପଠାଇଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହି ସିନ୍ଧୁରି ପାଲଟା ଅଭିଯୋଗ କରିଥିଲେ ଯେ ଦାୟିତ୍ୱସମ୍ପନ୍ନ ପଦରେ ଥିବା ମୌଦଗିଲ ବ୍ୟକ୍ତିଗତ ଘୃଣାରୁ ତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଉଛନ୍ତି ଏବଂ ମାନସିକ ଭାରସାମ୍ୟ ହରାଇ ଥିବା ଭଳି ଆଚରଣ କରୁଛନ୍ତି।

ଏହି ଘଟଣାକୁ କେନ୍ଦ୍ର କରି ଦୁଇ ପଦସ୍ଥ ଅଧିକାରୀଙ୍କ ତୀବ୍ର ବିବାଦ ଆରମ୍ଭ ହୋଇଥିଲା। ତେବେ, ଆଇପିଏସ୍‌- ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦ କ୍ରମଶଃ ଲଜ୍ଜାର କାରଣ ପାଲଟିଥିବା ବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏହି ଦୁଇ ଅଧିକାରୀଙ୍କୁ ବିନା ନିଯୁକ୍ତିରେ ବଦଳି କରଥିଲେ।

ସମ୍ବନ୍ଧିତ ଖବର