ଗତ ୫ବର୍ଷରେ ୨୩ ହଜାର ବ୍ୟାଙ୍କ ଠକେଇ ହୋଇଛି, ମୋଟ କ୍ଷତି ପରିମାଣ ୧ ଲକ୍ଷ କୋଟି

ମୁମ୍ବାଇ : ଦେଶରେ ଗତ ୫ ବର୍ଷରେ ପ୍ରାୟ ୨୩ ହଜାର ବ୍ୟାଙ୍କ ଠକେଇ ହୋଇଛି । ଏସବୁ ଠକେଇ ଦ୍ୱାରା ବ୍ୟାଙ୍କଗୁଡ଼ିକର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି । ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ୫୧୫୨ଟି ବ୍ୟାଙ୍କ ଋଣ ଠକେଇ ହୋଇଥିଲା ଯାହାକି ୨୦୧୬-୧୭ ଆର୍ଥିକ ବର୍ଷରେ ୫୦୭୬ ଥିଲା ।  ୨୦୧୭-୧୮ ଆର୍ଥିକ ବର୍ଷରେ ଏସବୁ ଠକେଇଗୁଡ଼ିକର ମୋଟ ମୂଲ୍ୟ ୨୮,୪୫୯ କୋଟି ଟଙ୍କା ହେବା ବେଳେ ୨୦୧୬-୧୭ରେ ହୋଇଥିବା ୫୦୭୬ଟି ଠକେଇର ମୋଟ ପରିମାଣ  ୨୩,୯୩୩ କୋଟି ଟଙ୍କା ଥିଲା ।  ୨୦୧୩-୧୪ରେ ମୋଟ ୪୩୦୬ଟି ଠକେଇ ହୋଇଥିବାବେଳେ ସେଗୁଡ଼ିକର ମୋଟ ମୂଲ୍ୟ ୧୦,୧୭୦ କୋଟିି ଟଙ୍କା ଥିଲା ।  ୨୦୧୪-୧୫ରେ ୪୬୩୯ଟି ବ୍ୟାଙ୍କ ଠକେଇ ମାମଲା ଓ ୨୦୧୫-୧୬ରେ ୪୬୯୩ଟି ଠକେଇ ହୋଇଥିଲା । ରିଜର୍ଭ ବ୍ୟାଙ୍କର ଏହି ତଥ୍ୟରୁ ଜଣାପଡୁଛି ଯେ ଗତ ଅନେକ ବର୍ଷ ଧରି ବ୍ୟାଙ୍କରେ ଋଣ ଠକେଇ ମାମଲା ବେଶ ସାଧାରଣ କଥା ହୋଇଗଲାଣି । ଉପରୋକ୍ତ ଠକେଇ ମାମଲା ଗୁଡ଼ିକ ମଧ୍ୟରେ ନିରବ ମୋଦି, ମେହୁଲ ଚୋକସୀ, ଭିଡିଓକୋନ ଠକେଇ, ବିଜୟମାଲ୍ୟା ଠକେଇ ଆଦି ବଡ଼ ବଡ଼ ଓ ଚର୍ଚ୍ଚିତ ମାମଲା ମଧ୍ୟ ଅନ୍ତର୍ଭୁକ୍ତ ।

ସୂଚନାଯୋଗ୍ୟ ଯେ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ପିଏନବିରୁ ୧୩ ହଜାର କୋଟି ଟଙ୍କା ଠକେଇ କରିଥିବା ଗତ ଫେବ୍ରୁଆରୀ ମାସରେ ଜଣାପଡିଥିଲା । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ଏକ ମନି ଲଣ୍ଡରିଂ ମାମଲା ରଜ୍ଜୁ  କରି ତଦନ୍ତ କରୁଛି ।

 

 

ସମ୍ବନ୍ଧିତ ଖବର