ହିମାଚଳ ପ୍ରଦେଶରେ ୨୫୦୦ କୋଟିର କ୍ରିପ୍ଟୋ କରେନ୍ସି ଘୋଟାଲା: ୫ ହଜାର ସରକାରୀ କର୍ମଚାରୀ ସମେତ ୧ ଲକ୍ଷ ବ୍ୟକ୍ତିଙ୍କୁ ଚୂନ

୨୦୦ କୋଟି ରୋଜଗାର କରି ଦୁବାଇ ଫେରାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ/ସିମ୍‌ଲା: ହିମାଚଳ ପ୍ରଦେଶରେ ୨୫୦୦ କୋଟି ଟଙ୍କାର କ୍ରିପ୍ଟୋକରେନ୍ସିର ଘୋଟାଲା ହୋଇଛି। ୫ ହଜାର ସରକାରୀ କର୍ମଚାରୀଙ୍କ ସମେତ ୧ ଲକ୍ଷ ଲୋକ ଠକେଇର ଶିକାର ହୋଇଛନ୍ତି। ୪ ଜଣ ପୁଲିସ କର୍ମଚାରୀଙ୍କ ସମେତ ୧୮ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଏଥିସହିତ ୧୨ କୋଟି ଟଙ୍କାର ସଂପତ୍ତି ବି ଜବତ ହୋଇଛି। ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି। ଆତଙ୍କବାଦୀ ପାଣ୍ଠି ଯୋଗାଣ ଆଶଙ୍କାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ସହାୟତା ମଧ୍ୟ ଲୋଡ଼ାଯାଇଛି।
ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ କହିବାନୁଯାୟୀ, କ୍ରିପ୍ଟୋ କରେନ୍ସି ଘୋଟାଲାରେ ୫୦୦ କୋଟି ଟଙ୍କା ଫେରିବ ନାହିଁ। ତଥ୍ୟାଭିଜ୍ଞ ମହଲର ସୂଚନା ଅନୁଯାୟୀ, କ୍ରିପ୍ଟୋ କରେନ୍ସି ଠକେଇର ମାଷ୍ଟରମାଇଣ୍ଡ୍‌ ସୁଭାଷ ଶର୍ମା ୨୦୦ କୋଟି ରୋଜଗାର କରି ଦୁବାଇ ପଳାଇଛି। ତା’କୁ ଭାରତ ଆଣିବା ଉଦ୍ୟମ ଜାରି ରହିଛି। କ୍ରିପ୍ଟୋ କରେନ୍ସିରେ ୫୦୦୦ ସରକାରୀ କର୍ମଚାରୀ ଅର୍ଥ ଲଗାଇଛନ୍ତି। ଏହି ମାୟାରେ ପଡ଼ି କିଛି ବ୍ୟକ୍ତି ଚାକିରି ମଧ୍ୟ ଛାଡ଼ି ଦେଇଛନ୍ତି। ଜମି ପାଇଁ କ୍ଷତିପୂରଣ ପାଇଥିବା ବ୍ୟକ୍ତିମାନେ ମଧ୍ୟ ଏଥିରେ ଅର୍ଥ ଲଗାଇଛନ୍ତି। ଏହି ମାମଲାରେ ପୁଲିସ ୮୦ଟି ମୋବାଇଲ ଫୋନ୍‌ ଜବତ କରିଛି।

ଅର୍ଥ ଦୁଇଗୁଣା ହେବା ଲୋଭରେ ୧ ଲକ୍ଷ ଲୋକ ଠକିଯାଇଛନ୍ତି। ଘୋଟାଲାରେ ପୁଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ୨ କୋଟିରୁ ଅଧିକ ରୋଜଗାର କରିଥିବା ୪ ଜଣ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି। ଗତ ମାର୍ଚ୍ଚରେ ୮ ଜଣ ‌ଲୋକଙ୍କ ଅଭିଯୋଗ ଆଧାରରେ ଏସ୍‌ଆଇଟି ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦୦ ଲୋକ ଅଭିଯୋଗ କରିଛନ୍ତି। ହିମାଚଳ ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ସଂଜୟ କୁଣ୍ଡୁଙ୍କ କହିବାନୁଯାୟୀ, ଏହି ମାମଲାରେ ଜବତ ହୋଇଥିବା ୧୨ କୋଟି ସଂପତ୍ତି ମଧ୍ୟରୁ ୩ କୋଟି ଟଙ୍କାର ସଂପତ୍ତି ମୁଖ୍ୟ ଅଭିଯୁକ୍ତ ସୁଭାଷ ଶର୍ମାର। କୋର୍ଟରେ ପୁଲିସ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ମଣ୍ଡି ଏବଂ ହମିରପୁରର ‌ଅଧିକ ଲୋକ ଏହି ଠକେଇର ଶିକାର ହୋଇଛନ୍ତି। ସେମାନଙ୍କ ସହିତ କାଙ୍ଗଡ଼ା, ସିରମୋର, କୁଲ୍ଲୁ, ବିଳାସପୁରର ଲୋକ ବି ଠକେଇର ଶିକାର ହୋଇଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନରେ ଏହି ମାମଲା ପ୍ରଥମେ ଦେହରା ବିଧାୟକ ହୋଶିୟାର ସିଂହ ଉଠାଇବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ଉକ୍ତ ଘୋଟାଲା ସାମ୍ନାକୁ ଆସିଥିଲା। ଦେହରା ବିଧାନସଭା କ୍ଷେତ୍ରର ଶତାଧିକ ଲୋକ ଏହି ଠକେଇର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର