ଦୁଃଖ ବଖାଣିଲେ କସାବ ବିରୋଧରେ ସାକ୍ଷୀ ଦେଇଥିବା ଦେବିକା

ନୂଆଦିଲ୍ଲୀ: ମୁମ୍ବାଇରେ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ ପୂରିଛି। ଏହି ଆକ୍ରମଣର ମୁଖ୍ୟ ସଂଚାଳକମାନେ ୧୫ ବର୍ଷ ପରେ ବି ପାକିସ୍ତାନରେ ଖୋଲା ବୁଲୁଛନ୍ତି ଏବଂ ଚୀନ୍‌ ସେମାନଙ୍କୁ ସମର୍ଥନ କରୁଛି।

ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଏଥିରେ  ୯ବର୍ଷର ଦେବିକା ରୋଟାଓ୍ବାନ ବି ସାମିଲ ଥିଲେ। ୨୦୦୯ରେ ଦେବିକା ଆତଙ୍କବାଦୀ ବିରୋଧରେ କୋର୍ଟରେ ସାକ୍ଷୀ ଦେଇଥିଲେ। ଦେବିକାଙ୍କ ସାକ୍ଷୀ ହେତୁ  ଆତଙ୍କବାଦୀକୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା।

ଦେବିକା ସେଦିନର ଘଟଣାକୁ ମନେ ପକାଇ କହିଛନ୍ତି, ୨୬।୧୧ ଦିନରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ରେଲଓ୍ବେ ଷ୍ଟେସନରେ ଆତଙ୍କବାଦୀ ଅଜମଲ କସାବ ଆତଙ୍କ ଖେଳାଇ ଥିଲା।

ବାପା,ଭାଇ ଓ ମୁଁ ଟ୍ରେନରେ ଚଢିବା ପାଇଁ ଶିବାଜୀ ରେଲଓ୍ବେ ଷ୍ଟେସନରେ ଅପେକ୍ଷା କରିଥିଲୁ। ଏହି ସମୟରେ ଆତଙ୍କବାଦୀଙ୍କ ଗୁଳି ମୋର ଡାହାଣ ଗୋଡରେ ବାଜିବାରୁ ମୁଁ ଅଚେତ ହୋଇପଡ଼ିଥିଲି। ଏହାପରେ ୬୫ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲି, ସେଠାରେ ମୋର ୬ଟି ଅସ୍ତ୍ରୋପଚାର ହୋଇଥିଲା । ବାପା ମୋତେ କେମିତି ଭଲ କରିବେ ସେଥିପାଇଁ ଦିନରାତି ଏକ କରି ଦେଇଥିଲେ। ଏହାରି ଭିତରେ ତାଙ୍କ ବ୍ୟବସାୟ ମାନ୍ଦା ପଡିଯାଇଥିଲା। ଏସବୁ କଷ୍ଟ ପରେ ବାପା ୨୦୧୪ରେ ଟିବିରେ ଆକ୍ରାନ୍ତ ହୋଇଥିଲେ।

ମୁଁ କସାବକୁ ସ୍ପଷ୍ଟ ଭାବେ ଚିହ୍ନିଥିବାରୁ ୨୦୦୯ରେ ଏହି ମାମଲା କୋର୍ଟରେ ଶୁଣାଣି ସମୟରେ ସାକ୍ଷୀ ଦେଇଥିଲି। ସାକ୍ଷୀ ଦେବା ପରେ ଆତଙ୍କବାଦୀଙ୍କୁ ଦଣ୍ଡ ତ ମିଳିଥିଲା ହେଲେ ତା’ପର ଠାରୁ ମୋତେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।

ଏହି ସାକ୍ଷୀ ପରେ କୁହାଗଲା ମୋ ଜୀବନ ସଙ୍କଟରେ । ତେଣୁ ମୋ ଯୋଗୁ ଅନ୍ୟ ପିଲାଙ୍କ ସୁରକ୍ଷା ପ୍ରତି ବିପଦ ଅଛି ବୋଲି ମୋତେ  ସ୍କୁଲରେ ଭର୍ତ୍ତି କରି ଦିଆଯାଇ ନଥିଲା। ଅନେକ ଅନୁରୋଧ କ୍ରମେ ଗୋଟିଏ ସ୍କୁଲରେ ମୋର ନାମ ଲେଖାଯାଇପାରିଥିଲା।

ଏବେ ମୁଁ ବାନ୍ଦ୍ରାର ଚେତନା କଲେଜରେ ଯୁକ୍ତ ୩ କଳାର ତୃତୀୟ ବର୍ଷର ଛାତ୍ରୀ। ଘରେ ଆଉ କେହି ରୋଜଗାରକ୍ଷମ ନାହାନ୍ତି। ତେଣୁ ମୁଁ ଏବେ ଚାକିରି ସନ୍ଧାନରେ ଅଛି।। କୋର୍ଟରେ ସାକ୍ଷୀ ଦେବା ସମୟରେ ମୋତେ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ସେ ପ୍ରତିଶ୍ରୃତି କେଉଁଆଡେ ଗଲା ମୁଁ ଜାଣି ନାହିଁ। କିନ୍ତୁ ଜୀବନ ମୋର ସଂଘର୍ଷରେ ଚାଲିଛି।’

 

ସମ୍ବନ୍ଧିତ ଖବର