ନୂଆଦିଲ୍ଲୀ : ଆଜି ଦେଶର ନୂଆ ଗୃହମନ୍ତ୍ରୀ ରୂପେ କାର୍ଯ୍ୟଭାର ସମ୍ଭାଳିଛନ୍ତି ଅମିତ ଶାହ । ସେ ଦେଶର ୩୦ତମ ଗୃହମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଜେପିର ଚାଣକ୍ୟ ଭାବେ ଜଣାଶୁଣା ଅମିତ ଶାହ ଆଜି ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଆଜିଠାରୁ ନିଜ ବିଭାଗର ଦାୟିତ୍ବ ସମ୍ଭାଳିଛନ୍ତି । ତିନିସେନା ପ୍ରମୁଖ ଏବଂ ଅନ୍ୟ ବରିଷ୍ଠ କର୍ମଚାରୀଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜନାଥ । ମୋଦୀ ମନ୍ତ୍ରିମଣ୍ଡଳର ଦୁଇ ପ୍ରଭାବଶାଳୀ ସଦସ୍ୟ ଅମିତ ଶାହ ଓ ରାଜନାଥ ସିଂ ଯଥାକ୍ରମେ କ୍ୟାବିନେଟର ଦୁଇ ଓ ତିନି ନମ୍ବର ମନ୍ତ୍ରୀ ବୋଲି ଚର୍ଚ୍ଚା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଅମିତ ଶାହ କେଉଁ ଦିଗରେ ପ୍ରଥମେ ପଦକ୍ଷେପ ନେବେ ସେ ନେଇ ଏବେ ଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟତଃ ଜମ୍ମୁ-କଶ୍ମୀରରେ ସମ୍ବିଧାନର ଧାରା ୩୭୦କୁ ଅପସାରିତ କରିବା ଉପରେ ତାଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ । କାରଣ ସେ ବାରମ୍ବାର ୩୭୦ ଉଠାଇବା କଥା କହି ଆସୁଥିଲେ।
ରାଜନାଥଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ବିଭାଗ ଦିଆଯାଇଛି। ସୀମା ଆରପଟୁ ବାରମ୍ବାର ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଅରୁଣାଚଳ ସୀମାରେ ଚୀନର ଦବଦବାକୁ ମୁକାବିଲା କରିବା ରାଜନାଥଙ୍କ ଲାଗି ଏକ ବଡ଼ ଚାଲେଞ୍ଜ। ପୂର୍ବରୁ ନିର୍ମଳା ସୀତାରମଣ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ତୁଲାଉଥିଲେ । ତେବେ ନିର୍ମଳାଙ୍କ ସ୍ଥାନରେ ରାଜନାଥଙ୍କୁ ଦିଆଯାଇଛି ପ୍ରତିରକ୍ଷା ବିଭାଗର ଦାୟିତ୍ୱ ।